Unknown

 

 

 

 

 

 

 

 

 

 

 

ପ୍ରତିଭା

ହରେକୃଷ୍ଣ ମହତାବ

 

(୧)

 

ସନାତନଙ୍କ ଝିଅ ସହିତ ଜମିଦାର ରାମହରିଙ୍କ ପୁଅଙ୍କ ବାହାଘର ଯେଉଁଦିନ ସ୍ଥିର ହୋଇଗଲା, ସେଦିନ ସନାତନଙ୍କ ମୁଣ୍ତରେ ବଜ୍ରବୋଝ ପଡ଼ିଗଲା ଜାଣ । ଯଦିଓ ତା’ ପୂର୍ବରୁ ନାନା ସୂତ୍ରରେ ଚେଷ୍ଟା କରି ସେଇଠି ଝିଅର ବାହାଘର କରାଇବାରେ ସେ ଏକ ଅପୂର୍ବ ଆନନ୍ଦ ଅନୁଭବ କରୁଥିଲେ । ଗରିବ ଘରର ଝିଅ ବଡ଼ଲୋକ ଘରେ ବାହାହେବ । ପୁଅ କଟକ କଲେଜରେ ବି.ଏ ପାସ୍ କରି ଓକିଲାତି ପଢ଼ୁଛନ୍ତି । କପାଳରେ ଥିଲେ ଏଭଳି ସମ୍ଵନ୍ଧ ଜୁଟିଯାଏ–ଏହି ମର୍ମରେ ତାଙ୍କର ଖୁସି ହେବା ସ୍ଵାଭାବିକ । ପୁଣି ସେ ଅନୁମାନ କରୁଥିଲେ ଯେ ତାଙ୍କୁ ମଧ୍ୟ ଭଲ ଚାକିରିଟିଏ ମିଳିଯିବ ସମୁଦିଙ୍କ ଜମିଦାରୀରେ । କୌଣସି ଯୌତୁକର ଦାବି କରାଯାଇନାହିଁ । ତଥାପି ସନାତନ ଚିନ୍ତିତ ହେଉଥିଲେ କେବଳ ଗୋଟିଏ କାରଣରୁ । ବରଯାତ୍ରୀଙ୍କ ଚର୍ଚ୍ଚା, ଝିଅ ପାଇଁ ଦି’ଖଣ୍ତ ଗହଣା; ଏସବୁର ଖର୍ଚ୍ଚ ଅଛି ତ ? ଏଥିପାଇଁ ପ୍ରାୟ ଦୁଇଶହ ଟଙ୍କା କେଉଁଠୁ ଆସିବ ? ସମସ୍ୟାଟିକୁ ସେ ବାଢ଼ିଦେଲେ ତାଙ୍କ ସ୍ତ୍ରୀଙ୍କ ଆଗରେ ।

 

ରାମହରି ଆନନ୍ଦର ସହିତ ଏହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ, ତା’ର କାରଣ ପୁଅ ବାହାଘର ପାଇଁ ଯେଉଁ ତିନୋଟି ସର୍ତ୍ତ ସେ ସ୍ଥିର କରିଥିଲେ ତାହା ସନାତନଙ୍କ ଝିଅଠାରେ ପୂର୍ଣ୍ଣ ହୋଇଯାଇଛି ବୋଲି ତାଙ୍କର ବିଶ୍ଵାସ ହେଲା । ସେ ଚାହୁଁଥିଲେ ଯେ ସେ ଅତି ସୁନ୍ଦରୀ ହୋଇଥିବ । ହେଲେ ଗରିବଘର ଝିଅ ହୋଇଥିବ । ତାଙ୍କ ନିଜ ସ୍ତ୍ରୀ ଗରିବଘରୁ ଆସିଛନ୍ତି ଏବଂ ତାଙ୍କର ଦୃଢ଼ ଧାରଣା, ନିଜର ଅନୁଭୂତି ଅନୁଯାୟୀ, ଯେ ଝିଅ ଯେତେ ଗରିବଘରର ହେବ, ସେ ସେତିକି ବାଧ୍ୟ ହେବ । ଜାତକ ମଧ୍ୟ ପଡ଼ୁଥିବ । ଏହି ତୃତୀୟ ସର୍ତ୍ତକୁ ନେଇ ଟିକିଏ ବ୍ୟାଘାତ ଜନ୍ମିଥିଲା, କିନ୍ତୁ ଜମିଦାରୀ ସିରସ୍ତାରେ ଥାଇ ସନାତନ ଯେଉଁ ମାମଲତ୍‍କାରି ଶିଖିଥିଲେ ସେତକ କାମ ଦେଲା । ସେ ଗାଆଁ ଜ୍ୟୋତିଷଙ୍କୁ ହାତକରି ସବୁ ସୁଧାରି ନେଲେ । ଶୁଭଲଗ୍ନ ଦେଖି ବାହାଘର ତାରିଖ ମଧ୍ୟ ଠିକ୍ ହୋଇଯାଇଛି । ହେଲେ ବର୍ତ୍ତମାନ ଏଇ ଗୋଟିଏ ଚିନ୍ତା—ନଗଦ ଦୁଇଶହ ଟଙ୍କା ଆସିବ କେଉଁଠୁ ?

 

ସମସ୍ୟାଟିକୁ ସ୍ତ୍ରୀଙ୍କୁ ଶୁଣାଇବାରେ ଏକ ବିଶେଷ ଉଦ୍ଦେଶ୍ୟ ଥିଲା ସନାତନ ବାବୁଙ୍କର । ତାଙ୍କୁ ଜଣାଥିଲା ଯେ ସ୍ତ୍ରୀଙ୍କ ପାଖରେ ରହିଛି ଏତିକି ଟଙ୍କା । ସେ ବାହାହେବା ଦିନଠାରୁ ଏଇ କୋଡ଼ିଏ ବର୍ଷ ଭିତରେ ଘରଖର୍ଚ୍ଚରୁ କିଛି କିଛି କାଟି ଗୋଟିଏ ଘଡ଼ି ଭିତରେ ପକେଇ ପକେଇ, ବେଶି ହୋଇଗଲେ ତା’କୁ ଟଙ୍କା ବନ୍ଧେଇ, ଏଇ ଅର୍ଥ ସଞ୍ଚୟ କରିଛନ୍ତି । ସଞ୍ଜବେଳେ ସେଠି ଧୂପ ଦିଆଯାଏ । କିନ୍ତୁ ସ୍ତ୍ରୀଙ୍କର ମଧ୍ୟ ବୁଝିବାରେ ବାକି ନଥିଲା ଯେ ଏହାରି ଉପରେ ସ୍ଵାମୀଙ୍କର ଦୃଷ୍ଟି ପଡ଼ିଛି । ତେଣୁ ସ୍ଵାମୀଙ୍କର ସବୁ କଥା ଶୁଣି ସେ କହିଲେ, “ଦେଖ, କେଉଁଠୁ ଟଙ୍କା ଯୋଗାଡ଼ କର । ମାଇପି ମଣିଷ, ମୁଁ କଣ କରିବି ?” ତଥାପି ସନାତନଙ୍କର ଆଶାଥିଲା ଯେ ନିଜ ଝିଅର ବାହାଘର, ସେଥିରେ ପୁଣି ଭବିଷ୍ୟତର ଏତେ ଆଶା, ସେ ହେତୁ ସ୍ତ୍ରୀ ତାଙ୍କ ପୁଞ୍ଜିତକ ନିଶ୍ଚେ ବାହାର କରିବେ-। ଏଣେ ସ୍ତ୍ରୀଙ୍କର ବିଶ୍ଵାସ ଯେ ଟିକିଏ ଦୃଢ଼ ହୋଇ ବସିଲେ ସ୍ଵାମୀ ବଳେ ବଳେ ଟଙ୍କା ଯୋଗାଡ଼ କରି ଆଣିବେ । ଏହିପରି ଭାବରେ ଧୈର୍ଯ୍ୟର ଟଣାଟଣି ଲାଗିରହିଥିଲା ସ୍ଵାମୀ ସ୍ତ୍ରୀଙ୍କ ଭିତରେ ।

 

(୨)

 

ସନାତନଙ୍କ ଝିଅ କେବଳ ଯେ ଦେଖିବାକୁ ସୁନ୍ଦରୀ ତା’ ନୁହେଁ, ତା’ର ସ୍ଵାସ୍ଥ୍ୟ ମଧ୍ୟ ଖୁବ୍ ଭଲ, ଏବଂ ତା’ର ରୂପଲାବଣ୍ୟ ଗାଁର ସମସ୍ତଙ୍କ ଆଖିରେ ପଡ଼େ । ବାହାଘର ଠିକ୍ ହୋଇ ସାରିଲା ବେଳକୁ ସେ ଗାଁର ଉଚ୍ଚ ପ୍ରାଥମିକ ପାଠଶାଳାରେ ପଢ଼ା ଯାଉଥିବା ପାଠ ଶେଷକରି ସାରିଲାଣି । ତା’ ବାପମାଆ ତା’କୁ ‘ଅପୁଛି ବୋଲି ଡାକୁଥିଲେ ଏବଂ ସ୍କୁଲର ହାଜିରା ବହିରେ ତା’ ନାଆଁ ‘ଅପୁଛି ଦେଈ’ ବୋଲି ଚଢ଼ିଛି ।

 

ଦିନେ ଗାଆଁର ଜଣେ ଶିକ୍ଷିତ ଯୁବକ ମହେନ୍ଦ୍ରବାବୁ ଏହି ପାଠଶାଳାକୁ ବୁଲିଆସିଥିଲେ । ସେ କଟକ କଲେଜ୍‌ରେ ପାଠ ପଢ଼ନ୍ତି । ସେ ଏଠାକୁ ଆସିଥିଲେ, ଶିକ୍ଷାବିସ୍ତାର ଦିଗରେ ଏହା ତାଙ୍କର ଏକ କର୍ତ୍ତବ୍ୟ ବୋଲି ମନେକରି । ସେତେବେଳେ ‘ଅପୁଛି’ର ବୟସ ୧୩ବର୍ଷ ଏବଂ ସେ ସର୍ବୋଚ୍ଚ ଶ୍ରେଣୀରେ ପଢ଼ୁଛି । ଚାରିଆଡ଼କୁ ବୁଲି ଦେଖିଲାବେଳେ ତାଙ୍କ ଆଖି ଲାଖିଗଲା ‘ଅପୁଛି’ ଠିଁ । ତା’କୁ ସେ ବହିଟିଏ ପଢ଼ିବାକୁ କହିଲେ ଏବଂ ସେ ତା’ର ମଧୁର ସ୍ଵର ଏବଂ ସ୍ପଷ୍ଟ ଉଚ୍ଚାରଣ ସହ ପ୍ରାୟ ତିନିପୃଷ୍ଠା ପଢ଼ିବା ଯାଏଁ, ତା’ ମୁହଁକୁ ଅନେଇ ରହିଲେ । କେତେବେଳେ ଝିଅ ବହି ଉପରୁ ମୁହଁ ଉଠେଇ ଦେଖିଲା ଯେ ଆଗନ୍ତୁକ ତା’ ଆଡ଼କୁ ଅନେଇଛନ୍ତି ଏମିତି, ଏବଂ ସେ ଲାଜେଇ ଗଲା । ମହେନ୍ଦ୍ରବାବୁ ମଧ୍ୟ ସଙ୍କୋଚ ଅନୁଭବ କଲେ ଏବଂ ବହିପଢ଼ା ବନ୍ଦ କରିବାକୁ କହିଲେ । ସେଇଠୁ ସେ ଶିକ୍ଷକଙ୍କଠାରୁ ହାଜିରା ବହି ମାଗିନେଇ ‘ଶ୍ରୀମତୀ ଅପୁଛି ଦେଈ’ ନାଆଁଟିକୁ କାଟିଦେଇ ‘ଶ୍ରୀମତୀ ପ୍ରତିଭା ଦେଈ’ ବୋଲି ଲେଖିଦେଲେ ଏବଂ ତାଙ୍କ ସଂଶୋଧନଟିକୁ ଶିକ୍ଷକଙ୍କୁ ଜଣାଇବା ସଙ୍ଗେ ସଙ୍ଗେ କହିଲେ, “ବୁଝିଲେ ମାଷ୍ଟ୍ରେ, ନାଆଁ ସାମାନ୍ୟ କଥା ନୁହେଁ । ନାଆଁ ଅନୁସାରେ ମଣିଷର ଗୁଣ ମଧ୍ୟ ବିକଶିତ ହୁଏ ।”

 

ପ୍ରତିଭାର ଏହି କୃତିତ୍ଵ ବିଷୟରେ ତା’ର ବାପମାଆ ବହୁତ ଖୁସି ହେଲେ । ଉଚ୍ଚ ପ୍ରାଥମିକ ପରୀକ୍ଷାରେ ମଧ୍ୟ ସେ ବୃତ୍ତି ପାଇଲା । କିନ୍ତୁ ବାପମାଆ ରାଜି ହେଲେ ନାହିଁ ତା’କୁ ଆହୁରି ପଢ଼େଇବା ଲାଗି । ମହେନ୍ଦ୍ରବାବୁ ଝିଅଟିର ପଢ଼ିବାର ସମସ୍ତ ଖର୍ଚ୍ଚର ଭାର ନେଇ କଟକରେ ପଢ଼େଇବେ ବୋଲି ନିର୍ଭର ଜବାବ୍ ଦେଲେ । ସେଥିରେ ସନାତନବାବୁ ଅଳ୍ପବହୁତ ରାଜି ହୋଇ ଆସୁଥିଲେ, କିନ୍ତୁ ତା’ଙ୍କ ସ୍ତ୍ରୀ ମୁହଁ ଛାଟି ପ୍ରସ୍ତାବଟାକୁ ନାକଚ କରିଦେଲେ । କହିଲେ, “ବଢ଼ିଲା ଝିଅକୁ କଟକ ପଠେଇ ସେଠି ଦାରୀ ଘରେ ନାଆଁ ଲେଖେଇବ ନା କଅଣ ?”

 

ଏହିପରି ଭାବରେ ପ୍ରତିଭାର ପାଠପଢ଼ା ବନ୍ଦ ହୋଇଗଲା, ଏବଂ ସେ ଘରକୋଣରେ ବନ୍ଦୀ ହୋଇ ରହିଲା । କେତେ ବଣମଲ୍ଲୀ ଏମିତି ଫୁଟି ନଷ୍ଟ ହୋଇଯାଉଛି ବୋଲି ମହେନ୍ଦ୍ରବାବୁ ଦୀର୍ଘନିଃଶ୍ଵାସ ପକେଇଲେ ତା’ର ଏଇ ଦୁରବସ୍ଥା ବିଷୟରେ ଜାଣିଲାରୁ । ତେବେ ସେ ପାଠଶାଳା ଶିକ୍ଷକଙ୍କ ଜରିଆରେ ତା’ ପାଇଁ ନିୟମିତ ଭାବରେ ବହି ଓ ମାସିକ ପତ୍ରିକା ପଠାଉଥିଲେ । ସେଗୁଡ଼ିକୁ ପାଠଶାଳାରେ ପଢ଼ୁଥିବା ତା’ ସାନଭାଇ ପ୍ରତିଭା ପାଖରେ ଆଣି ପହୁଞ୍ଚେଇ ଦେଉଥିଲା-। ଗୁହାଳକଢ଼ା, ଗାଈ ଦୁହାଁ, ସକାଳ ଓଳି ରୋଷେଇ ଇତ୍ୟାଦି ଘରକାମ ସାରି ପ୍ରତିଭାକୁ ଟିକିଏ ସମୟ ମିଳେ, ପ୍ରାୟ ଦି’ପହର ବେଳକୁ, ତା’କୁ ପଢ଼ିବା ପାଇଁ ।

 

(୩)

 

ଆଉ ଥରେ ମହେନ୍ଦ୍ରବାବୁ ଗାଁକୁ ଆସିଛନ୍ତି । ପୂର୍ବରୀତି ଅନୁସାରେ ସେ ପାଠଶାଳାକୁ ଆସିଲେ, ଏବଂ ଶିକ୍ଷକଙ୍କୁ ପଚାରି ବୁଝିଲେ ଯେ ସେ ପଠାଉଥିବା ବହିପତ୍ର ପ୍ରତିଭାର ସାନଭାଇ ସିଦ୍ଧେଶ୍ଵର ହାତରେ ପହୁଞ୍ଚି ଯାଉଛି ତା’ ପାଖରେ, ଯଥା ସମୟରେ । ସେଇଠୁଁ ସେ ତାଙ୍କ ସାଙ୍ଗରେ ଆଣିଥିବା ଖଣ୍ତେ ବହି ଓ ମାସିକ ପତ୍ରିକା ତା’ ହାତକୁ ବଢ଼େଇ ଦେଇ କହିଲେ, “ୟା’କୁ ନେଇ ପ୍ରତିଭାକୁ ଦେବୁ, ବୁଝିଲୁ ?”

 

ସିଦ୍ଧେଶ୍ଵର ବହି ଦି’ଖଣ୍ତକୁ ପ୍ରତିଭା ଉପରକୁ ଫୋପାଡ଼ି ଦେଇ କହିଲା, “ଏଇ ନେ, ଆମ ସ୍କୁଲକୁ ମହେନ୍ଦ୍ରବାବୁ ଆସିଥିଲେ । ସେ ତୋତେ ଏଇ ବହି ଦେଇଛନ୍ତି ପଢ଼ିବା ପାଇଁ ।” ଏକଥା ପ୍ରତିଭାର ମାଆଙ୍କ କାନରେ ପଡ଼ିଲା ଏବଂ ତା’କୁ କିଏ ଦେଇଛି ବୋଲି ବୁଝିଲା ପରେ ସେ ରାଗରେ ଅସମ୍ଭାଳ ହୋଇଉଠିଲେ । “ତା’କୁ କ’ଣ ଆଉ ମଣିଷ ମିଳିଲେ ନାହିଁ, ମୋ ଝିଅକୁ ଶସ୍ତା ପାଇଲା, ବଡ଼ଲୋକ ହୋଇଛି ବୋଲି କ’ଣ ଯା’ଇଚ୍ଛା ତା’ କରିବ ?”, ଇତ୍ୟାଦି ଭାଷାରେ ଗର୍ଜନ ତର୍ଜନ କରିବାକୁ ଲାଗିଲେ । ଝିଅ ଯେତେବେଳେ ତାଙ୍କୁ ବୁଝେଇବାକୁ ଚେଷ୍ଟା କଲା ଯେ ସେ ଏମିତି ବରାବର ବହି ପଠାଉଛନ୍ତି, ଏବଂ ଏଥିରେ ନୂଆ କଥା କିଛି ନାହିଁ, ସେ ଆହୁରି ରାଗିଉଠିଲେ, ଏବଂ କହିଲେ, “କଅଣ କହିଲୁ, ବରାବର ପଠାଉଛି ? ମୁଁ ସିନା ଜାଣେ ଝିଅ ଇସ୍‍କୁଲରେ ପଢ଼ୁଥିଲା ଯେ, ସରକାର ତରଫରୁ ବହି ସବୁ ଆସୁଛି । ଏଇ ମହେନ୍ଦ୍ର ପଠାଉଥିଲା ନା-? ଆମକୁ କ’ଣ ସେ ଦାରୀଘର ପାଇଛି ନା କଅଣ ? ଯାଏଁ ସେ ମାଷ୍ଟରକୁ ଦେଖେ ?”

 

ତା’ପରେ ସେ ପାଠଶାଳାକୁ ଯାଇ ମାଷ୍ଟରଙ୍କୁ ଅକଥ୍ୟ ଭାଷାରେ ଗାଳି ଦେବାକୁ ଲାଗିଲେ । କହିଲେ, “ଏଠି ମାଷ୍ଟରଗିରି କରୁଛୁ ନା ଭାଡ଼ୁଆଗିରି କରୁଛୁ ? ତୋ ଚାଟଶାଳୀରେ ମୋ ଝିଅ ପଢ଼ୁଥିଲା ବୋଲି ତୁ ମଝିରେ ଦୂତୀ ସାଜିଛୁ, ନା ?” ଇତ୍ୟାଦି । ଶିକ୍ଷକ ଅବାକ୍ ହୋଇ କିଛି ସମୟ ଅନେଇ ରହିଲା ପରେ ତା’ର ପ୍ରତିବାଦ କଲେ । କିନ୍ତୁ ସେଥିରେ କିଛି ଲାଭ ହେଲାନାହିଁ । ଏ ଗୋଳ ଶୁଣି ପାଖଆଖରୁ ପାଞ୍ଚସାତ ଲୋକ ଜମିଗଲେ । ‘ଅପୁଛି ମାଆ’ର କଳିହୁଡ଼ି ପଣ ସମସ୍ତଙ୍କୁ ଜଣା । ତେଣୁ ସେମାନେ ତାଙ୍କୁହିଁ ପ୍ରଥମେ ତିଆରିଲେ, ଯେ ତୁ ଦାଣ୍ତମଝିରେ ଏମିତି ଶୋଧୁଛୁ ଗାଆଁ ସ୍କୁଲର ମାଷ୍ଟରଙ୍କୁ, ଆଉ ଆମ ଗାଁର ମାନ ମହତ ପଦାରେ ପକଉଛୁ । ସେଇଠୁଁ ଅପୁଛି ମାଆ ସେମାନଙ୍କୁ ପୂରା କଥାଟା ବଖାଣି ବସିଲେ । ଯେ ମହେନ୍ଦ୍ର କେମିତି ଏ ମାଷ୍ଟରଙ୍କୁ ହାତକରି ଲୁଚେଇକି ତାଙ୍କ ଝିଅ ପାଖକୁ ଜିନିଷ ପଠାଉଛି । ମାଷ୍ଟର ପାରୁପର୍ଯ୍ୟନ୍ତ ବୁଝାଇବାକୁ ଲାଗିଲେ ଯେ ମହେନ୍ଦ୍ରବାବୁ ବିଦ୍ଵାନ୍ ଲୋକ, ଧନୀ ଲୋକ, ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ, ପିଲାଟା ଭଲ ପଢ଼ୁଛି ବୋଲି ସେ ତା’ ପାଖକୁ ବହି ପଠାଉଥିଲେ, ଇତ୍ୟାଦି । ହେଲେ ଶେଷକୁ ମତ ଧାର୍ଯ୍ୟ ହେଲା ଯେ ଶିକ୍ଷକର ଭୁଲ୍ ହୋଇଛି । ବାଡ଼ୁଅ ଝିଅ ପାଖକୁ ପରପୁରୁଷର କିଛି ଜିନିଷ ପଠାଇବା ଅନ୍ୟାୟ । ଯାହାହେଉ, ଭବିଷ୍ୟତରେ ଏହା ଯେମିତି ନ ହୁଏ । ଏହିପରି ଭାବରେ ସେମାନେ ଅପୁଛି ମାଆକୁ ବୁଝେଇ ଶୁଝେଇ ଘରକୁ ନେଇଗଲେ ।

 

ହେଲେ ଏଇ କଥାଟା ଧୀରେ ଧୀରେ ଗାଆଁ ସାରା ପ୍ରଘଟ ହୋଇଗଲା ଏବଂ ସମସ୍ତେ କାନକୁହାକୁହି ହେଲେ ଯେ ଜନାର୍ଦନବାବୁଙ୍କ ପୁଅ ମହେନ୍ଦ୍ର ସନାତନ ଝିଅ ସାଙ୍ଗରେ କାରବାର ଚଳାଇଥିଲେ, ତା’ ମାଆ ତା’କୁ ଧରିଲା, ଏବଂ ସେଇଠୁଁ କଥାଟାକୁ କୌଣସି ମତେ ଚପେଇ ଦିଆଗଲା । ମହେନ୍ଦ୍ରବାବୁ ଯେତେବେଳେ ଶୁଣିଲେ ଏକଥା, ସେ ଗୋଟାଏ ଦୀର୍ଘନିଃଶ୍ଵାସ ପକେଇ କହିଲେ, “ଏଇତ ସମାଜର ଦଶା ! ନାରୀର ଯେଉଁଠି ଏତେ ନିର୍ଯ୍ୟାତନା, ସେଠି ମୁକ୍ତି କାହିଁ ?”

 

(୪)

 

ଯେଉଁ ମାସିକ ପତ୍ରିକା ଓ ବହି ପାଇଁ ଏତେ ଗୋଳ ଲାଗିଲା, ସେହି ମାସିକ ପତ୍ରିକାରେ ‘ସମାଜରେ ନାରୀର ସ୍ଥାନ’ ଶୀର୍ଷକ ଏକ ପ୍ରବନ୍ଧ ଥିଲା । ଲେଖକଙ୍କ ନାଆଁ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାପାତ୍ର, ମାନେ ଆମ ମହେନ୍ଦ୍ରବାବୁ । ଏବଂ ବହିଟିର ନାଆଁ ‘ନାରୀ’, ଯେଉଁଥିରେ ନାରୀ ଜାଗରଣ ଓ ପ୍ରଗତି ସମ୍ଵନ୍ଧରେ ନାନାଦି ବିଷୟର ବର୍ଣ୍ଣନା କରାଯାଇଥିଲା । ପ୍ରତିଭା ଦେଖିଲା ଯେ ପ୍ରବନ୍ଧଟିରେ ତା’ ନିଜ କଥା ମଧ୍ୟ ଲେଖା ହୋଇଛି । କେମିତି ତା ନାଆଁ ବଦଳା ହେଲା, ତା’ର ବୁଦ୍ଧି, ବିଚକ୍ଷଣତା, ଓ ଉଚ୍ଚ ପ୍ରାଥମିକ ଶିକ୍ଷା ପରେ ତା’କୁ ଆହୁରି ଉପରକୁ ପଢ଼େଇବା ପାଇଁ ଶତ ଚେଷ୍ଟା କିପରି ବ୍ୟର୍ଥ ହେଲା, ଇତ୍ୟାଦି । ଏହା ମଧ୍ୟ ଲେଖାଥିଲା ଯେ ସମାଜର ବାଧା ଘଟିନଥିଲେ ପ୍ରତିଭା ଦେଶର ଜଣେ ବିଶିଷ୍ଟ ନାରୀନେତ୍ରୀ ହୋଇ ପାରିଥାଆନ୍ତା ।

 

ପ୍ରବନ୍ଧଟିକୁ ପ୍ରତିଭା ବାରମ୍ଵାର ପଢ଼ିଲା, ଏବଂ ମୁଗ୍ଧ ହେଲା । ଏବଂ ନିଜ ମନ ଭିତରେ ଯାହାକୁ ସବୁ ପ୍ରକୃତିଗତ ନିୟମ ବୋଲି ସେ ଧରି ନେଇଥିଲା, ସେ ବିଷୟରେ ନାନାଦି ପ୍ରଶ୍ନ ତା’ ମନକୁ ଆସିଲା ପୁରୁଷ ଶିକ୍ଷା ପାଉଛି, ନାରୀ କାହିଁକି ନପାଇବ ? ପୁରୁଷ ଏଣେତେଣେ ବୁଲୁଛି, ନାରୀ କାହିଁକି ପଞ୍ଜୁରୀରେ ପଶି ଅନ୍ଧାର କୋଣରେ ରହିବ ? ଇତ୍ୟାଦି । ଜଣେ ଭଦ୍ରଲୋକର ଦୟାବଶତଃ ସେ କିଛି କିଛି ପଢ଼ିବାକୁ ପାଉଛି, ତା’କୁ ମୂଳକରି ଦାରୀ ଘର ପର୍ଯ୍ୟନ୍ତ କଳ୍ପନା କରିବା, ତା’କୁ ଏତେ ବାଧିଲା ଯେ କ୍ରମଶଃ ତା’ ଆଖିକୁ ଲୁହ ଆସିଗଲା । ଅଶ୍ରୁ ହୃଦୟର ଭାର କମାଇ ଦେଲା ପରେ ସେ ଟିକିଏ ଆଶ୍ଵସ୍ତ ହେଲା, ଏବଂ ସମାଜରେ ନାରୀ ପ୍ରତି ଯେଉଁ ଅନ୍ୟାୟ କରାଯାଉଛି, ସେ ବିଷୟରେ ଆହୁରି କେତେ କ’ଣ ଭାବି ବସିଲା । ଏବଂ ତା’ର ମନରେ ଆସିଲା ଯେ ମହେନ୍ଦ୍ରବାବୁ ଯାହା ଲେଖିଛନ୍ତି ଯେ ସେ ଜଣେ ନାରୀନେତ୍ରୀ ହୋଇ ପାରିଥାଆନ୍ତା, ଏହି ସମ୍ଭାବନାକୁ ମିଛ ବୋଲି କୁହାଯାଇ ନପାରେ । ଏଇ ଅଭିଳାଷର ଉଚ୍ଛ୍ୱାସ ତା’ର କଳ୍ପନାକୁ ଅତିକ୍ରମ କରି ଚାଲିଯାଉଥାଏ । ଭାବୁଭାବୁ ତା’ର ମନେପଡ଼ିଲା ମହେନ୍ଦ୍ରବାବୁ କେମିତି ଏକ ଦୃଷ୍ଟିରେ ଅନେଇଥିଲେ ତା’ ମୁହଁକୁ, ସେଇ ପ୍ରଥମ ଦିନ । ଶେଷକୁ ସବୁ ଚିନ୍ତା ଗୋଟେଇ ନେଇ “ଫେର୍ କେବେ ଦେଖା ହୁଅନ୍ତା କି ତାଙ୍କ ସାଙ୍ଗରେ !” ଏହି ଭାବହିଁ ତା’ ମନକୁ ଅଧିକାର କଲା ।

 

ତା’ର ସ୍ଵପ୍ନ ଭାଙ୍ଗିଗଲା ଯେତେବେଳେ ମାଆର କର୍କଶ ସ୍ଵର ତା’କାନରେ ବାଜିଲା, “ଶାଶୁଘରକୁ ଗଲେ ଝାଡ଼ୁ ପାହାରରେ ତୋ ପିଠି ଯଦି ସିଝି ନ ଯାଇଛି, ତେବେ ମୋ ନାଁ ନୁହେଁ । ବେଳ ଗଲାଣି, ଗୋରୁ କୁଣ୍ତାପାଣି ଖାଇନାହାଁନ୍ତି, ସଞ୍ଜଦୀପ ସଜଡ଼ା ହୋଇନାହିଁ, ଆଉ ଝିଅ ମୋର ବସି ପାଠ ପଢ଼ୁଛି–ପଢ଼ୁଛି–ପଢ଼ୁଛି । ଆଉ କେହି ଝିଅ ଏ ରାଇଜରେ ଅଛନ୍ତି, ନା ତୁ ଏକା ମ ?”

 

(୫)

 

ମହେନ୍ଦ୍ରବାବୁ ନିଜ ମାନ ବଞ୍ଚେଇବା ପାଇଁ ତରତର ହୋଇ କଟକ ଚାଲିଗଲେ ସତ, କିନ୍ତୁ ତାଙ୍କ ମନରେ ଏକ ଶକ୍ତ ଧକ୍କା ଲାଗିଲା । ପ୍ରତିଭା ପାଖକୁ ବହି ଦି’ଖଣ୍ତ ପଠାଇବାକୁ ନେଇ ଯେଉଁ ଗୋଳ ସୃଷ୍ଟି ହେଲା, ସେଥିରେ ଗୋଟିଏ ନିରୀହା ଅନୂଢ଼ା ବାଳିକା ନାଆଁରେ କିଭଳି କଳଙ୍କ ରଟିଯାଇ ନଥିବ । ଏବଂ ସେ ଲଜ୍ଜାରେ କିଭଳି ହୀନ ଜୀବନ ଯାପନ କରୁଥିବ । ‘ମୁଁ କଣ କୌଣସି ପ୍ରକାରେ ତା’କୁ ସାହାଯ୍ୟ କରିପାରିବି ନାହିଁ ?’ –ଏଇ ଥିଲା ତାଙ୍କ ଚିନ୍ତାର ଗତି ।

 

ଏହି କ୍ରମରେ ଥରେ ଦୁଇଥର ତାଙ୍କ ମନରେ ଉଠିଛି ଯେ ପ୍ରତିଭାକୁ ବାହାହୋଇ ପଡ଼ିଲେ ଆଉ କିଛି ଝଂଝଟ ରହନ୍ତା ନାହିଁ, ମାତ୍ର ଚିନ୍ତା ଉଠିବା ମାତ୍ରକେ ତାହା ଆପେଆପେ ଦବି ଯାଇଛି । ବିବାହ ତାଙ୍କ ହାତର କଥା ନୁହେଁ, ସେଥିପାଇଁ ବାପମାଆଙ୍କ ସମ୍ମତି ଦରକାର । ଆଉ ମଧ୍ୟ ସେ ଯେଉଁ ସମାଜର ଅନ୍ତର୍ଭୁକ୍ତ ହୋଇଛନ୍ତି, ସେଇ ସମାଜ ମଧ୍ୟ ସେଥିରେ ପକ୍ଷପାତୀ ହେବ ନାହିଁ । ସେଇଠୁଁ ତାଙ୍କୁ ଗୋଟିଏ ବୁଦ୍ଧି ଦିଶିଲା, ପ୍ରତିଭା ସହିତ ସଂପର୍କ ରଖିବା ଦିଗରେ । ଏବଂ ସେ କାଳ ବିଳମ୍ଵ ନକରି ତାଙ୍କ ଗାଁକୁ ଗଲେ ।

 

ପୂର୍ବରୀତି ବଜାୟ ରଖି ସେ ପାଠଶାଳା ଦେଖିବାକୁ ଗଲେ, ଏବଂ ପାଠଶାଳାର ଆର୍ଥିକ ଅବସ୍ଥା ସମ୍ଵନ୍ଧରେ ଶିକ୍ଷକଙ୍କ ସହିତ ଆଲୋଚନା କଲେ । ଶିକ୍ଷକ ପାଠଶାଳାର ଦୁରବସ୍ଥା ବିଷୟରେ ଏକ ଦୀର୍ଘ କାହାଣୀ ଶୁଣାଇଲେ, ଯାହା ଫଳରେ ମହେନ୍ଦ୍ର ବାବୁ ତାଙ୍କୁ ଘରକୁ ଡକେଇ ପଠେଇଲେ, ଏବଂ ସହାନୁଭୂତି ଦେଖାଇ ପଚାରିଲେ, “କୁହନ୍ତୁ ମାଷ୍ଟ୍ରେ, ମୁଁ କଅଣ ସାହାଯ୍ୟ କରିପାରେ । ମୋ ନିଜର ଗାଆଁ, ଏଥିପ୍ରତି ମୋର କର୍ତ୍ତବ୍ୟ ଅଛି ।” ଏହି କ୍ରମରେ ସେ ପ୍ରତିଶ୍ରୁତି ଦେଲେ ଯେ ପ୍ରତି ମାସରେ ତାଙ୍କ ବାପାଙ୍କଠାରୁ ମିଳୁଥିବା ପଚାଶ ଟଙ୍କାରୁ ପାଞ୍ଚ ଟଙ୍କା କାଢ଼ି ନେଇ ସେ ତାଙ୍କ ପାଖକୁ ପଠାଇବେ । ତା’ପରେ ସେ କହିଲେ ଯେ ମଝିରେ ମଝିରେ ଛାତ୍ରମାନଙ୍କୁ କିଛି କିଛି ପୁରସ୍କାର ଦେଲେ ଭଲ ହେବ । ସେଥିକୁ ଅର୍ଥ କେଉଁଠୁ ଆସିବ ବୋଲି ପ୍ରଶ୍ନ ଉଠିଲାରୁ ସେ କହିଲେ, “ମୁଁ କିଛି ସାହାଯ୍ୟ କରିବି ।”

 

ଏହିପରି ଭାବରେ ଶିକ୍ଷକ ବରାବର ମାସକୁ ମାସ ପାଞ୍ଚଟଙ୍କା ସହ କେତେକ ବହି ଓ ମାସିକ ପତ୍ରିକା ମଧ୍ୟ ପାଇଲେ ଛାତ୍ରମାନଙ୍କୁ ପୁରସ୍କାର ଦେବା ଲାଗି । ପ୍ରତିଥର ଖଣ୍ତିଏ ମାସିକ ପତ୍ରିକା ଓ ଖଣ୍ତିଏ ବହି ଉପରେ ସେ ସିଦ୍ଧେଶ୍ଵରର ନାଆଁ ଲେଖି ଦିଅନ୍ତି । ଶିକ୍ଷକ ଭାବନ୍ତି ଯେ କେବଳ ଏଇ ପିଲାଟିର ନାଆଁ ମହେନ୍ଦ୍ରବାବୁ ଜାଣନ୍ତି ବୋଲି ତା’ ନାଆଁ ବହିରେ ଲେଖିଦେଇଛନ୍ତି । ହୁଏତ ଅନ୍ୟମାନଙ୍କ ନାଆଁ ଜଣାଥିଲେ ତା’ ମଧ୍ୟ ଲେଖି ଦେଉଥାଆନ୍ତେ ।

 

ମହେନ୍ଦ୍ରବାବୁଙ୍କ ଏହି ସୁଚିନ୍ତିତ ଉପାୟ ଯେ କାର୍ଯ୍ୟକାରୀ ହେଲା, ଏଥିରେ ସନ୍ଦେହ ନାହିଁ-। କାରଣ ସିଦ୍ଧେଶ୍ଵର ନୂଆ ବହି ନେଇ ତା’ ଅପାକୁ ଦେଖାଏ । ଥରେ ପ୍ରତିଭା ଦୋ’ ଦୋ’ ପାଞ୍ଚ ହୋଇ ତାକୁ ପଚାରିଲା ଏକୁଟିଆରେ, “ଏ ବହିସବୁ କିଏ ଦେଇଛି ?” ସିଦ୍ଧେଶ୍ଵର କହିଲା ଯେ ମହେନ୍ଦ୍ରବାବୁ ପଠେଇଛନ୍ତି, କଟକରୁ । ଆଉ ଚାରିଜଣ ପିଲାଙ୍କ ପାଇଁ ମଧ୍ୟ ପଠାନ୍ତି, ହେଲେ ତା’ ବହି ସବୁଠୁଁ ଭଲ । ଏଥିରେ ସେ ତା’ ନାଆଁ ଲେଖି ପଠାଇ ଦେଇଛନ୍ତି ।

 

ପ୍ରତିଭାର ଆଉ କିଛି ପଚାରିବାର ଦରକାର ପଡ଼ିଲା ନାହିଁ । ସେ ଦୀର୍ଘ ନିଃଶ୍ଵାସଟିଏ ପକାଇ ବହିକୁ ନିଜ ଛାତି ଉପରକୁ ଟାଣି ନେଲା ।

 

(୬)

 

ସନାତନ ଓ ତାଙ୍କ ସ୍ତ୍ରୀ ଯେତେବେଳେ ପ୍ରତିଭାର ବିଭାଘର ବିଷୟରେ ଆଲୋଚନା କରନ୍ତି, ସେମାନେ ଝିଅକୁ ଲୁଚେଇ କଥାବାର୍ତ୍ତା କରନ୍ତି ନାହିଁ । ତାଙ୍କର ସେ ଅଭ୍ୟାସ ନାହିଁ, ସେଥିରେ ସୁବିଧା ମଧ୍ୟ ନାହିଁ । ଏହେତୁ ତାଙ୍କ କଥାବାର୍ତ୍ତାର ପଦେଅଧେ ପ୍ରତିଭାର କାନରେ ପଡ଼େ-। ଏହି ସମୟରେ ସିଦ୍ଧେଶ୍ଵର ଜରିଆରେ ମିଳିଥିବା ଗୋଟିଏ ପତ୍ରିକାରେ ସେ ମହେନ୍ଦ୍ରବାବୁଙ୍କଦ୍ଵାରା ଲିଖିତ ଗୋଟିଏ ପ୍ରବନ୍ଧ ପଢ଼ିବାକୁ ପାଇଲା । ସେଥିରେ ପ୍ରଚଳିତ ବିବାହ ପ୍ରଥା ଦ୍ଵାରା ଆମ ଦେଶର ନାରୀମାନେ କିଭଳି କଷ୍ଟ ଭୋଗୁଛନ୍ତି, ତା’ର ବିସ୍ତୃତ ଆଲୋଚନା କରାଯାଇଥିଲା । କୁହାଯାଇଥିଲା ଯେ ବାପମାଆ କେବଳ ନିଜର ସ୍ଵାର୍ଥ ଦୃଷ୍ଟିରୁ କନ୍ୟାର ହିତାହିତ ନକରି ତାକୁ ଚିରଜୀବନ ଏକ ଫାନ୍ଦରେ ପକାଇ ଦେଉଛନ୍ତି, ଯାହାଫଳରେ ଦେଖାଯାଉଛି ଯେ ଅଧିକାଂଶ ନାରୀ ଜୀବନସାରା ଝୁରି ହୋଇ କାଳ କଟାଉଛନ୍ତି । ଏହି ପ୍ରବନ୍ଧ ପଢ଼ି ପଢ଼ି ପ୍ରତିଭା ଯେତେବେଳେ ଶୁଣେ ଯେ ବାପା ଭବିଷ୍ୟତରେ ନିଜ ଦରିଦ୍ରାବସ୍ଥାର ପରିବର୍ତ୍ତନ କରିବା ପାଇଁ ଏଇ ବିବାହର ବନ୍ଦୋବସ୍ତ କରୁଛନ୍ତି, ତା’ର ରାଗ ଆସେ ବାପାଙ୍କ ଉପରେ । ରାଗ ଆସେ ବି ମାଆ ଉପରେ, ଯେ ଚାହୁଁଛି ବଢ଼ିଲା ଝିଅର ବୋଝଟାକୁ କେମିତି ତା’ ମୁଣ୍ତରୁ ଖସେଇଦେବ । ଏବଂ ସେ ନିଜକୁ ଅସହାୟ ମନେକରେ ।

 

ମନ ଯେତେବେଳେ ଅତି ଉଚ୍ଚାଟ ହୋଇଉଠେ, ସେତେବେଳେ ତାହା ସେହି ମହେନ୍ଦ୍ରବାବୁଙ୍କ ଆଡ଼କୁ ଗତି କରେ । ସେ ଭାବେ ଯେ ତାଙ୍କ ସହିତ ଥରେ ଦେଖା ହୋଇଗଲେ ସେ ତାଙ୍କଠୁଁ ବୁଝନ୍ତା ଯେ ଏହି ପରିସ୍ଥିତିରେ ତା’ର କ’ଣ କରିବା ଉଚିତ । ହେଲେ ଅବିଳମ୍ଵେ ସେ ହତାଶ ହୁଏ ଯେ ତାଙ୍କ ସାଙ୍ଗରେ ଦେଖା ହେବା କଥା ରାତିରେ ସୂର୍ଯ୍ୟ ଉଇଁଲା ପରି ।

 

ଯାହାହେଉ ତା’ ମନରେ ଏହି ଦୃଢ଼ ଧାରଣା ଆସି ଯାଇଥିଲା ଯେ ସେ ଏହି ବିବାହର ବିରୋଧୀ । ଏବଂ ଶେଷକୁ ଅଶାନ୍ତିର ଚରମ ସୀମାରେ ପହଞ୍ଚିଲା ପରେ ସେ ସ୍ଥିର କଲା ଯେ ବାପମାଆ ତା’ର ବିବାହ କରିଦେଲେ ମଧ୍ୟ ସେ ନିଜକୁ ବିବାହିତା ବୋଲି ମନେକରିବ ନାହିଁ ।

 

(୭)

 

ଏଣେ ପ୍ରତିଭା ବିଷୟରେ ଚିନ୍ତା କରିବା ଏକ ଦୈନନ୍ଦିନ ବ୍ୟାପାର ହୋଇଗଲାଣି ମହେନ୍ଦ୍ରବାବୁଙ୍କ ପାଇଁ । କଳ୍ପନା କରନ୍ତି–ସେ ତାଙ୍କ ପ୍ରବନ୍ଧଗୁଡ଼ିକ ପଢ଼ୁଥିବ, ଏବଂ ପଢ଼ିସାରି କ’ଣ ଭାବୁଥିବ । ସେଇଠୁଁ ଚାହାଁନ୍ତି ତା’ ସାଙ୍ଗରେ ଦେଖାହେବାର ସୁବିଧା ହେଲେ ସେ ତା’ ସାଙ୍ଗରେ ଆଲୋଚନା କରନ୍ତେ ସେ ବିଷୟରେ । ଶୁଣନ୍ତେ ତା’ର କଣ୍ଠସ୍ଵର, ଦେଖନ୍ତେ ତା’ର ମୁଖଭଙ୍ଗୀ… । ଭାବୁଭାବୁ ସେ ଆନନ୍ଦରେ ବିଭୋର ହୋଇଉଠନ୍ତି । ଏବଂ କଳ୍ପନାରୁ ଫେରି ଆସିଲା ପରେ ତାଙ୍କର ମନେହୁଏ–କଳ୍ପନାର ଏହି ଛବିଟିକୁ କ’ଣ ବାସ୍ତବ କରି ହୁଅନ୍ତା ନାହିଁ ?

 

କିନ୍ତୁ ସେ ଜାଣନ୍ତି ଯେ ପ୍ରତିଭା ସହିତ କାହିଁକି, ଯେ କୌଣସି ଝିଅକୁ ବିଭା ହେବାରେ ସବୁଠାରୁ ବଡ଼ ବାଧା ହେଉଛି ତାଙ୍କ ନିଜ ଦ୍ଵାରା ନିର୍ଣ୍ଣିତ ଗୋଟିଏ ନିୟମ । ମହେନ୍ଦ୍ରବାବୁ ଗୋଟିଏ ଅନୁଷ୍ଠାନ ଗଢ଼ିଛନ୍ତି ତାଙ୍କ କଲେଜରେ, ତା’ ନାଆଁ ‘ବୀର ସମାଜ’ । ତା’ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ନାନା କୁସଂସ୍କାର, ତଥା ଅଶିକ୍ଷା ଓ କୁଶିକ୍ଷା ବିରୁଦ୍ଧରେ ଲଢ଼ିବା । ସେ ଦିଗରେ ସମସ୍ତ ପ୍ରକାର ତ୍ୟାଗ ବରଣ କରିବାକୁ ପଡ଼ିବ, ଏପରିକି ଜୀବନଦାନ ବୋଲି ଅନୁଷ୍ଠାନର ସଭ୍ୟମାନେ ବିଶ୍ଵାସ କରନ୍ତି । ଏହି ସିଦ୍ଧାନ୍ତ ଅନୁଯାୟୀ ଯେଉଁ କେତୋଟି ନିୟମ ପ୍ରଣୀତ ହୋଇଛି, ସେଥିରୁ ଗୋଟିଏ ହେଲା ଏଇ ଯେ କେହି ପଢ଼ି ସାରି ଚାକିରି କରିବେ ନାହିଁ । ଏବଂ ଦ୍ଵିତୀୟରେ କେହି ବିବାହ କରିବେ ନାହିଁ, କାରଣ ତା’ହେଲେ ସେମାନଙ୍କୁ ସେହି ପୁରୁଣା ପ୍ରଥା ଭିତରେ ଟଣାଟଣି ହୋଇ ପଶିବାକୁ ପଡ଼ିବ ।

 

ଥରେ ଅନୁଷ୍ଠାନର ସାପ୍ତାହିକ ବୈଠକରେ ମହେନ୍ଦ୍ରବାବୁ ଗୋଟିଏ ପ୍ରସ୍ତାବ କଲେ ଏହି ନିୟମକୁ ନେଇ । କହିଲେ ଯେ, ବର୍ତ୍ତମାନର ବିବାହ ପ୍ରଥା ବିରୋଧରେ ଅଭିଯାନ କରିବାକୁ ଯାଇ ‘ଆମେ ବିବାହ କରିବୁ ନାହିଁ’, ଏ ସିଦ୍ଧାନ୍ତ ବୀରୋଚିତ ନୁହେଁ । ବରଂ ଆମେ ଅସବର୍ଣ୍ଣ ବିବାହ କରିବୁ, ଏହାହିଁ ଆମର ସିଦ୍ଧାନ୍ତ ହେବା ଉଚିତ । ତୁମୁଳ ଯୁକ୍ତିତର୍କ ପରେ ଶେଷକୁ ସ୍ଥିର ହେଲା ଯେ ବିବାହ ନକରିବା ଭଲ, କିନ୍ତୁ ଯେ ନିତାନ୍ତ ବିବାହ ନକରି ରହିପାରିବ ନାହିଁ, ସେ ଅସବର୍ଣ୍ଣ ବିବାହ କରିବ, ଏବଂ ଯୌତୁକ ସୂତ୍ରରେ କିଛି ଦାବି କରିବ ନାହିଁ । ସିଦ୍ଧାନ୍ତଟି ମହେନ୍ଦ୍ରବାବୁଙ୍କ ଅନୁକୂଳ ହେଲା, କାରଣ ପ୍ରତିଭା ସହିତ ବିବାହ ହେଲେ ତାହା ଅସବର୍ଣ୍ଣ ବିବାହ ହେବ, ଯେହେତୁ ସେ କରଣ, ଏବଂ ପ୍ରତିଭା ଖଣ୍ତାଏତ ଘର ଝିଅ ।

 

କିନ୍ତୁ ଏ ଦିଗରେ କିଭଳି ପଦକ୍ଷେପ କାର୍ଯ୍ୟକାରୀ ହେବ ତାହା ସେ ସ୍ଥିର କରିପାରିଲେ ନାହିଁ । ପ୍ରେମ କବିତାମାନ ଲେଖି ସେହି ମାସିକ ପତ୍ରିକାକୁ ଦେଲେ ଯାହାର ଗ୍ରାହକ ତାଙ୍କ ବାପା । କିନ୍ତୁ ଦୁଃଖର ବିଷୟ ଯେ ବାପା ପତ୍ରିକାର ଗ୍ରାହକ ହେଲେ ମଧ୍ୟ, ତା’କୁ ସେ କେବେହେଲେ ଖୋଲନ୍ତି ନାହିଁ, ପଢ଼ିବା ଦୂରର କଥା । ବି.ଏ. ପାସ୍ କଲା ପରେ ଦି’ ତିନି ଜାଗାରୁ ପ୍ରସ୍ତାବ ଆସିଥିଲା ତାଙ୍କ ପାଇଁ । କିନ୍ତୁ ମହେନ୍ଦ୍ରବାବୁ ଶୁଣି କରି ରାଗିଲେ ଯେ ବାପା ଯୌତୁକ ନେବେ ବୋଲି ଜିଦ୍ କରି ବସିଛନ୍ତି । କହୁଛନ୍ତି ଯେ ଯିଏ ତାଙ୍କ ପୁଅକୁ ବିଲାତରେ ପଢ଼ାଇବାର ଖର୍ଚ୍ଚ ତୁଲେଇବ, ସେ ପୁଅକୁ ସେଇଠି ବାହା ଦେବେ । ବିବାହ ସମ୍ଵନ୍ଧରେ ସେ କେତେ ପ୍ରବନ୍ଧ ଲେଖିଲେଣି, ତାହା ନିଶ୍ଚୟ ବାପାଙ୍କ ଆଖିରେ ପଡ଼ୁଥିବ, ତଥାପି ସେ ଥରେ ହେଲେ ପୁଅକୁ ପଚାରୁ ନାହାଁନ୍ତି ତା’ର ମତାମତ କଅଣ ବୋଲି ? ଶେଷକୁ ସେ ଠିକ୍ କଲେ ଯେ ବାପାଙ୍କୁ ବାଟକୁ ଆଣିବାର ପ୍ରକୃଷ୍ଟ ପନ୍ଥା ହେଉଛି ଘୋଷଣା କରିବା ଯେ ସେ ବିବାହ କରିବେ ନାହିଁ । ତା’ହେଲେ ବାପାମାଆ ସମସ୍ତେ ପରେ ଆକୁଳ ହୋଇ ତାଙ୍କୁ ଧରାଧରି କଲେ ସେ ନିଜର ଇଚ୍ଛା ଅନୁଯାୟୀ ବିବାହ କରିବେ । ଏହି ମର୍ମରେ ସେ ବାପାଙ୍କ ପାଖକୁ ଖଣ୍ତେ ଚିଠି ଲେଖିଲେ । ତେବେ ଚିଠିଟି ପାଇ ଜନାର୍ଦନବାବୁ ବିଚଳିତ ହେଲେନାହିଁ । ଭାବିଲେ ବର୍ତ୍ତମାନ ସେ ବିଷୟରେ ଚର୍ଚ୍ଚା ନକରିବା ଭଲ । କିନ୍ତୁ ଏଣିକି ସେ ବିଭିନ୍ନ ସୂତ୍ରରେ ମହେନ୍ଦ୍ରଙ୍କ ଗତିବିଧିର ଖବର ରଖିଲେ ।

 

(୮)

 

ନବୀନ, ଯେ କି ‘ବୀର ସମାଜ’ର ବୈଠକରେ ବିବାହ ନକରିବା ସପକ୍ଷରେ ଯୁକ୍ତି କରିଥିଲେ, ସେ ହେଉଛନ୍ତି ମହେନ୍ଦ୍ରବାବୁଙ୍କ ସହପାଠୀ, ଏବଂ ରାମହରିବାବୁଙ୍କ ପୁଅ । ସେ ଯେ ସେଦିନ କେବଳ ଯୁକ୍ତି ଛଳରେ ବାହା ନକରିବା ଭଲ ବୋଲି କହୁଥିଲେ ତା’ ନୁହେଁ, ସେ ପ୍ରକୃତରେ ବିଶ୍ଵାସ କରୁଥିଲେ ଯେ ଜୀବନକୁ ବିପଦ ଭିତରକୁ ଆଖି ବୁଜି ଫୋପାଡ଼ି ନଦେଲେ ପ୍ରକୃତ ବିପ୍ଳବ ସାଧିତ ହେବନାହିଁ, ଏବଂ ସେଥିରେ ବିବାହ ଏକ ପ୍ରବଳ ବାଧା ।

 

ଦିନେ ସେ ହଠାତ୍ ବାପାଙ୍କ ପାଖରୁ ଚିଠି ପାଇଲେ ଯେ ତାଙ୍କର ବିବାହ ସ୍ଥିର ହୋଇଯାଇଛି, ଓ ନିର୍ଦ୍ଦିଷ୍ଟ ଦିନର ଦୁଇଦିନ ଆଗରୁ ତାଙ୍କୁ ଘରକୁ ଯିବାକୁ ପଡ଼ିବ । ଚିଠିଟି ପଢ଼ି ସେ ମ୍ରିୟମାଣ ହୋଇଗଲେ । କେତେ କଳ୍ପନା ସେ ଜୀବନ ପାଇଁ ସୃଷ୍ଟି କରିଥିଲେ, ସବୁ କୁଆଡ଼େ ଧ୍ଵଂସ ହୋଇଯିବ ? ଗାଆଁଗଣ୍ତାରୁ ଆସିଥିବା କେଉଁ ଏକ ଅଶିକ୍ଷିତା ବାଳିକା ତାଙ୍କଠାରୁ ସଂସାରର ସୁଖସ୍ଵାଚ୍ଛନ୍ଦ୍ୟ ପୂରାମାତ୍ରାରେ ଦାବି କରିବ । ସେହି ଦାବି ପୂରଣ ନହେଲେ ଦାମ୍ପତ୍ୟ ଜୀବନ ଭାରାଗ୍ରସ୍ତ ହୋଇଉଠିବ । କିନ୍ତୁ ପୂରଣ କରିବାକୁ ହେଲେ କେବଳ ସେଇଥିରେ ଲାଗିବାକୁ ହେବ, ଏବଂ ଫଳରେ ସେ ଜଣେ ସାମାନ୍ୟ ଗାଉଁଲି ଜମିଦାର ହୋଇ ରହିଯିବେ । କିନ୍ତୁ ବାପାଙ୍କ କଥା ଅମାନ୍ୟ କରିହେବ କେମିତି ?

 

ଶେଷକୁ ସେ ବାପାଙ୍କ ପାଖକୁ ଖଣ୍ତେ ଚିଠି ଲେଖି ଜଣାଇଲେ ଯେ ତାଙ୍କ ଜୀବନର ଯେତେ ଯାହା କଳ୍ପନା ରହିଛି, ତାକୁ ସାଧିତ କରିବା ଦିଗରେ ବିବାହ ପ୍ରଧାନ ଅନ୍ତରାୟ ହେବ । ତା’ଛଡ଼ା ବିବାହ ପାଇଁ ବୟସ ଅଛି, ତରତର ହେବାର କାରଣ ନାହିଁ । କିନ୍ତୁ ତାଙ୍କ ମନ ଭିତରୁ କିଏ ଯେମିତି କହୁଥାଏ ଯେ ବାପା କଦାପି ମାନିବେ ନାହିଁ ତାଙ୍କ କଥା । ତା’ହେଲେ କ’ଣ ହେବ ? ବାପାଙ୍କ କଥାକୁ କ’ଣ ଅମାନ୍ୟ କରିହେବ ? ବିବାହ ତ ନିଶ୍ଚେ ହୋଇଯିବ, ଫଳରେ ଜୀବନ ବ୍ୟର୍ଥ ହେବ, ଏଇ ସ୍ଵର ତାଙ୍କ ମନ ଭିତରୁ ଯେତିକି ଉଠୁଥାଏ ସେ ସେତିକି ନିଜକୁ ଦୁର୍ବଳ ମନେ କରୁଥାଆନ୍ତି ।

 

(୯)

 

ନବୀନ ନିଜ ମନକଥା ଅତି ମୁକ୍ତ ଭାବରେ କେବଳ ପ୍ରକାଶଙ୍କ ସହିତ ଆଲୋଚନା କରିପାରନ୍ତି । ତେଣୁ ଯେତେବେଳେ ତାଙ୍କର ବିବାହ ପ୍ରସ୍ତାବ ତାଙ୍କ ଜୀବନର ଆଦର୍ଶ ସହିତ ଧକ୍କା ଖାଇ, ତାଙ୍କର ସଯତ୍ନ ନିର୍ମିତ ଜାହାଜଟିକୁ ବୁଡ଼ାଇ ଦେବାକୁ ବସିଛି ବୋଲି ସେ ଭାବିଲେ, ସେ ପ୍ରକାଶଙ୍କ ପରାମର୍ଶ ଲୋଡ଼ିବାକୁ ଗଲେ । ବିପ୍ଳବ ବିଜ୍ଞାନରେ ପ୍ରକାଶ ଜଣେ ଧୁରନ୍ଧର ବ୍ୟକ୍ତି ବୋଲି ତାଙ୍କର ଖ୍ୟାତି ଅଛି । ପୃଥିବୀରେ ଯେକୌଣସି ଯୁଗରେ ଯେକୌଣସି ଦେଶରେ ଯେତେ ଯେତେ ବିପ୍ଳବ ହୋଇଛି, ସେସବୁକୁ ସେ ଯେପରି ଭାବରେ ବର୍ଣ୍ଣନା କରନ୍ତି, ସେଥିରୁ ମନେହେବ ଯେ ସେ ନିଜେ ସେସବୁ ଅଙ୍ଗେ ନିଭେଇଛନ୍ତି । ତା’ଛଡ଼ା ବନ୍ୟା ଦୁର୍ଭିକ୍ଷର ସଙ୍କଟ ବେଳେ ସେ ଯେପରି ଭାବରେ ଲୋକମାନଙ୍କୁ ସାହାଯ୍ୟ କରିବାରେ ଲାଗିପଡ଼ନ୍ତି, ସେଥିଯୋଗୁଁ ସେ ଜନସାଧାରଣଙ୍କର ଅତି ଆତ୍ମୀୟ ହୋଇପଡ଼ିଥିଲେ । ନବୀନଙ୍କ ଛଡ଼ା ଅନେକ କଲେଜ ଛାତ୍ର ତାଙ୍କର ଭକ୍ତ ଥିଲେ । ମହେନ୍ଦ୍ରବାବୁହିଁ ଥିଲେ, ସର୍ବପ୍ରଥମ, ଏବଂ ‘ବୀର ସମାଜ’ ଗଢ଼ିବାର ସୂଚନା ସେ ତାଙ୍କରିଠାରୁ ହିଁ ପାଇଥିଲେ ।

 

ପ୍ରକାଶଙ୍କ ଘରେ ପହଞ୍ଚି ନବୀନ ଦେଖିଲେ ଯେ ସେ ସେଠି ନାହାନ୍ତି । ଚାକରଟୋକା ବ୍ୟସ୍ତ ହୋଇ କହିଲା ଯେ ସକାଳୁ କୁଆଡ଼େ ଯାଇଛନ୍ତି, ଆଜି ଖାଇବା ପାଇଁ ସୁଦ୍ଧା ଆସିନାହାନ୍ତି । କିନ୍ତୁ ନବୀନବାବୁ ତାଙ୍କୁ ଅପେକ୍ଷା କରି ରହିଲେ । ସେହି ସମୟତକ ସେ ମନେ ପକାଇଲେ ଏହି ସନ୍ନ୍ୟାସୀପ୍ରତିମ ମଣିଷଟି ବିଷୟରେ । ଯାହାର ଘର ନାହିଁ, ସଂସାର ନାହିଁ, ହେଲେ ସେ ନିଜକଥା ନ ଭାବି କେତେ କାନ୍ଦିପାରେ ଦେଶର ଦୁଃଖୀ ଦରିଦ୍ରଙ୍କ ପାଇଁ । ତାଙ୍କର ମନେପଡ଼ିଲା ସେ ଯାହା କହିଥିଲେ ଦିନେ । କହିଥିଲେ, “ପରାଧିନତା ଯେ କେବଳ ଆମର ଶତ୍ରୁ ତା’ ନୁହେଁ । ହାକିମଠାରୁ ଆରମ୍ଭ କରି ଭୋକିଲା ଗରିବ ସମସ୍ତେ ଏହି ଦେଶର ଲୋକ, ସମସ୍ତେ ଆମର ଭାଇ, ଅଥଚ କେହି କାହା ମୁହଁକୁ ଅନାଉ ନାହାନ୍ତି । ଏହି ନିର୍ଜୀବତାର ସୁବିଧା ପାଇ ଲୁଣା ମାଟିରେ ନଡ଼ିଆ ଗଛ ବଢ଼ିଲା ଭଳି ଯେତେ ଅତ୍ୟାଚାର ମୁଣ୍ତ ଟେକି ରହିଛନ୍ତି ଓ ବଢ଼ି ଚାଲିଛନ୍ତି, ଓ ତା’ ଫଳରେ ନିର୍ଜୀବତା ମଧ୍ୟ ବଢ଼ି ଚାଲିଛି । ଏ ଏକ ଗୋଲକ ଧନ୍ଦା । ତା’କୁ କାଟିବା ପାଇଁ କର୍ମଠ ଦେଶ ସେବକ ଦରକାର… ।”

 

ଏହିପରି ଚିନ୍ତାରେ ନିମଗ୍ନ ଥିଲାବେଳେ ‘କି ନବୀନ, କୁଆଡ଼େ ?’ ବୋଲି ସ୍ଵର, ଶୁଣାଗଲା । ସେଇଠୁଁ ସାମାନ୍ୟ କୁଶଳ ସମ୍ଭାଷଣର ଆଦାନପ୍ରଦାନ ପରେ ପ୍ରକାଶ ଗମ୍ଭୀର ହୋଇ କହିଲେ, “ନବୀନ, ଯେଉଁ ସମୟର ପ୍ରତୀକ୍ଷା ମୁଁ କରୁଥିଲି, ସେ ସମୟ ଆସିଛି । ମହାତ୍ମାଗାନ୍ଧୀ ଏକ ପ୍ରବଳ ଜନ-ଆନ୍ଦୋଳନ ସୃଷ୍ଟି କରିବାକୁ ଯାଉଛନ୍ତି, ଯାହାଫଳରେ ଶତବର୍ଷର ନିଷ୍ପେଷିତ ଜନତା ମନରେ ଆଶାର ସଞ୍ଚାର ହେବ… ଏଥିପାଇଁ ତୁମେ ଓ ତୁମର ବନ୍ଧୁମାନେ ପ୍ରସ୍ତୁତ ତ ?”

 

ନବୀନ ଏହି ଆନ୍ଦୋଳନ ବିଷୟରେ କିଛି ଶୁଣିଥିଲେ ଏଥିପୂର୍ବରୁ । କିନ୍ତୁ ବର୍ତ୍ତମାନ ପ୍ରକାଶଙ୍କ ଆହ୍ଵାନମୂଳକ ସନ୍ଦେଶରେ ସେ ଅଭିଭୂତ ହୋଇପଡ଼ିଲେ । ସେଇଠୁଁ ସେ ଚିନ୍ତାକୁଳ ଦୃଷ୍ଟିରେ ପ୍ରକାଶଙ୍କ ଆଡ଼କୁ ଅନେଇ କହିଲେ “ଅବଶ୍ୟ । ତାହାହିଁ ତ ମୋ ଜୀବନର ଆଦର୍ଶ ।”

 

(୧୦)

 

କିଛିଦିନ ପରେ ଭାରତବ୍ୟାପୀ ଏକ ଆନ୍ଦୋଳନ ଆରମ୍ଭ ହେଲା ଯେ ଇଂରେଜ ସରକାରଙ୍କ ସହିତ ଅସହଯୋଗ କରିବାକୁ ହେବ । ତାଙ୍କର ସ୍କୁଲ, ତାଙ୍କର କଚେରି, ତାଙ୍କର ପଦବି, ସବୁ ଛାଡ଼ିବାକୁ ହେବ । ଖାସ୍‍କରି ଛାତ୍ରମାନଙ୍କୁ କୁହାଯାଉଛି ସ୍କୁଲ କଲେଜ ଛାଡ଼ି ବାହାରି ଆସିବା ପାଇଁ । ଏହି ଅବସ୍ଥାରେ ‘ବୀର ସମାଜ’ର ନେତା ମହେନ୍ଦ୍ରବାବୁ କଅଣ କରିବେ ବୋଲି ବୁଝିପାରିଲେ ନାହିଁ । ବଡ଼ ଓକିଲ ହେବେ, ସଭାସମିତିରେ ଭଲ ବକ୍ତୃତା ଦେବେ, ପତ୍ରପତ୍ରିକାରେ ସୁନ୍ଦର ଲେଖାମାନ ଲେଖିବେ, ନିଜର ମନୋମତ ସଙ୍ଗିନୀଟିଏ ପାଇ କଟକ ସହରରେ କୋଠାଟିଏ ତୋଳି ରହିବେ, ତା ସାଙ୍ଗକୁ ଜଣେ ଦେଶଭକ୍ତ, ସମାଜ ସୁଧାରକ ଏବଂ ଯୁଗ ପ୍ରବର୍ତ୍ତକ ବୋଲି ତାଙ୍କର ଡିଣ୍ତିମ ବାଜୁଥିବ–ଏହି ଥିଲା ତାଙ୍କର ସ୍ଵପ୍ନ । କିନ୍ତୁ କାହୁଁ ଏଇ ବନ୍ୟା ଆସି ତା’କୁ ନଷ୍ଟ କରି ଦେବାକୁ ବସିଛି ବୋଲି ତାଙ୍କର ମନେହେଲା । ଏଣେ ଏହି ବନ୍ୟାର ପ୍ରବାହରୁ ଦୂରେଇ ଗଲେ ସେ କଣ ଜଣେ ନଗଣ୍ୟ, ନିନ୍ଦିତ, ଏବଂ ଜନସାଧାରଣଙ୍କ ମଧ୍ୟରେ ଜଣେ ହୋଇ ଜୀବନ ଅତିବାହିତ କରିବେ ? ଏହି ଦ୍ଵନ୍ଦ୍ୱରେ ପଡ଼ି ସେ ବ୍ୟତିବ୍ୟସ୍ତ ହୋଇଉଠୁଥାଆନ୍ତି ।

 

ପ୍ରକାଶଙ୍କ ପ୍ରରୋଚନାରେ ‘ବୀର ସମାଜ’ର ଗୋଟିଏ ବୈଠକ ଡକା ହେଲା, ଯେଉଁଥିରେ ପ୍ରକାଶ ମଧ୍ୟ ଯୋଗ ଦେଇଥିଲେ । ଆଲୋଚନାର ବିଷୟ ଥିଲା ଯେ ‘ବୀର ସମାଜ’ ଏହି ଆନ୍ଦୋଳନରେ ଯୋଗ ଦେବ କି ନାହିଁ । ମହେନ୍ଦ୍ରବାବୁ ଆପତ୍ତି ଉଠାଇଲେ ଯେ ଆମର ଦେଶ ପ୍ରତି ଯେଭଳି କର୍ତ୍ତବ୍ୟ ଅଛି, ଆମ ସମାଜ ଏବଂ ବାପମାଆଙ୍କ ପ୍ରତି ସେହିଭଳି କର୍ତ୍ତବ୍ୟ ଅଛି । ତେଣୁ ସେ ପରାମର୍ଶ ଦେଲେ ଯେ ଏ ସମସ୍ତ ବିବେଚନା କରି କିଛିଦିନ ଅପେକ୍ଷା କରି ଦେଖିଲେ ଭଲହେବ । ସେଇଠୁଁ ପ୍ରକାଶ ସମସ୍ତଙ୍କ ଆଡ଼କୁ ଅନାଇ ଗମ୍ଭୀର ଭାବରେ କହିଲେ, “ଅପେକ୍ଷା କରିବାର ଅର୍ଥ ହେଉଛି ନିଜେ କିଛି ନିଶ୍ଚୟ ନ କରିବା । ସୁଅରେ ଘାସକୁଟା ପରି ଭାସିଯିବା, ଭାଗ୍ୟ ବୋଲି ଧରିନେବା । କିନ୍ତୁ ଏହା ତ ପୁରୁଷର କାମ ନୁହେଁ… ।” ଏହି ମର୍ମରେ ସେ ସେମାନଙ୍କୁ ଆହ୍ଵାନ କଲେ ଏହି ନୂତନ ସୂର୍ଯ୍ୟର ଆଲୁଅରେ ନିଜକୁ ପଖାଳି ଦେବାପାଇଁ । କିଛିକ୍ଷଣ ପରେ ନବୀନ କହିଲେ, “ମୁଁ ମୋର ସିଦ୍ଧାନ୍ତ ଜଣାଇ ଦେଉଛି । ଆପଣମାନେ ଯାହା କରନ୍ତୁ ପଛେ, ମୁଁ ପଢ଼ାପଢ଼ି ଛାଡ଼ି ଏହି ଆନ୍ଦୋଳନରେ ଯୋଗ ଦେବି ।” ଅନ୍ୟମାନେ ନୀରବ ରହିଲେ । ଏହି ବୈଠକରେ ହିଁ ‘ବୀର ସମାଜ’ର ଅବସାନ ହେଲା । ନଦୀର ବଢ଼ିରେ ବନ୍ଧ ପାଖର ଏହି ଘରଟି ପ୍ରଥମେ ଭାଙ୍ଗିଗଲା ।

 

(୧୧)

 

ସାରା ଦେଶରେ ଯେଉଁ ପ୍ରବଳ ଝଞ୍ଜାର ସୃଷ୍ଟି ହେଲା ୧୯୨୧ମସିହାରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ଵରେ, ସେଥିରେ ଅଗଣିତ ଲୋକଙ୍କ ଜୀବନରେ କେତେ କଣ ଓଲଟ ପାଲଟ ହୋଇଗଲା । ସେମାନଙ୍କ ମଧ୍ୟରେ ମହେନ୍ଦ୍ରବାବୁ ଜଣେ । ଭାଙ୍ଗି ପଡ଼ୁଥିବା ଅଭିଳାଷକୁ ଧରି ବାନ୍ଧି ରଖିବା ପାଇଁ ସେ ଯେତେ ତତ୍ପର ହେଉଥାଆନ୍ତି, ତାଙ୍କର ସେତିକି ରାଗ ଆସୁଥାଏ ବର୍ତ୍ତମାନର ଏହି ପରିସ୍ଥିତି ଉପରେ । ବିଶେଷତଃ ଏଇଥିପାଇଁ ଯେ କଲେଜର କି ଛାତ୍ର କି ଅଧ୍ୟାପକ ସମସ୍ତଙ୍କ ଆଖି ମହେନ୍ଦ୍ରବାବୁଙ୍କ ଉପରେ, ଯେ ଏଇ ଯୁବନେତା ଜଣକୁ କେବେ ଝାସ ଦେବେ ଏହି ମୁକ୍ତି ସଂଗ୍ରାମରେ ।

 

ମନର ଏହିପରି ଅବସ୍ଥାରେ ତାଙ୍କର ବାପା ଆସି ହଠାତ୍ ଦିନେ ପହଞ୍ଚିଗଲେ ତାଙ୍କ ପାଖରେ । ଇତିମଧ୍ୟରେ ତାଙ୍କୁ ଗୋଟିଏ ଚିଠି ମିଳିଥିଲା ଜିଲ୍ଲା ମାଜିଷ୍ଟ୍ରେଟଙ୍କଠାରୁ । ସେଥିରେ ଲେଖାଥିଲା ଯେ ତାଙ୍କ ପୁଅ ଏକ ସରକାର ବିରୋଧୀ ଆନ୍ଦୋଳନରେ ଯୋଗ ଦେବା ପାଇଁ ଉଦ୍ୟତ, ଏବଂ ସାବଧାନ କରି ଦିଆ ଯାଇଥିଲା ଯେ ସେ ତାଙ୍କ ପୁଅକୁ ଆୟତ୍ତରେ ରଖନ୍ତୁ, ନଚେତ ପୁଅର ଭବିଷ୍ୟତ ଛଡ଼ା ତାଙ୍କ ନିଜ ଉପରେ ମଧ୍ୟ ବିପଦ ଆସିବାର ସମ୍ଭାବନା । ସେ ଏହି ଚିଠିଟିକୁ ପୁଅର ହାତକୁ ବଢ଼ାଇ ଦେଇ କହିଲେ କ୍ରୁଦ୍ଧ ସ୍ଵରରେ, “ଏ କଅଣ ? ପାଠ ପଢ଼ିବା ପାଇଁ ଏଠି ଅଛୁ, ନା ବଜାରିଙ୍କ ସାଙ୍ଗରେ ବଜାରିଗିରି କରିବା ପାଇଁ ଅଛୁ ?” ମହେନ୍ଦ୍ରବାବୁ ଚିଠିକୁ ପଢ଼ୁଥିଲାବେଳେ ମଧ୍ୟ ସେ କହି ଚାଲିଥିଲେ, “ମୁଁ ଜଣେ ଡେପୁଟି । ତୁ ଡେପୁଟିର ପୁଅ ହୋଇ ତୋ ନାଆଁରେ ଏଇ ରିପୋର୍ଟ ! ଆଉ ବର୍ଷ ଖଣ୍ତକ ପରେ ତୋର ଚାକିରି ଥୁଆ, ମୁଁ ସେଥିପାଇଁ କୁହାକୁହି କରୁଥିଲି, ଏତିକିବେଳେ ଏଇ ରିପୋର୍ଟ । ଏଥିରେ ତୋ ଜୀବନ ମାଟି ଓ ମୋର ମଧ୍ୟ ବିପଦ ।” ସେହିଦିନ ସେ ମହେନ୍ଦ୍ରବାବୁଙ୍କୁ ନେଇ ପୋଲିସ୍ ଇନ୍‍ସପେକ୍ଟର ଓ ଜିଲ୍ଲା ମାଜିଷ୍ଟ୍ରେଟ୍‍ଙ୍କ ସାଙ୍ଗରେ ଦେଖାକଲେ, ଓ ତାଙ୍କୁ ବୁଝାଇଦେଲେ ଯେ ତାଙ୍କ ପୁଅ ନିର୍ଦ୍ଦୋଷ । ସେଇଠୁଁ ସେ ମହେନ୍ଦ୍ରବାବୁଙ୍କ ନାଆଁ କଟକ କଲେଜରୁ ଉଠେଇ ନେଲେ ଓ ନିଜ ସାଙ୍ଗରେ ନେଇଗଲେ ତାଙ୍କ ଚାକିରି ଜାଗାକୁ । ଏହି ଘଟଣା ହେତୁ ମହେନ୍ଦ୍ରବାବୁଙ୍କ ମନୋବଳ ଏମିତି ଭାଙ୍ଗିଗଲା, ଯେ ତାହା ଆଉ ମରାମତି ହୋଇପାରିଲା ନାହିଁ ।

 

(୧୨)

 

ଜନାର୍ଦନବାବୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପାଖରୁ ଯେପରି ପତ୍ର ପାଇଥିଲେ, ରାମହରିବାବୁ ମଧ୍ୟ ସେହିପରି ଖଣ୍ତେ ପାଇଥିଲେ । କିନ୍ତୁ ତାଙ୍କ ପୁଅକୁ ଚାକିରିରେ ଭର୍ତ୍ତି କରିବା ତ ତାଙ୍କ ଉଦ୍ଦେଶ୍ୟ ନଥିଲା, ତେଣୁ ସେ ବେଶି ବିଚଳିତ ହେଲେ ନାହିଁ । ତାଙ୍କ ମନରେ କେବଳ ଗୋଟିଏ ଭୟ ଥିଲା, ପୁଅର ପୂର୍ବ ଚିଠି ପାଇଲା ପରେ, ଯେ ବାହା ହେବାକୁ ନ ଚାହିଁବାର ଅର୍ଥ ସେ ଗୃହତ୍ୟାଗୀ ହୋଇଯିବ । ବର୍ତ୍ତମାନ ମାଜିଷ୍ଟ୍ରେଟଙ୍କ ଚିଠି ତାଙ୍କୁ ଗୋଟାଏ ବାଟ ଦେଖାଇଲା । ସେ ସେହି ଚିଠିର ଉଲ୍ଲେଖ କରି କଟକକୁ ଲୋକ ପଠେଇଲେ ତାଙ୍କୁ ଡାକି ଆଣିବା ପାଇଁ । କିନ୍ତୁ ସେତେବେଳକୁ ନବୀନ କଲେଜ ପଢ଼ା ଛାଡ଼ିଦେଇ ପୂରାପୂରି ଅସହଯୋଗ ଆନ୍ଦୋଳନରେ ମାତିଗଲେଣି । ସଭା, ଶୋଭାଯାତ୍ରା, ବିଦେଶୀ ଲୁଗା ଦୋକାନ ଆଗରେ ଧାରଣା ଦେବା, ଇତ୍ୟାଦି ସମସ୍ତ ଆନ୍ଦୋଳନସୂଚକ କାମ ଆପେ ଆପେ ଗଢ଼ି ହୋଇ ଯାଉଥାଏ, ଏବଂ ସେଥିରେ ସେ ନିଜକୁ ଅନାୟାସରେ ମିଶେଇ ଦେଇ ପରୁଥାଆନ୍ତି । ଏହି ସମୟରେ ବାପାଙ୍କ ଡାକରା ତାଙ୍କ ପାଖରେ ପହଞ୍ଚିଲା । ତାଙ୍କର ଭରସା ନଥିଲା ଯେ ବାପା ତାଙ୍କୁ ଅନୁମତି ଦେବେ ଏହି ଆନ୍ଦୋଳନରେ ଯୋଗଦେବା ଲାଗି । ତେଣୁ ସେ କ’ଣ କରିବେ ବୋଲି ଭାବିହେଲେ । ପ୍ରଥମେ ଭାବିଲେ ବାପାମାଆଙ୍କୁ ଦେଖାକରି, ସବୁକଥା ବୁଝେଇଦେଇ ତାଙ୍କଠାରୁ ବିଦାୟନେଇ ଆସିବା ହିଁ ତାଙ୍କର କର୍ତ୍ତବ୍ୟ । କିନ୍ତୁ ପରେ ଚିଠି ଦ୍ଵାରା ହିଁ ସବୁକଥା ଭଲଭାବରେ ବୁଝେଇ ଦେଇହେବ ବୋଲି ଭାବିଲେ । ଏହି ସମୟରେ ରାମହରିବାବୁ ନିଜେ ଆସି ପହଞ୍ଚିଗଲେ ସେଠି ।

 

ରାମହରିବାବୁଙ୍କର ଏମିତି ହଠାତ୍ ଆସି ପହଞ୍ଚିଯିବାର କାରଣ ହେଉଛି ଏଇ ଯେ ପୁଅ ଗାନ୍ଧୀ ଗୋଳରେ ପଶି ଯେଉଁସବୁ କାମ କରୁଥିବାର ଖବର ତାଙ୍କ କାନକୁ ଆସିଲାଣି, ସେଥିରେ ତାଙ୍କର ଭୟ ଯେ ସରକାର ଜମିଦାରୀ ଛଡ଼େଇ ନେଇ ପାରନ୍ତି, ଏବଂ ପୁଅକୁ ମଧ୍ୟ ଜେଲରେ ଭର୍ତ୍ତି କରିଦେଇ ପାରନ୍ତି । ସେ ପୁଅର କୌଣସି ଆପତ୍ତି ନ ଶୁଣି, ତାକୁ ତତ୍‍କ୍ଷଣାତ୍ ତାଙ୍କ ସାଙ୍ଗରେ ବାହାରି ଆସିବାକୁ ଆଦେଶ ଦେଲେ । ଅଗତ୍ୟା ନବୀନ ବାପାଙ୍କ ପଛେ ପଛେ ଆସି ଗାଆଁରେ ପହଞ୍ଚିଲେ । ରାମହରି ବାବୁ ପ୍ରଥମ ଦିନେ ଦି’ଦିନ ଚୁପ୍ ରହିଲେ । କିନ୍ତୁ ପରେ ଯଥାକ୍ରମେ ସେ ପୁଅକୁ ନାନାଦି ଉପଦେଶ ଦେବାକୁ ଲାଗିଲେ–“ଆମର କଅଣ ନାହିଁ ? ଆମର ଯେତିକି ପଢ଼ା ହେଲା ସେତିକି, ଏଣିକି ଘରେ ରହି ଘରକରଣା ବୁଝିବା ଉଚିତ । ଗୁଡ଼ାଏ କୁହାଳିଆ ଚଗଲା ଲୋକଙ୍କ ସାଙ୍ଗରେ ପଡ଼ି ହୋ’ ହୋ’ ହୋଇ ମାତିଲେ କ’ଣ ଇଂରେଜ ରାଜୁତି ଚାଲିଯିବ ? ଆଉ ସେସବୁ କ’ଣ କୌଣସି ଜମିଦାର ପିଲାର କରିବା ଉଚିତ ? ଜମିଦାରୀ ତ ଅଛି ସେଇ ଇଂରେଜ ରାଜୁତି ଯୋଗୁଁ, ସେତିକି ଛଡ଼େଇ ନିଆହେଲେ ମାନ ତ ଯିବ, ଆମକୁ ମୂଲ ମଜୁରି ଲାଗି ଚଳିବାକୁ ପଡ଼ିବା !” ଇତ୍ୟାଦି ? ନବୀନ ବାପାଙ୍କ କଥା ଚୁପ୍ ହୋଇ ଶୁଣନ୍ତି ଏବଂ ଦୀର୍ଘନିଃଶ୍ଵାସ ପକାଇ ଭାବନ୍ତି–ଜୀବନ କ’ଣ ଜମିଦାରୀ ପାଇଁ ସୃଷ୍ଟି ହୋଇଛି ? ହେଲେ ତାଙ୍କ ମନକଥା ମନରେ ରହିଯାଏ । କାରଣ ବାପାଙ୍କୁ ଓଲଟେଇ କହିବାର ଅଭ୍ୟାସ ଓ ସାହସ ନଥିଲା ତାଙ୍କ ପାଖରେ ।

 

(୧୩)

 

ସଂସାର ପରିଚାଳନା କରି ରାମହରି ଯେତିକି କର୍ମକୌଶଳ ଶିଖିଛନ୍ତି, ତା’କୁ ସବୁ ସେ ନବୀନଙ୍କ ପଛରେ ଲଗାଇଲେ, ଯେମିତିକି ପୁଅ ବୈରାଗ୍ୟ ଛାଡ଼ି ଘରକରଣା କରିବ । କିନ୍ତୁ କ୍ରମଶଃ ତାଙ୍କ ମନରେ ଏହି ଦୃଢ଼ ଧାରଣା ହେଲା ଯେ ପୁଅକୁ ବାହା କରିଦେବାହିଁ ଏକମାତ୍ର ଉପାୟ ତା’କୁ ସିଧା ବାଟକୁ ଆଣିବା ଲାଗି ।

 

ଇତିମଧ୍ୟରେ ଟଙ୍କା ସଜିଲ୍ ନ କରିପାରିବାରୁ ସନାତନ ଖବର ଦେଇଥିଲେ ଯେ ଯେଉଁ ଦିନ ଧାର୍ଯ୍ୟ ହୋଇଥିଲା, ତା’କୁ ଘୁଞ୍ଚେଇ ଦିଆଯାଉ । ତାଙ୍କ ଅନୁରୋଧ ଅନୁଯାୟୀ ବାହାଘର ତାରିଖ ପନ୍ଦର ଦିନ ଘୁଞ୍ଚାଇ ଦିଆଯାଇଛି । ଜମିଦାର ଘର ବାହାଘର, ଆୟୋଜନରେ ଊଣା ନାହିଁ ସେହେତୁ ନବୀନଙ୍କର ଜାଣିବାକୁ ବାକି ରହିଲା ନାହିଁ ଯେ ଅବିଳମ୍ଵେ ତାଙ୍କ ବାହାଘର ହେବ, ମାତ୍ର ତାଙ୍କୁ ସେ ବିଷୟରେ କେହି କହିବା ଦରକାର ବୋଲି ମନେକରୁ ନାହାନ୍ତି । ବିବାହର ଆୟୋଜନ ବଢ଼ିବା ସଙ୍ଗେ ସଙ୍ଗେ ତାଙ୍କ ମନର ଅବସାଦ ବଢ଼ି ଚାଲିଥାଏ । କିନ୍ତୁ ଦୁର୍ବଳ ଲୋକ ଯେପରି ନିଜର କାର୍ଯ୍ୟ ସିଦ୍ଧି ପାଇଁ ଦିଅଁ ଦେବତାଙ୍କୁ ଅନାଇ ବସେ, ନବୀନ ସେହିପରି ଭାବୁଥାଆନ୍ତି ଯେ ବାହାଘରଟା କୌଣସି ପ୍ରକାରେ ଭାଙ୍ଗିଯାଆନ୍ତା କି । ହେଲେ ଦୈବ ଭଲା କାହିଁକି କେଉଁ ଦୁର୍ବଳ ଲୋକର ସାହାଯ୍ୟରେ ଆସିବ ?

 

ଯଥାକ୍ରମେ ନବୀନ ବରବେଶ ସାଜି ପାଲିଙ୍କିରେ ବସିଲେ ଏବଂ ଶୋଭାଯାତ୍ରା କରି କନ୍ୟାଘରେ ପହଞ୍ଚିଲେ । ବାହା ହୋଇଗଲେ ମଧ୍ୟ ସେ କିପରି ଭାବରେ ନିଜ ଜୀବନକୁ ଦେଶର ମୁକ୍ତି ସଂଗ୍ରାମରେ ଖଟାଇ ପାରିବେ, ଏ ଚିନ୍ତା ଧୀରେ ଧୀରେ ତାଙ୍କ ମନକୁ ଆସିଲାଣି, ମାତ୍ର ତା’ର କୌଣସି ଉପାୟ ତାଙ୍କୁ ଦିଶୁନଥିଲା । କନ୍ୟାଘର ଅତି ଗରିବ ଦେଖି ନବୀନଙ୍କ ମନ ଖରାପ ହୋଇଗଲା, କାରଣ ଗରିବଘର ଝିଅ ତା’ର ନାନାପ୍ରକାର କାମନାବାସନା ପୂରଣ କରିବାକୁ ଚାହିଁବ ବୋଲି ତାଙ୍କର ଆଶଙ୍କା ହେଲା । କନ୍ୟାପିତାର କଥାବର୍ତ୍ତାରୁ ସେ ଜଣେ ଗାଆଁ ମାମ୍‍ଲତ୍‍କାର ବୋଲି ମଧ୍ୟ ଜାଣିବାକୁ ବାକି ରହିଲା ନାହିଁ ତାଙ୍କର, ଏବଂ ସେଥିରେ ତାଙ୍କ ମନ ଆହୁରି ଖରାପ ହୋଇଗଲା । ଯଦି ବିବାହ କରିବାର ଥିଲା, ତେବେ ତାଙ୍କ ପାଇଁ ଜଣେ ସମ୍ଭ୍ରାନ୍ତ ଶିକ୍ଷିତା କନ୍ୟା ଠିକ୍ କରିଥିଲେ ହୋଇ ନଥାଆନ୍ତା ? ଏହା ଭାବି ତାଙ୍କର ରାଗ ଆସୁଥିଲା ବାପାଙ୍କ ଉପରେ । ଏଣେ ପ୍ରତିଭା ମଧ୍ୟ ସେହି ଅବସ୍ଥାରେ ଥାଏ । ବାପମାଆ ତଥା ସମାଜ ଉପରେ ରାଗ, କିନ୍ତୁ ମୁହଁ ଖୋଲି କାହାକୁ କିଛି କହିବାର ସାହସ ଓ ଦୃଢ଼ତା ନାହିଁ, ତେଣୁ ସେ ଜଡ଼ପରି କରିଯାଉଥାଏ, ଯାହା ତା’କୁ କରିବାକୁ କୁହାଯାଉଥାଏ ।

 

ଯଥାସମୟରେ ହାତଗଣ୍ଠି ପଡ଼ିଲା, ଏବଂ ‘ଯଥା ରାବଣସ୍ୟ ମନ୍ଦୋଦରୀ…’ ମନ୍ତ୍ର ପଢ଼ାହେଲା । ସେତେବେଳେ ନବୀନ ତାଙ୍କ ଶିରାପ୍ରଶିରାରେ ଏକ ବିଦ୍ୟୁତ୍‍ର ସଞ୍ଚାର ଅନୁଭବ କଲେ । ଏବଂ ତାଙ୍କ ହୃଦୟର କେଉଁ ଏକ ଅଜ୍ଞାତ କୋଣରେ ଏକ ଅସ୍ପଷ୍ଟ ସ୍ଵର ଶୁଣାଗଲା ଯେ ‘ଜୀବନବ୍ୟାପୀ ଏ ତୁମର ସଙ୍ଗିନୀ, ୟା’କୁ ନିଜର କରି ନିଅ ।’ ଏଣେ ପ୍ରତିଭା ମନରେ ମଧ୍ୟ ଏକ ନୂଆ ଅନୁଭୂତିର ସଞ୍ଚାର ହେଲା । ଯେ ଭଲ ହେଉ ମନ୍ଦ ହେଉ, ଜୀବନସାରା ସେ ବନ୍ଧା ହେଲା ଆଉ ଜଣକ ସାଙ୍ଗରେ । ଏବଂ ସେହି ଅସହାୟ ଅବସ୍ଥାରେ ତା’ର ମନ ଢଳିଗଲା ତା’ ସ୍ଵାମୀଙ୍କ ଆଡ଼କୁ ।

 

(୧୪)

 

ବାହାଘର ହୋଇଗଲା । ନବଦମ୍ପତିଙ୍କ ନୂଆ ସଂସାର ଆରମ୍ଭ ହୋଇଗଲା । କିନ୍ତୁ ସୁଖ କାହିଁ ଏ ସଂସାରରେ ? ନାଗସାପକୁ ଧରିଆଣି ପେଡ଼ିରେ ମାଡ଼ି ଯାକି ପୂରେଇଦେଲେ ସେ ଯେପରି ଛଟପଟ ହୁଏ, ନବୀନଙ୍କର ସେହିପରି ଅବସ୍ଥା । ପ୍ରଭେଦ କେବଳ ଏତିକି ଯେ ଏଇ ପେଡ଼ିଟି ତାଙ୍କ ନିଜ ତିଆରି, ଏବଂ ସେ ନିଜେ କେଳା ସାଜିଛନ୍ତି । ଅନ୍ୟଦିଗରେ ପ୍ରତିଭା ନିଜକୁ ଏକ ବିଚିତ୍ର ଅବସ୍ଥାରେ ଦେଖିବାକୁ ପାଉଛି । ତା’ ଶାଶୁ ମାଆଠାରୁ ଏତେ ବେଶୀ ସ୍ନେହୀ ଓ କୋମଳ ହେବେ ବୋଲି ସେ ଭାବି ପାରି ନଥିଲା । ଶାଶୁ ଘରକୁ ଆସିବାର ମାତ୍ର ଦୁଇଦିନ ପରେ ରାମହରିଙ୍କ ସ୍ତ୍ରୀ ଜାହ୍ନବୀ ଦେବୀ ତା’କୁ ଡାକି ଆଣି ପାଖରେ ବସେଇ କହିଲେ ଯେ–“ମାଆ, ତୁ ମୋର ଲକ୍ଷ୍ମୀ ହୋଇ ଆସିଛୁ, ତୋ ମନ ଯେତେବେଳେ ଯାହା ଚାହିଁବ ମାଗିନେବୁ ମୋଠୁଁ । ମୁଁ ତୋରି ପରି ଗୋଟିଏ ଗରିବଘର ଝିଅ, ଆଉ ମୋ ଶାଶୁ ଯେଉଁ ହୀନସ୍ତା କରିଛନ୍ତି ମୋତେ, ତା’ ମୁଁ ଜାଣେ । କିନ୍ତୁ ତୋ ଶାଶୁ ତ ଗରିବଘର ଝିଅ, ତେଣୁ ତୋର ଚିନ୍ତା କଅଣ ? ପୁଣି ନବୀନ ମୋର ସବୁ । ସଂସାର ହାଲ୍ କିଛି ଜାଣେ ନାହିଁ ସେ । ହେଲେ ସେ ଯୁଆଡ଼େ ଯାହା କରୁ, ତୁ ଯଦି ମଙ୍ଗଧରି ଠିକ୍ ଥିବୁ, ତେବେ ନାଆ ଠିକ୍ ଚାଲୁଥିବ ।” କିନ୍ତୁ ଶାଶୁଙ୍କର ଏହିପ୍ରକାର ବ୍ୟବହାର ସାଙ୍ଗକୁ ସ୍ଵାମୀ ତା ପ୍ରତି ଏଭଳି ଉଦାସୀନ ହେବେ ବୋଲି ସେ ଭାବି ନ ଥିଲା । କାରଣ ନବୀନ ତା’ ସାଙ୍ଗରେ ପଦେ ହେଲେ କଥାବର୍ତ୍ତା କରୁନଥିଲେ । ତେଣୁ ସେ ମଧ୍ୟ ତାଙ୍କଠାରୁ ଧୀରେ ଧୀରେ ଆଡ଼େଇ ହୋଇଗଲା ।

 

ଜାହ୍ନବୀ ଦେବୀ ମଧ୍ୟ ଲକ୍ଷ୍ୟ କଲେ ଯେ କ୍ରମାଗତ ଅନେକଦିନ ନବୀନ ଘରକୁ ଶୋଇବାକୁ ଆସୁନାହିଁ କି ପ୍ରତିଭା ସାଙ୍ଗରେ କଥାବାର୍ତ୍ତା କରୁନାହିଁ । ତେଣୁ ଦିନେ ସେ ରାତିରେ ପୁଅକୁ ବାହାର ଘରେ ବସି କଣ ପଢ଼ୁଥିବାର ଦେଖି କହିଲେ, “ନବୀନ, ଘରକୁ ଶୋଇବାକୁ ଆସୁନାହୁଁ ?” ବିରକ୍ତ ହୋଇ ଉଠିପଡ଼ିଲେ ନବୀନ, ଏବଂ କହିଲେ “ତୁ ଯାଆ ଏଠୁଁ, ମୋତେ କିଛି ସୁଖ ଲାଗୁନାହିଁ ।” ମୁଁ କୁଆଡ଼େ ଯିବିନାହିଁ, ଏଇ ଘର ଭିତରେ ପଡ଼ି ପଡ଼ି ମରିବି ।” ଜାହ୍ନବୀ ଦେବୀ ଦୁଃଖ ଓ ବିସ୍ମୟରେ ତା’କୁ ଚାହିଁ ରହିଥାଆନ୍ତି । ତା’ର କଣ ହୋଇଛି ବୋଲି ବୋହୂକୁ ପଚାରିଲାରୁ ସେ ଖାଲି ଶାଶୁଙ୍କ କୋଳରେ ମୁଣ୍ତ ଗୁଞ୍ଜି କାନ୍ଦିବାକୁ ଲାଗିଲା । ତଥାପି ଜାହ୍ନବୀ ଦେବୀ ତା’କୁ ବଳେଇଲେ ପୁଅକୁ ନିଜେ ଯାଇ ଡାକି ଆଣିବା ପାଇଁ । କିନ୍ତୁ ପ୍ରତିଭା ଯେତେବେଳେ ଶାଶୁଙ୍କ କଥା ମାନିଗଲା ସେଠିକି, ନିଜର ମାନ ଅଭିମାନ ଭୁଲିଯାଇ, ନବୀନ ତା’କୁ ଦେଖିଲା କ୍ଷଣି ଉତ୍ତ୍ୟକ୍ତ ହୋଇଉଠିଲେ । କହିଲେ, “ଏଠିକି କାହିଁକି ଆସିଲୁ ? ଖାଇବୁ ମୋତେ? ଯା–ଏଠୁଁ ।”

 

ପ୍ରତିଭା ଅତି ଅପଦସ୍ଥ, ମ୍ରିୟମାଣ, ଏବଂ କ୍ରୁଦ୍ଧ ହୋଇ ଫେରିଆସିଲା ସେଠୁଁ । ଏବଂ ନିଜ ବିଛଣାରେ ପଡ଼ି କାନ୍ଦିବାକୁ ଲାଗିଲା । ଜାହ୍ନବୀ ଦେବୀ ମଧ୍ୟ ଲୁହ ଝରାଇଲେ, ଏବଂ ବୁଝିପାରିଲେ ନାହିଁ ପୁଅ ଏମିତି ପାଗଳାଙ୍କ ପରି କାହିଁକି ହେଉଛି ।

 

(୧୫)

 

ନବୀନ ସେଦିନ ରାତିସାରା ଶୋଇ ନାହାଁନ୍ତି । ବର୍ତ୍ତମାନର ପରିସ୍ଥିତିରେ ତାଙ୍କର କର୍ତ୍ତବ୍ୟ କଅଣ ସେ ବିଷୟରେ ଭାବିଭାବି ତାଙ୍କ ଆଖିକୁ ନିଦ ଆସିଲା ନାହିଁ । ପ୍ରକାଶଙ୍କ କଥା ମନେ ପଡ଼ିଗଲା । କହିଲେ, “ଯାହା ଠିକ୍ ବୋଲି ଭାବିବ, ତା’କୁ ବାପମାଆଙ୍କ ବିରୋଧରେ ଛିଡ଼ାହୋଇ କରିପାରିବ ତ ?” ଠିକ୍ କଥା । ବିରୋଧ ଅନିବାର୍ଯ୍ୟ । କାରଣ ପୁରାତନ ସହିତ ନୂତନର ସଂଘର୍ଷ ନହେଲେ ବିପ୍ଳବ ଶବ୍ଦର କିଛି ଅର୍ଥ ନାହିଁ । ମାଆ ପେଟରୁ ପିଲାଟିଏ ଜନ୍ମ ହେବା ମଧ୍ୟ ଏହି ସଂଘର୍ଷର ସ୍ଵରୂପ ଓ ପରିଣାମ । ଏଣେ ପ୍ରତିଭାର ସୌନ୍ଦର୍ଯ୍ୟ ଓ ସଦ୍‍ବ୍ୟବହାର ଯେ ତାଙ୍କ ମନକୁ ଛୁଇଁନଥିଲା, ତା’ ନୁହେଁ । କିନ୍ତୁ ସେ ଧରି ନେଇଥିଲେ ଯେ ବିପ୍ଳବ ଓ ବିବାହିତ ଜୀବନ ଏ ଦୁଇଟି ପରସ୍ପର ବିରୋଧୀ ବିଷୟ । ତା’ଛଡ଼ା ସେ ଭାବିଲେ ଯେ ତାଙ୍କ ବିନା ତାଙ୍କ ସ୍ତ୍ରୀର ଚଳିବାରେ କିଛି ଅସୁବିଧା ହେବନାହିଁ । ତେଣୁ ତା’କୁ ଛାଡ଼ିକରି ଗଲେ ତା’ର କିଛି କ୍ଷତି ହେବନାହିଁ, ଏହିପରି ଭାବରେ ସେ ସମସ୍ତ ବିଷୟକୁ ପରିଷ୍କାର ଭାବରେ ଭାବି ନେଇ ସ୍ଥିର କଲେ ଯେ ସେ ଘରୁ ଚାଲିଯିବେ । କିନ୍ତୁ କାଳେ ବାପାଙ୍କ ସାମ୍ନାକୁ ଆସିଲେ ତାଙ୍କର ଦୁର୍ବଳତା ପ୍ରକାଶ ପାଇବ, ତେଣୁ ଭାବିଲେ ସେ ରାତାରାତ୍ ଘରଛାଡ଼ି ଯିବାହିଁ ଶ୍ରେୟ । ସେଇଠୁଁ ଦିନେ ରାତି ଘଡ଼ିଏ ଖଣ୍ତେ ଅଛି, ସେ ଖଣ୍ତେ ଲୁଗା, ଖଣ୍ତେ ଚାଦର, ଏବଂ ଯେଉଁ କେତୋଟି ଟଙ୍କା ପାଖରେ ଥିଲା, ତା’କୁ ନେଇ ଘରୁ ବାହାରି ଚାଲିଗଲେ ।

 

ପରଦିନ ସକାଳେ ଯେତେବେଳେ ଜଣାଗଲା ଯେ ନବୀନ ଘରେ ନାହାନ୍ତି କି କେଉଁଠି ଦେଖାଯାଉ ନାହାନ୍ତି, ରାମହରି ରାଗ ଓ ଦୁଃଖରେ କ’ଣ କରିବେ ବୋଲି ବୁଝିପାରିଲେ ନାହିଁ । ନିଜ ସ୍ତ୍ରୀ ଓ ବୋହୂଙ୍କ ଉପରେ ରାଗ ଆସିଲା । ତେବେ ତାଙ୍କ ବୈଷୟିକ ଜ୍ଞାନ ତାଙ୍କୁ କହୁଥାଏ ଯେ ପୁଅ ପାଗଳ ହୋଇ ନାହିଁ କି ସେ ଆତ୍ମହତ୍ୟା କରିବା ପିଲା ନୁହେଁ । ସେ ସେହି ଗାନ୍ଧୀ ଦଳରେ ମାତିବା ପାଇଁ ଯାଇଛି । କିଛି କ୍ଷତି ନାହିଁ । ଭାବିଲେ ଯେ ଜମିଦାରୀ ଉପରେ ଆଞ୍ଚ ଆସିଲେ ସେ ନବୀନକୁ ତ୍ୟଜ୍ୟ ପୁତ୍ର କରିଦେବେ । ଆଉ ଯଦି ଆଞ୍ଚ ନ ଆସେ, ସେ ବୁଲୁଥାଉ କୁଆଡ଼େ ବୁଲିବ ।

 

ପ୍ରତିଭା ଅତି ସଙ୍କୁଚିତ ହୋଇଗଲା । କାଳେ ଲୋକେ କହିବେ ଯେ ତା’ରି ଯୋଗୁଁ ଏ ବିପଦ ଘଟିଲା । ତା’ ସାଙ୍ଗକୁ ତା’ ନିଜ ମନରେ ଅବସାଦ ଆସିଲା ଯେ ଫୁଲଟିଏ ତୋଳିବାକୁ ଯାଇ ଡେମ୍ଫରେ ହାତ ଦେବା ମାତ୍ରକେ କଣ୍ଟା ଫୋଡ଼ି ହୋଇଗଲା । ହେଲେ ଜାହ୍ନବୀ ଦେବୀ ତା’ର ବରାବର କହୁଥାଆନ୍ତି ଯେ ମୋ ପୁଅ ଖରାପ କାମ କରିବ ନାହିଁ କେବେହେଲେ । ତା’ ମନଟା ହାରିଯାଇଛି କୌଣସି କାରଣରୁ । ସେ କୁଆଡ଼େ ଯାଇଛି, ଫେରିଆସିବ । ବୋହୂ ଯେତେବେଳେ ମୋର ଅଛି, ପୁଅ ନିଶ୍ଚେ ଆସିବ ।

 

(୧୬)

 

ନବୀନ ଘର ଛାଡ଼ିଛନ୍ତି ଓ ରେଳ ଷ୍ଟେସନରେ ପହଞ୍ଚିଛନ୍ତି, ଏହା ଭିତରେ ତାଙ୍କୁ ଆଉ କିଛି ଜଣା ନାହିଁ । ସେ ଖାଲି ମନେ ମନେ ବାପାଙ୍କ ଉପରେ ପ୍ରତିଭା ଉପରେ, ତଥା ନିଜ ଉପରେ ରାଗୁଥିଲେ । ହେଲେ ନିଜ ଜୀବନର ଏକ ଉଜ୍ଜ୍ଵଳ ଭବିଷ୍ୟତର କଳ୍ପନା ଏହି ଗତିକୁ ବେଳେବେଳେ ଶୀତଳ କରି ଦେଉଥାଏ । ରେଳରେ ତୃତୀୟ ଶ୍ରେଣୀରେ ଚିନ୍ତାକୁଳ ଭାବରେ କେତେ ଘଣ୍ଟା କଟାଇ ଦେଇ ସେ କଟକ ଷ୍ଟେସନରେ ପହଞ୍ଚିଲେ । ଟିକଟ୍‍ କିଣି ସାରିଲା ପରେ ପାଖରେ ଯାହା ପଇସା ଅଛି ଏଇକ୍ଷଣି ସେଥିରେ ଘୋଡ଼ାଗାଡ଼ି ଭଡ଼ା ଦେଇହେବ ନାହିଁ । ତା’ଛଡ଼ା ଖଣ୍ତେ ଘୋଡ଼ାଗାଡ଼ି ମଧ୍ୟ ଦେଖିବାକୁ ମିଳୁନାହିଁ । ତେଣୁ ସେ ଚାଲି ଚାଲି ସ୍ଵରାଜ ଆଶ୍ରମ ପର୍ଯ୍ୟନ୍ତ ଆସିଲେ । ବାଟରେ ଦେଖିଲେ ଯେ ଦୋକାନ ବଜାର ସବୁ ବନ୍ଦ । ସହର ନୀରବ, ନିଷ୍ପନ୍ଦ । ଠାଏ ଠାଏ ପୁଲିସ୍ କନଷ୍ଟେବଳ ଦୋକାନୀମାନଙ୍କୁ ଦୋକାନ ଖୋଲିବା ପାଇଁ ଧମକଚମକ ଦେଉଥାଆନ୍ତି, ହେଲେ କେହି ସେ ଧମକରେ ଶଙ୍କି ଯାଉ ନଥାନ୍ତି ।

 

ଏହିସବୁ ଦୃଶ୍ୟ ଦେଖି ତାଙ୍କ ଛାତି ଫୁଲି ଉଠୁଥାଏ । ସେ ମନେ ମନେ ଭାବୁଥାଆନ୍ତି ଯେ ବାସ୍ତବିକ୍ ୧୮୫୭ ସାଲର ସିପାହି ବିଦ୍ରୋହ ପରେ ୧୯୨୧ ସାଲର ଅସହଯୋଗ ଆନ୍ଦୋଳନ ହିଁ ଭାରତର ଦ୍ଵିତୀୟ ସ୍ୱାଧୀନତା ସଂଗ୍ରାମ । କିନ୍ତୁ ସେତେବେଳେ କେବଳ କେତେକ ରାଜା, ନବାବ ଓ ସେମାନଙ୍କ ସୈନ୍ୟମାନେ ବିଦ୍ରୋହ କରିଥିଲେ, ଏଥର ଦେଶସାରା ସମସ୍ତେ ବିଦ୍ରୋହୀ । ସେ ଭାବୁଥାଆନ୍ତି କିପରି ସେ ନିଜେ ଏଇ ବିପ୍ଳବରେ ନିଜର ସମସ୍ତ ଶକ୍ତି ଓ ସମସ୍ତ ଉତ୍ସାହ ଦାନ କରିପାରିବେ ।

 

ଆଶ୍ରମରେ ପହଞ୍ଚି ଜାଣିଲେ ଯେ ପ୍ରକାଶ ସେଠିକାର ପରିଚାଳକ । ତାଙ୍କ ମନରେ ଆହୁରି ଉତ୍ସାହ ଆସିଗଲା । ଆଶ୍ରମରେ ପ୍ରାୟ ଦେଢ଼ଶହ ଲୋକ ହାଉଜାଉ ହେଉଛନ୍ତି । ପାଳି ଅନୁସାରେ ଅଫିମଗଞ୍ଜେଇ ଦୋକାନ ଓ ବିଦେଶୀ ଲୁଗା ଦୋକାନ ଆଗରେ ଧାରଣା ଦେବାକୁ ଯାଉଛନ୍ତି । ବାକି ଯେଉଁମାନେ ଅଛନ୍ତି, ସେମାନେ ଉଚ୍ଚ ସ୍ଵରରେ ଜାତୀୟ ସଙ୍ଗୀତ ଗାଉଛନ୍ତି, କିଏ ବା ରୋଷେଇ କରୁଛନ୍ତି । ସମସ୍ତେ ସତ୍ୟାଗ୍ରହୀ, ସଂଗ୍ରାମୀ, ତେଣୁ କାହାରି କୌତୂହଳ ନାହିଁ ଆଉ କାହାର ପରିଚୟ ପାଇବା ଲାଗି । ନବୀନ ପ୍ରକାଶଙ୍କ ସହିତ ସାକ୍ଷାତ୍ କରିବା ପାଇଁ ଉତ୍ସୁକ ଥିଲେ । କିନ୍ତୁ ବୁଝିଲେ ଯେ ସେ ଆଶ୍ରମରେ ପ୍ରାୟ ନ ଥାଆନ୍ତି । ସକାଳୁ ସକାଳୁ ବାହାରି ଯାଆନ୍ତି, ରାତି ନଅଟାରେ ଫେରନ୍ତି । କେଉଁଠି ଖାଆନ୍ତି, କ’ଣ କରନ୍ତି, ତାହା କାହାରିକୁ ଜଣା ନଥାଏ ।

 

(୧୭)

 

ସେଦିନ ପ୍ରକାଶଙ୍କ ଫେରିବାକୁ ପ୍ରାୟ ରାତି ବାରଟା ହେଲା । ପ୍ରକାଶ ନବୀନଙ୍କୁ ଦେଖି ଆନନ୍ଦରେ କୁଣ୍ଢାଇପକାଇ କହିଲେ, “ମୁଁ ତ ତୁମକୁ ଅନାଇ ବସିଥିଲି ।” ତା’ର କିଛି ସମୟ ପରେ କହିଲେ, “ମୁଁ ଯେ ତୁମକୁ ଅନେଇ ବସିଥିଲି, ତାହା କେବଳ ସାଧାରଣ ଅଭ୍ୟର୍ଥନାସୂଚକ କଥା ନୁହେଁ । ତୁମେ ନଆସିଲେ ମୋ କାମ ବୋଧହୁଏ ହୋଇପାରି ନଥାଆନ୍ତା ।” ଏହା ଶୁଣି ନବୀନ ଗଦ୍‍ଗଦ୍ ହୋଇଉଠିଲେ । କି କାମର ଭାର ତାଙ୍କୁ ଦିଆଯିବ, ତା’ ଜାଣିବା ପାଇଁ ଉତ୍ସୁକ ହେଉଥାଆନ୍ତି । ହେଲେ ତା’ ପୂର୍ବରୁ ପ୍ରକାଶ ତାଙ୍କୁ କେତୋଟି ପ୍ରଶ୍ନ ପଚାରିଲେ । ସେହି ପ୍ରଶ୍ନ ଓ ସେଥିର ଉତ୍ତର ଏହିପ୍ରକାର:

 

“ଆଚ୍ଛା ନବୀନ, ତୁମେ ଏଥିରେ ଯୋଗଦେବାରେ କି କି ବାଧା ପାଇଲ ?”

 

“ବାଧା କିଛି ନୁହେଁ, ମୁଁ ତ ଆଗରୁ ଠିକ୍ କରିଥିଲି ।”

 

କିନ୍ତୁ ପ୍ରକାଶଙ୍କର ମନେହେଲା ଏହା ତାଙ୍କର ସମ୍ପୂର୍ଣ୍ଣ ଉତ୍ତର ନୁହେଁ । ତେଣୁ ପଚାରିଲେ:

 

“ନା, ମୋତେ ଲୁଚେଇଲେ ହେବ ନାହିଁ । ମୋତେ ପରିଷ୍କାର କରି ସବୁ କୁହ । ତୁମେ ଓ ମୁଁ ଏକ ହୋଇଯିବା ଭଳି ଅବସ୍ଥା ସୃଷ୍ଟି କରିବା ଦରକାର ।”

 

ସେଇଠୁଁ ବହୁ ଦ୍ଵିଧା ଅତିକ୍ରମ କରି ନବୀନ କହିଲେ:

 

“ବାପାଙ୍କର ଏଥିରେ ମତ ନଥିଲା । ତାଙ୍କୁ ନକହି ମୁଁ ଚାଲିଆସିଛି ।”

 

“ଆଚ୍ଛା, ଯଦି ସେ ତୁମକୁ ଫେରାଇ ନେବାପାଇଁ ଆସନ୍ତି ?”

 

“ନା, ସେ ଆସିବେ ନାହିଁ ।”

 

“ଯଦି ଆସନ୍ତି ?”

 

(ଚିନ୍ତିତ ହୋଇ ଧୀରେ ଧୀରେ) “ମୁଁ ଯିବି ନାହିଁ ।”

 

“ତୁମେ ଅବିବାହିତ ତ ?”

 

ଏହି ପ୍ରଶ୍ନର ଉତ୍ତରରେ ନବୀନଙ୍କୁ ଇତସ୍ତତଃ ହୋଇ କହିବାକୁ ପଡ଼ିଲା ଯେ ସେ ବିବାହିତ । କିନ୍ତୁ କହିଲେ ଯେ ବିବାହରେ ତାଙ୍କର ମତ ନଥିଲା, ତାଙ୍କୁ ଜବରଦସ୍ତ ବିବାହ କରି ଦିଆଯାଇଛି । ପ୍ରକାଶ ଟିକିଏ ହସି ଏବଂ ଚୁପ୍ ରହିଲା ପରେ ପଚାରିଲେ :

 

“ତୁମ ସ୍ତ୍ରୀର ଏ ବିଷୟରେ ମତ କଅଣ ?”

 

ଉତ୍ତରକୁ ଏଡ଼ାଇ ଦେଇ ନବୀନ କହିଲେ, “ମୋ ମତରେ ବିବାହ ବିପ୍ଳବରେ ଯୋଗଦାନର ବିରୋଧୀ । ତେଣୁ ମୁଁ ବିବାହିତ ହେବାକୁ ଆଦୌ ରାଜି ନଥିଲି । ବର୍ତ୍ତମାନ ମଧ୍ୟ ମୁଁ ନିଜକୁ ବିବାହିତ ବୋଲି ମନେ କରୁନାହିଁ ।”

 

ସେଇଠୁଁ ପ୍ରକାଶ ଗମ୍ଭୀର ହୋଇ ପଚାରିଲେ, “ତା’ହେଲେ ତୁମ ସ୍ତ୍ରୀର ସ୍ଥିତି କେଉଁଠି ?

 

“ମୁଁ ସେଥିପାଇଁ ଦାୟୀ ନୁହେଁ ।”

 

ସେଇଠୁଁ ପ୍ରକାଶ ଧୀରେ ଧୀରେ କହିଲେ:

 

“ତା ସତ, ମାତ୍ର ଏ ଯୁକ୍ତି ବେଶିଦିନ ଚଳିବ ନାହିଁ । ଦିନେ ହେଲେ ତୁମକୁ ଅଟକି ଯିବାକୁ ପଡ଼ିବ ଓ ପୁଣି ପଛକୁ ଫେରିବାକୁ ପଡ଼ିବ, ଯେତେବେଳେ ହୁଏତ ବର୍ତ୍ତମାନର ଯୁକ୍ତି ପାଇଁ ଅନୁତାପ ଭୋଗ କରିବାକୁ ପଡ଼ିବ ।”

 

ନବୀନ ଅନାବଶ୍ୟକ ବ୍ୟଗ୍ରତା ପ୍ରକାଶ କରି ଉଚ୍ଚସ୍ଵରରେ କହିଲେ, “ନା, ତା’ ହେବ ନାହିଁ ।” ଏବଂ ପ୍ରାୟ ରାତିସାରା ଅନିଦ୍ରା ହୋଇ ସେ ସେଇ କଥାଟିକୁ ଦୋହରେଇ ହେଉଥିଲେ ମନେ ମନେ–ନା । ନବୀନ ସ୍ତ୍ରୀ ଲୋଭରେ ବିପ୍ଳବରୁ ହଟିଯିବ, ଏକଥା କେବେହେଲେ ହେବ ନାହିଁ-। ପ୍ରକାଶଙ୍କୁ ତାଙ୍କ ନିଜ ଧାରଣା ବଦଳେଇବାକୁ ହେବ ।

 

(୧୮)

 

ତାଙ୍କ ନୂଆ ଜୀବନରେ ନବୀନ ପ୍ରଥମ ଥର ପାଇଁ ବୁଝିଲେ ଯେ ନିଃସ୍ଵାର୍ଥ ତ୍ୟାଗ ଓ ତହିଁରେ ସନ୍ନିବିଷ୍ଟ ଦୁଃଖର ଉପଭୋଗ ସୁଖସ୍ଵାଚ୍ଛନ୍ଦ୍ୟ ଓ ଭୋଗବିଳାସଠାରୁ କେତେ ଅଧିକ ମଧୁର, ଓ କେତେ ଆତ୍ମ ପ୍ରସାଦ ସେଥିରେ ମିଳେ । ଆଶ୍ରମରେ ଅନ୍ୟ ସ୍ଵେଚ୍ଛାସେବକମାନଙ୍କ ସହିତ କାନ୍ଧରେ ଝୁଲାମୁଣି ପକାଇ ମୁଷ୍ଟି ଭିକ୍ଷା କରିବାକୁ ତାଙ୍କୁ ପ୍ରଥମେ ଅଡ଼ୁଆ ଲାଗୁଥିଲା । କିନ୍ତୁ ପରେ ତାଙ୍କର ବୋଧହେଲା ଯେ ସାହାଯ୍ୟର ପରିମାଣ ଯାହା ହେଉନା କାହିଁକି, ଏହାଦ୍ଵାରା ବିପ୍ଳବ ପ୍ରତି ଦରିଦ୍ର ହୃଦୟର ସହାନୁଭୂତି ସୂଚିତ ହେଉଛି, ଏବଂ ତାହାହିଁ ଆମର ଲୋଡ଼ିବା କଥା । ସେହିପରି ମଦ ଦୋକାନ ଆଗରେ ଧାରଣା ଦେବାକୁ ଯାଇ ସେ ମଦୁଆମାନଙ୍କଠାରୁ ନିତାନ୍ତ ଅସଭ୍ୟ ଭାଷାରେ ଗାଳି, ତଥା ପାଖଆଖରେ ରହିଥିବା ବେଶ୍ୟାମାନଙ୍କ ଅପମାନକୁ ମଧ୍ୟ କ୍ରମଶଃ ବରି ନେଇ ପାରିଲେ । ଭାବିଲେ ଯେ ଏମାନେ ଯେତେହେଲେ ଆମ ଭାଇ ଭଉଣୀ ଏବଂ ଏମାନଙ୍କ ଗାଳିମନ୍ଦ ଖାଇ ଯଦି ଏମାନଙ୍କୁ ସୁଧାରି ହେବ, ତା’ହେଲେ ତାହାହିଁ ଆମ କାମର ସାର୍ଥକତା ।

 

ପ୍ରକାଶ ନବୀନଙ୍କର ଏହି ସମସ୍ତ କାର୍ଯ୍ୟବିଧି ଲକ୍ଷ୍ୟ କରୁଥିଲେ । ସେଇଠୁଁ ଦିନେ ସେ ତାଙ୍କୁ ତାଙ୍କ କୋଠରିକୁ ଡାକିନେଇ କହିଲେ, ଧୀରେ ଧୀରେ–

 

“ମନେ ଅଛି ନବୀନ, ମୁଁ ସେଦିନ ତମକୁ କହିଥିଲି ଯେ ମୋର ତୁମଠି କାମ ଅଛି, ତେଣୁ ମୁଁ ତୁମକୁ ଅନେଇ ବସିଥିଲି ? ଖାଲି ଉତ୍ସାହ ଦେବା ପାଇଁ ମୁଁ ତୁମକୁ କହି ନଥିଲି ସେମିତି । କାମଟି ହେଉଛି ଏଇ ଯେ ତୁମେ ଏ ଆଶ୍ରମର ଭାର ନିଅ । କାହିଁକିନା ଚାରିଆଡ଼େ ମୋତେ ବୁଲିବାକୁ ପଡ଼ିବ । ଚାରିଆଡ଼େ ଜାଗରଣ ଆଣିବାକୁ ହେବ । ମୁଁ ଚାହେଁ ଅନେକ ଲୋକ ତିଆରି କରିବା ପାଇଁ, ଯେଉଁମାନେ ବିପ୍ଳବକୁ ଧରି ରଖିବେ, ବ୍ୟାଟେରୀରେ ବିଦ୍ୟୁତ୍ ଜମାହେଲା ପରି । ଯେମିତିକି ଆଜିର ଏଇ ଉତ୍ସାହ କାଲିକି ମଉଳି ଯିବ ନାହିଁ । ଆବଶ୍ୟକତା ଅନୁଯାୟୀ ପାଓ୍ଵାର୍ ହାଉସ୍‍ଗୁଡ଼ିକ ପୁଣି ଯଥାବିଧି ଶକ୍ତି ଯୋଗାଇବ ଦେଶର କଲ୍ୟାଣ ପାଇଁ । ମୋର ବିଶ୍ଵାସ, ତୁମେ ସେହିପରି ଏକ ବଡ଼ ପାଓ୍ଵାର୍ ହାଉସ୍ ହୋଇପାରିବ ।”

 

ନବୀନ ଏକ ଦୃଷ୍ଟିରେ ପ୍ରକାଶଙ୍କ ଆଡ଼କୁ ଚାହିଁରହିଥାଆନ୍ତି । ସେଇଠୁଁ ପ୍ରକାଶ ଖଣ୍ତେ ଛୋଟ କାଗଜରେ ଲେଖିଦେଲେ, “କଟକ ଆଶ୍ରମ ଭାରରେ ନବୀନ ରହିଲେ,–ପ୍ରକାଶ ।” ଏବଂ ତା’କୁ ତାଙ୍କ ହାତକୁ ବଢ଼ାଇ ଦେଲେ ।

 

(୧୯)

 

‘ପାଓ୍ଵାର୍ ହାଉସ୍’ କଥାରେ ନବୀନ ଭାରି ଉତ୍ସାହିତ ହୋଇଯାଇଥିଲେ । ଏବଂ ଆଶ୍ରମବାସୀମାନଙ୍କୁ କିପରି ଭାବରେ ଅଧିକରୁ ଅଧିକ ଉତ୍ସାହିତ କରିହେବ, ସେ ଦିଗରେ ଲାଗିପଡ଼ିଥିଲେ । ଏହି ସଂକ୍ରାନ୍ତରେ ଗୋଟିଏ ଅଭିନବ ଉପାୟ ତାଙ୍କ ମନକୁ ଆସିଲା । ସେ ସହକର୍ମୀମାନଙ୍କ ସହିତ ପରାମର୍ଶ କରି ସ୍ଥିର କଲେ ଯେ ଦୁଇଦିନ ପରେ ଡେପୁଟି ନିର୍ବାଚନ ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହିତ ସାକ୍ଷାତ୍‍କାର କରିବା ଲାଗି ଯେଉଁ ପ୍ରାର୍ଥୀମାନେ ଆସିବେ ତାଙ୍କ ଅଫିସ୍‍କୁ, ସ୍ଵେଚ୍ଛାସେବକମାନେ ତାଙ୍କ ଆଗରେ ଧାରଣା ଦେବେ । ଲମ୍ଵ ଲମ୍ଵ ହୋଇ ଶୋଇରହିବେ ଓ ପ୍ରାର୍ଥୀମାନଙ୍କୁ ସରକାରୀ ଚାକିରି କରିବା ପାଇଁ ମନାକରିବେ ।

 

ନିର୍ଦ୍ଦିଷ୍ଟ ଦିନ ବନ୍ଦୋବସ୍ତ ମୁତାବକ କାର୍ଯ୍ୟ ଆରମ୍ଭ ହୋଇଗଲା । ମାଜିଷ୍ଟ୍ରେଟ୍ ସାହେବ ଭିତର ଘରେ ବସିଲେ ପ୍ରାର୍ଥୀମାନଙ୍କୁ ଗୋଟି ଗୋଟି କରି ଡକେଇ ପଠାଇବା ଲାଗି । ପ୍ରଥମ ପ୍ରାର୍ଥୀ ବିନୋଦବାବୁ ସତ୍ୟାଗ୍ରହୀମାନଙ୍କୁ ଟପିକରି ଯାଇପାରିଲେ ନାହିଁ ଭିତରକୁ । ଫଳରେ ମାଜିଷ୍ଟ୍ରେଟଙ୍କ ଆଦେଶ ଅନୁଯାୟୀ ଚପରାଶି ଆସି ଘୋଷଣା କଲା–“ବିନୋଦବାବୁ ଖାରଜ ହୋଇଗଲେ । ବର୍ତ୍ତମାନ ମହେନ୍ଦ୍ରବାବୁ ।”

 

ମହେନ୍ଦ୍ରବାବୁ ଧୀରେ ଧୀରେ ବାରନ୍ଦା ଉପରକୁ ଉଠିବା ମାତ୍ରକେ ନବୀନ ବାହାରି ଆସି ଦରଜା ପାଖରେ ଶୋଇପଡ଼ି କହିଲେ, “ମହେନ୍ଦ୍ର, ଚିରଦିନ ବିପ୍ଳବ ବିପ୍ଳବ କହି କହି ଆମକୁ ସେଠିକି ଠେଲି ଦେଇ ଆଜି ତୁ ଆମଠୁଁ ଅଲଗା ହୋଇଯିବୁ ନା ?” ଏଇ କଥାରେ ମହେନ୍ଦ୍ରବାବୁ ପ୍ରଥମେ ଟିକିଏ ଦବିଗଲେ ସତ, କିନ୍ତୁ ପରେ ପରେ ହଠାତ୍ ରାଗିଗଲା ପରି କହିଲେ, “ନବୀନ, ତୁ ପ୍ରତିଜ୍ଞା କରିଥିଲୁ ନା ବାହାହେବୁ ନାହିଁ ବୋଲି ? ପ୍ରତାରକ !” ନବୀନଙ୍କ ପ୍ରତି ଜାଗି ଉଠିଥିବା କ୍ରୋଧ ହେତୁ ମହେନ୍ଦ୍ରବାବୁ ନିଜକୁ ବୁଝେଇ ଦେଇପାରିଲେ ଯେ, ‘ଫେରିଯାଅ, ଫେରିଯାଅ’ ବୋଲି ଏଇ ଯେଉଁ ଚିତ୍କାର କରୁଛନ୍ତି ସେମାନେ, ନବୀନଙ୍କ ସମେତ ସେଠି ରୁଣ୍ତ ହୋଇଥିବା ଯେତେକ ଲୋକ, ସେଥିରେ ଯେ ବିଶାଳ ଇଂରେଜ ସାମ୍ରାଜ୍ୟ ଉଡ଼ିଯିବ, ଏପରି ଭାବିବା ବାତୁଳତା ମାତ୍ର । ଯେକୌଣସି ଅବସ୍ଥାରେ ରହି ମଧ୍ୟ ମଣିଷ ଦେଶ ସେବା କରିପାରେ । ଆଗେ ନିଜର ଆର୍ଥିକ ସ୍ଥିତି ଦୃଢ଼ ହୋଇ ରହିଲେ ତା’ପରେ ଦେଶସେବା କରିହେବ । ସେଇଠୁଁ ସେ ଚିତ୍କାରର ବର୍ଷାକୁ ଅମାନ୍ୟ କରି ଗୋଡ଼ ଛାଟିଦେଇ ଭିତରକୁ ଚାଲିଗଲେ ।

 

କିଛିକ୍ଷଣ ପରେ ସଦଳବଳେ ପୋଲିସ୍ ଆସି ସ୍ଵେଚ୍ଛାସେବକମାନଙ୍କୁ ଗିରଫ କରିନେଇ ଲୋକଙ୍କୁ ଖେଦିଯାଇ ଅନେକ ଦୂରରେ ଘେରାଉ କରି ଠିଆହୋଇ ରହିଲେ । କେବଳ ଚିତ୍କାର ଛଡ଼ା ସ୍ଵେଚ୍ଛାସେବକ ଓ ଲୋକେ ଆଉ କିଛି କରିପାରିଲେ ନାହିଁ । ଶୁଣାଗଲା ଯେ ମହେନ୍ଦ୍ରବାବୁ ମାଜିଷ୍ଟ୍ରେଟଙ୍କୁ ନିତାନ୍ତ ଅନୁରୋଧ କରିବାରୁ ଏହି ପ୍ରକାର ବ୍ୟବସ୍ଥା କରାଗଲା ।

 

(୨୦)

 

ନବୀନଙ୍କ ପ୍ରତି ମହେନ୍ଦ୍ରବାବୁଙ୍କ କ୍ରୋଧ କାହିଁକି ହେଲା, ତା’ର କାରଣ ସେ ବୋଧହୁଏ ନିଜେ ଦେଇପାରିବେ ନାହିଁ । ବାପାଙ୍କ ଆଦେଶରେ ସେ ଡେପୁଟି ଚାକିରି ପାଇଁ ପ୍ରାର୍ଥୀ ହୋଇଥିଲେ । ମାଜିଷ୍ଟ୍ରେଟଙ୍କ ସାଙ୍ଗରେ ଭେଟ ହେଲାବେଳେ କ’ଣ କରିବାକୁ ହେବ, ସେ ବିଷୟରେ କିଛି ତାଲିମ ନେବା ପାଇଁ କଟକ ଆସିଥିଲେ । ଏବଂ କଟକରେ ଥିଲାବେଳେ ସେ କିଛିଦିନ ପାଇଁ ଗାଆଁକୁ ଯାଇଥିଲେ । ସେହି ସମୟରେ ସେ ଶୁଣିଲେ ଯେ ପ୍ରତିଭାର ବାହାଘର ହୋଇଯାଇଛି ନବୀନଙ୍କ ସାଙ୍ଗରେ । ତାଙ୍କର ରାଗହେଲା ଯେ ପାଠଶାଳାର ଶିକ୍ଷକ ତାଙ୍କୁ ଏ ବିଷୟରେ କିଛି କହିନାହାଁନ୍ତି । ଏବଂ ସେ ଯେଉଁ ବହି ଓ ମାସିକ ପତ୍ରିକା ସିଦ୍ଧେଶ୍ଵର ପାଇଁ ପଠାଉଥିଲେ, ତାହା ନିରର୍ଥକ ହୋଇଛି । ତା’ପରେ ସେ ରାଗିଲେ ନବୀନଙ୍କ ଉପରେ ଯେ ସେ ଏ ବିଷୟରେ ତାଙ୍କୁ କୌଣସି ସୂଚନା ଦେଇନଥିଲେ ଆଗରୁ । ନିଜର ପ୍ରତିଭା ପ୍ରତି ଯେଉଁ ମନୋଭାବ ଥିଲା, ସେ ବିଷୟରେ ସେ ନବୀନଙ୍କୁ କିଛି ନକହିବା ସ୍ଥଳେ ନବୀନ ବା କାହିଁକି ତାଙ୍କୁ କୌଣସି କଥା କହିବେ, ସେ ବିଷୟରେ ସେ କିଛି ଭାବିଲେ ନାହିଁ । ପ୍ରେମଗତ ଈର୍ଷାର ଏହାହିଁ ବିଶେଷତ୍ଵ ନୁହେଁ କି ଯେ ଅନ୍ୟ ପ୍ରତି ନିଜର କ୍ରୋଧ ଓ ବିଦ୍ଵେଷର କାରଣ ନିଜେ ସୁଦ୍ଧା ଖୋଜିଲେ ମିଳେନାହିଁ-। ସେ ଯାହାକୁ ଏତେ ସ୍ନେହ କରୁଥିଲେ, ତା’ର ବିବାହ ଆଉ କାହା ସାଙ୍ଗରେ ହୋଇଗଲା, ଏହାହିଁ ଅନ୍ୟାୟ ବୋଲି ତାଙ୍କର ମନେହେଲା । ଏହି କ୍ରମରେ ସେ ଭାବିଲେ ଯେ ପ୍ରତିଭା ପରି କନ୍ୟାର ନବୀନ ପରି ଗୋଟିଏ ନୀରସ ଲୋକ ସହ ସଂଯୋଗ ମଧ୍ୟ ଗୋଟାଏ ଅତ୍ୟାଚାର ଛଡ଼ା ଆଉ କିଛି ନୁହେଁ । ଭାବିଲେ ଯେ-ମୁଁ ତା’କୁ ଓଡ଼ିଶାର ଏକ ପ୍ରତିଷ୍ଠିତା ନାରୀ କରିପାରି ଥାଆନ୍ତି, କିନ୍ତୁ ନବୀନ ଯୋଗୁଁ ମୁଁ ସେହି ସୁଯୋଗ ହରାଇ ବସିଲି । ତାଙ୍କ ଈର୍ଷାର ଆଉ ଗୋଟାଏ କାରଣ ଥିଲା ଏଇ ଯେ ସେ ଛାତ୍ରନେତା ଥିଲାବେଳେ ନବୀନ ତାଙ୍କର ଅନୁଚର ମାତ୍ର ଥିଲେ । କିନ୍ତୁ ସେ ବିପ୍ଳବରେ ଯୋଗଦେଇ ନ ପାରିଲାବେଳେ, ନବୀନ ସେଥିର ଜଣେ ଅଗ୍ରଣୀ ବୋଲାଉଛି । ଏହିପରି ଭାବରେ ଈର୍ଷା ଓ କ୍ରୋଧ ଛଡ଼ା ମହେନ୍ଦ୍ରବାବୁଙ୍କର ଆଉ କୌଣସି ଭାବ ନଥିଲା ତାଙ୍କର ପୂର୍ବତନ ବନ୍ଧୁ ନବୀନଙ୍କ ପ୍ରତି ।

 

(୨୧)

 

ସେଦିନ ନବୀନ ଏବଂ ଅନ୍ୟାନ୍ୟ ସ୍ଵେଚ୍ଛାସେବକମାନେ ମାଜିଷ୍ଟ୍ରେଟ୍‍ଙ୍କ ଅଫିସ୍ ସାମନାରେ ଯେଉଁ ପ୍ରକାର ଧାରଣା ଦେଇଥିଲେ, ସେଥିର ବିଚାର ହୋଇ ନବୀନଙ୍କୁ ଏକବର୍ଷ ସଶ୍ରମ କାରାଦଣ୍ତ, ଏବଂ ଅନ୍ୟାନ୍ୟ ସ୍ଵେଚ୍ଛାସେବକମାନଙ୍କୁ କୋଡ଼ିଏ ବେତ କରି ମାଡ଼ ଦେବାର ଆଦେଶ ହେଲା । ‘ତୁମେ ଦୋଷୀ କି ନିର୍ଦ୍ଦୋଷ’ ବୋଲି ବିଚାରକ ଯେତେବେଳେ ପଚାରିଲେ ତାଙ୍କୁ ନବୀନ ଦୃଢ଼ ଓ ଗମ୍ଭୀର ଭାବରେ କହିଲେ, “ଦେଶକୁ ମୁକ୍ତ କରିବା ପାଇଁ କାର୍ଯ୍ୟ କରିବା ଯଦି ଅପରାଧ ହୋଇଥାଏ, ତେବେ ମୁଁ ଜଣେ ଅପରାଧୀ ।” ଏହି ନିର୍ଭୀକ ବିବୃତି ଶୁଣି ଯେତେ ଦର୍ଶକ ଜମା ହୋଇଥିଲେ, ସମସ୍ତଙ୍କ ମନରେ ସ୍ଵତଃ ଏକ ନିର୍ଭୀକତାର ଝଙ୍କାର ଉଠିଲା, ଏବଂ ସେମାନେ ‘ଜୟ ମହାତ୍ମା ଗାନ୍ଧୀକୀ ଜୟ !’ ବୋଲି ପାଟି କରିଉଠିଲେ । ବିଚାରକ ଯେତେବେଳେ ସମସ୍ତ ଦର୍ଶକମାନଙ୍କୁ କଚେରିରୁ ବାହାରିଯିବା ପାଇଁ ଆଦେଶ ଦେଲେ, ସେମାନେ ଆହୁରି ଉଚ୍ଚ ସ୍ଵରରେ ମହାତ୍ମା ଗାନ୍ଧୀଙ୍କର ଜୟଜୟକାର କଲେ ।

 

ଦଣ୍ତାଦେଶ ଘେନି ନବୀନ କଟକ ଜେଲ୍‍କୁ ନିଆଗଲେ । ଜେଲ୍ ଫାଟକଠାରେ ବାହାର ଦୁନିଆଁଠାରୁ ବିଦାୟ ନେବା ପାଇଁ ଚାରିଆଡ଼କୁ ଅନାଇଥିଲେ । ଏବଂ ଏକ ଦାରୁଣ ଆଘାତ ଅନୁଭବ କଲେ, ପ୍ରିୟବନ୍ଧୁଠାରୁ ଦୈବାତ୍ ଅନ୍ତର ହେଲାପରି । ସେହି ଚିରପରିଚିତ ଦୃଶ୍ୟ–ଘୋଡ଼ାଗାଡ଼ି ଚାଲୁଛି, ସାଇକେଲ୍ ମରାମତି ଦୋକାନରେ ସାଇକେଲରେ ପମ୍ପ୍ ଦିଆଯାଉଛି, ଭିକାରି ଭିକ ମାଗୁଛି, ଇତ୍ୟାଦି । ଏହି ସମୟରେ ସେ ଲକ୍ଷ୍ୟକଲେ ଯେ ପ୍ରକାଶଙ୍କ ନେତୃତ୍ଵରେ ଏକ ବିରାଟ ଶୋଭାଯାତ୍ରା ରାଜପଥ ଅତିକ୍ରମ କରୁଛି । ଶୋଭାଯାତ୍ରାର ବିଶେଷତ୍ଵ ଏହି ଯେ ଏଥିରେ ବହୁ ସଂଖ୍ୟାରେ ସ୍ତ୍ରୀଲୋକ ଅଛନ୍ତି, ଓ ‘ଜୟ ମହାତ୍ମା ଗାନ୍ଧୀକୀ ଜୟ !’ ସାଙ୍ଗରେ ‘ଜୟ ନବୀନବାବୁଙ୍କ ଜୟ !’ ଧ୍ଵନି ମଧ୍ୟ ଯୋଡ଼ା ହୋଇଛି । ପ୍ରକାଶ ଶୋଭାଯାତ୍ରା ଆଗରେ ବୀର ପରି ଚାଲିଛନ୍ତି । ଏହି ଦୃଶ୍ୟ ଦେଖି ନବୀନ ମୁହୂର୍ତ୍ତକ ପାଇଁ ଆତ୍ମହରା ହୋଇଗଲେ । ତା’ ସଙ୍ଗେ ସଙ୍ଗେ ଏକ ଗଭୀର କରୁଣ ଭାବ ଜାଗିଉଠିଲା ତାଙ୍କ ମନରେ ଯେ ସେ ବର୍ଷକ ପାଇଁ ଏ ସବୁଥିରୁ ବଞ୍ଚିତ ହୋଇ ରହିବେ । ଦୀର୍ଘ ନିଃଶ୍ଵାସଟିଏ ପକାଇ ସେ ଚାଲିଲେ ଜେଲ୍‍ଖାନା ଭିତରକୁ, ଏବଂ ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଗଲେ ।

 

(୨୨)

 

ଜେଲ୍‍ରେ ନବୀନ ତାଙ୍କ ନିଜ ରୂପକୁ ନୂଆ ବେଶରେ ଦେଖି ନିଜେ ଶଙ୍କି ଗଲେ । ଜଘଂଅଧା ପର୍ଯ୍ୟନ୍ତ ଖଣ୍ତେ ଜଘିଂଆ, ଅଣ୍ଟା ପର୍ଯ୍ୟନ୍ତ ହାତ ନ ଥିବା କୁର୍ତ୍ତା ଖଣ୍ତେ । ଏବଂ ସବୁରି ମଝିରେ କଳା ଡୋରମାନ । ପୁଣି ତିନିକୋଣିଆ ଏକ ଇଞ୍ଚ ମୋଟା କାଠ ଖଣ୍ତକରେ କଏଦୀ ନମ୍ଵର ଓ ଦଣ୍ତର ପରିମାଣ ଲେଖାହୋଇ ଲୁହା ତାରରେ ଗୁନ୍ଥା ହୋଇ ବେକର ପଛଆଡ଼େ ଝାଳିଦିଆ ହୋଇଛି, ଯେପରିକି ତାହା ବାହାରି ନଯାଏ । ହେଲେ କ୍ଷଣିକ ଅବସାଦ ପରେ ତାଙ୍କ ମନରୁ କିଏ ଗର୍ଜିଉଠିଲା–

 

“ଏହି ତ ତୁମର ଦେଶକୁ ଦାନ, ଏହି ତ ତୁମର ତପସ୍ୟା, ଯାହାଫଳରେ ଦେଶମାତା ପାପମୁକ୍ତା ହୋଇ ସ୍ଵାଧୀନ ହେବ ।”

 

ଯଥାକ୍ରମେ ଅନ୍ୟ କଏଦୀମାନେ ଗୋଟିକ ପରେ ଗୋଟିଏ ହୋଇ ନବୀନଙ୍କ ଚାରିପାଖରେ ଘେରି ବସିଲେ ଓ ତାଙ୍କୁ ପଚାରିଲେ, କେବେ ଗାନ୍ଧୀ ରାଜା ହେଉଛି ଓ ଇଂରେଜ ଯାଉଛି । ‘ସ୍ଵରାଜ ନିଶ୍ଚୟ ହେବ’ ଏହି ଦୃଢ଼ ବାଣୀ ନବୀନଙ୍କଠାରୁ ଶୁଣିଲାରୁ ସମସ୍ତେ ଆଶ୍ଵସ୍ତ ହେଲେ । ସେଇଠୁଁ ସେମାନେ ଭାବିଲେ ଯେ ଏଇ ସ୍ଵରାଜବାବୁଙ୍କୁ ଆଗରୁ ନିଜ ନିଜ କଥା ଶୁଣାଇ ରଖିଥିଲେ ଭବିଷ୍ୟତରେ ଛାଡ଼ ପାଇବାର ସୁବିଧା ହେବ । ଏହେତୁ କିଏ କହିଲା ସେ କେମିତି ଅବକାରୀ କର୍ମଚାରୀଙ୍କ ଆଖିରେ ଧୂଳିଦେଇ ଚାରିମାସ କାଳ ମଦ ତିଆରି କରୁଥିଲା, ଶେଷକୁ ପୋଲିସ୍ ତା’କୁ ଧରିବାକୁ ଗଲାବେଳକୁ ତା’କୁ ମାଡ଼ଦେଲା । ଆଉ କିଏ କହିଲା ସେ କେମିତି ଦୁଇବର୍ଷ କାଳ ପୋଲିସ୍‍କୁ ଫାଙ୍କିଦେଇ ଡକାଏତି କରୁଥିଲା । କିନ୍ତୁ ନବୀନ ଆଶ୍ଚର୍ଯ୍ୟ ହେଲେ ଯେ ଏଇ ଦୁଇଜଣଙ୍କ ଛଡ଼ା ଆଉ ସମସ୍ତେ ନିର୍ଦ୍ଦୋଷରେ ଦଣ୍ତ ଭୋଗୁଛନ୍ତି ବୋଲି କହିଲେ । ନବୀନ ସମସ୍ତଙ୍କୁ ସାନ୍ତ୍ଵନା ଦେଇ ବୁଝେଇ କହିଲେ ଯେ ସ୍ଵରାଜ ହେଲେ କେହି ବିନା ଦୋଷରେ ଜେଲ୍ ଯିବ ନାହିଁ ବା କାହାକୁ ଗାଆଁର ମାମଲତ୍‍କାରମାନେ ମିଛରେ ସଜା ଦିଆଇ ପାରିବେ ନାହିଁ । କିନ୍ତୁ ଗଜେନ୍ଦ୍ର ବୋଲି ଜଣେ ଚୋରି ଅପରାଧରେ ଦଣ୍ତିତ ଆସାମୀ ସେତିକିରେ ସନ୍ତୁଷ୍ଟ ହେଲା ନାହିଁ । କହିଲା, ସେ ଜେଲ୍‍ରୁ ମୁକ୍ତହୋଇ ନବୀନଙ୍କ ସାଙ୍ଗରେ ବରାବର ରହିବ ଓ ସ୍ଵରାଜ୍ୟ କାମ କରିବ । କିନ୍ତୁ ନବୀନ ତା’ କଥାରେ ଖୁସିହୋଇ ତା’ ପିଠିରେ ହାତ ମାରି ତା’ ପ୍ରତି ସହାନୁଭୂତି ଦେଖାଇବାରୁ ଅନ୍ୟମାନେ ପ୍ରତିବାଦ କଲେ ଯେ ସେଇଟା ଗୋଟାଏ ବଡ଼ ଚୋର । ତା’ପରେ ଏଭଳି ଅସଭ୍ୟ ଭାଷାରେ ଗାଳି ଦିଆଦେଇ ଆରମ୍ଭ ହୋଇଗଲା ସେମାନଙ୍କ ଭିତରେ, ଯେ ନବୀନଙ୍କର ଆଶଙ୍କା ହେଲା ତାଙ୍କ ଉପରେ ବି ଗାଳି ବୃଷ୍ଟି ହେବା ଅସମ୍ଭବ ନୁହେଁ । ତେଣୁ ସେ ନୀରବରେ ନିଜ କମ୍ଵଳ ଉପରେ ପଡ଼ି ରହି, ଶୋଇଗଲେ କେତେବେଳକୁ ।

 

(୨୩)

 

ନିଶବ୍ଦ ରାତି । ବନ୍ଦୀମାନେ ଶୋଇ ଯାଇଛନ୍ତି । କେବଳ ଗୋଟିଏ ଦୁଇଟି କୁକୁର ଜେଲ୍ ପାଚିରିର ଆର ପାଖରେ ରହି ଭୁକୁଛନ୍ତି ମଝିରେ ମଝିରେ ।

 

କିନ୍ତୁ ନବୀନ ଲୁହାଝରକା ପାଖରେ ବାହାରକୁ ଏକ ଦୃଷ୍ଟିରେ ଅନାଇ ରହିଛନ୍ତି । ଦେଖିଲେ ଯେ ଜେଲ୍ ହତାର ଶେଷ ପାଚିରିର ଏ ପାଖକୁ ଯେଉଁ ଅଶ୍ଵତ୍‍ଥ ଗଛଟି ଶାଖାପ୍ରଶାଖା ମେଲାଇ ରହିଛି, କେବଳ ସେଇ ଆଜିକାର ଜହ୍ନରାତିକୁ ଉପଭୋଗ କରୁଛି । ଏକୁଟିଆରେ, ସ୍ଵାର୍ଥପରଙ୍କ ପରି । ନବୀନଙ୍କ ହାତରେ ଗୋଡ଼ରେ ବେଡ଼ି ପଡ଼ିଛି । କାରଣ ତାଙ୍କୁ ଯେତିକି ଧାନ କୁଟିବା ପାଇଁ ଦିଆ ହୋଇଥିଲା, ତା’ ସେ କରିପାରି ନାହାନ୍ତି । ତେବେ ସେ ଭାବିଲେ ଯେ ଜ୍ୟୋତ୍ସ୍ନା ଅଶ୍ଵତ୍‍ଥ ଗଛକୁ ଆଡ଼େଇଦେଇ ତାଙ୍କରି ପାଖକୁ ଆସିଛି । ମଣିଷଟିଏ ମୋତେ ଉପଭୋଗ କରୁ, ଏହି ଭାବରେ ଜ୍ୟୋତ୍ସ୍ନା ମୋତେ ଥଟ୍ଟା କରୁନାହିଁ ତ, ମୁଁ ଏମିତି ପଙ୍ଗୁହୋଇ ବସିଛି ବୋଲି ? ନା, ନା, ସେ ମୋତେ ଅଭିବାଦନ କରୁଛି । ଜହ୍ନ ସାଙ୍ଗରେ ଏମିତି ଗେଲ ହେଲାବେଳକୁ ନବୀନଙ୍କର ମନରେ ଆସିଲା ଯେ ପୃଥିବୀଟା ଏତେ ସୁନ୍ଦର, କିନ୍ତୁ ମଣିଷ ତା’କୁ ଏମିତି ଅସୁନ୍ଦର କରିଦେଉଛି ପରସ୍ପର ଉପରେ ଅତ୍ୟାଚାର କରି । ସାତହଜାର ମାଇଲ୍ ଦୂରରେ ଥିବା ଇଂରେଜମାନେ, ତମର କ’ଣ ଅଧିକାର ଅଛି ଆମ ଉପରେ ଶାସନ କରିବ, ଆଉ ଆମକୁ ନିରାହାର ବସ୍ତ୍ରହୀନ କରି ରଖିବ-? ଏହି ସମୟରେ ସେ ଚମକିଉଠିଲେ, କାରଣ ସେଇ କୋଠରିରେ ଥିବା ବନ୍ଦୀ ଜଣକ ‘ମାର୍, ତାକୁ ମାର୍ ମାର୍ ମାର୍…’ କହି ବିଳିବିଳେଇ ଉଠୁଛି । ଦୁଃଖ ଆସିଲା ତାଙ୍କ ମନରେ । ଏମାନଙ୍କ ଭିତରୁ କେହି କ’ଣ ସ୍ନେହର ସ୍ଵପ୍ନ, ପରିଣୟର ସ୍ଵପ୍ନ ଦେଖୁନାହାଁନ୍ତି ? ଇତିମଧ୍ୟରେ ସେ ଦେଖିଲେ ଯେ, ତାଙ୍କ ଉପରେ ଯେଉଁ ଜହ୍ନ ଆଲୁଅ ଟିକେ ପଡ଼ିଥିଲା, ତାହା ଝରକା ସେପାଖକୁ ଚାଲିଗଲାଣି-। ସେଇଠୁଁ ସେ ରାଗିଲେ ତା’ ଉପରେ–ଏକା ମୁଇଁ ତ ତୋ ଗ୍ରାହକ ଥିଲି । ଆଉ କେହି ତୋତେ ପଚାରୁ ନଥିଲେ । ତଥାପି ତୁ ପଳେଇ ଗଲୁ ମୋତେ ଛାଡ଼ିଦେଇ ? ତା’ପରେ ହସି ହସି କହିଲେ ଜହ୍ନଆଡ଼କୁ ଚାହିଁ–“ମାନିନୀ, ମାନ କରୁଛୁ ମୋ ଉପରେ ? ବେଶ୍, ମୁଁ ମୋ ଜାଗା ଛାଡ଼ିବି ନାହିଁ । ତଥାପି ଦେଖିବି ତୁ କେମିତି ଆସିବୁ ନାହିଁ ମୋ ପାଖକୁ । କାଲିକି ନିଶ୍ଚୟ ଆସିବୁ, ତୋ ଟାଣ ମୋତେ ଜଣାଅଛି ଯେ ।”

 

ଏହି ସମୟରେ ପାଚିରି ସେପାଖରେ ଘୋଡ଼ାଗାଡ଼ିର ଶବ୍ଦ ଶୁଣାଗଲା । ଏବଂ ନବୀନଙ୍କର ମନ ଉଚ୍ଚାଟ ହେଲା, ପୁଣି ସେ କେବେ ବାହାର ଦୁନିଆଁକୁ ଯିବେ । କିନ୍ତୁ ସେ ଭାବି ନିରାଶ ହେଲେ ଯେ ବର୍ଷକରୁ ମାତ୍ର ଦୁଇମାସ ସତର ଦିନ ହୋଇଛି । ଆହୁରି ନଅମାସ ତେରଦିନ ବାକି ଅଛି ।

 

(୨୪)

 

“ମାଆ, ମୁଁ ତ ପୋଥି ପଢ଼ି ଜାଣେନାହିଁ । ତୁ ତ ବାପଘରୁ କେତେ ପୋଥି ଆଣିଛୁ । ମୋତେ ପୋଥି ପଢ଼ି ଶୁଣା ତ ? ଏ ବୟସରେ ମୁଁ ଭଲା କିଛି ଧର୍ମ କଥା ଶୁଣେ ।” ଜାହ୍ନବୀ ଦେବୀ ତା’କୁ ଏହିପରି କହିଲା ଦିନଠୁଁ ପ୍ରତିଭା ବହି ପଢ଼ିବାରେ ବେଶି ମନଦେଉଛି ଓ ଶାଶୁଙ୍କୁ ପଢ଼ି ଶୁଣାଉଛି । ଆଧୁନିକ ଉପନ୍ୟାସ କବିତା ଆଦି ତାଙ୍କୁ ମୋଟେ ଭଲ ନ ଲାଗିଲାରୁ ସେ କ୍ରମଶଃ ତାଙ୍କୁ କେବଳ ପୁରାଣକଥା ଶୁଣାଇବାରେ ଲାଗିଛି । ଦିନେ ରାମ ବନବାସ କଥା ଶୁଣି ତାଙ୍କ ଆଖିରୁ ଲୁହ ଝରଝର ବହିଗଲା । ମନେହେଲା, ତାଙ୍କ ପୁଅ ନବୀନକୁ ବନବାସ ପଠେଇ ଦିଆହୋଇଛି । ସେ କେବେ ଫେରିବ ଘରକୁ ?

 

ନବୀନ କେଉଁଠି ଅଛି, କ’ଣ କରୁଛି, ସେ ବିଷୟରେ ବୁଝୁନା କାହିଁକି ବୋଲି ସେ ପ୍ରଥମେ ଲଗେଇଥିଲେ ସ୍ଵାମୀ ରାମହରିବାବୁଙ୍କ ସାଙ୍ଗରେ । କିନ୍ତୁ ତା’ ଉତ୍ତରରେ ସେ ବିରକ୍ତ ହୋଇ କହିଲେ ତାଙ୍କୁ–“ମୁଁ ଜାଣେ ନାହିଁ କୁଆଡ଼େ ଗଲା ସେ । କୁଆଡ଼େ ଯିବ, ସେଇ କଟକରେ ଗାନ୍ଧୀ ଗୋଳରେ ଲାଗିଥିବ । ବିନା ସେଠୁ ମାଡ଼ ନ ଖାଇଲେ ସେ କ’ଣ ଘରକୁ ଫେରୁଛି ?” ସେହିଦିନଠୁଁ ସେ ସ୍ଵାମୀଙ୍କୁ କିଛି ପଚାରନ୍ତି ନାହିଁ ସେ ବିଷୟରେ । କିନ୍ତୁ ଖବରକାଗଜ ଜରିଆରେ ତାଙ୍କ ଖବର ଜାଣି ହେବ ବୋଲି ପ୍ରତିଭା ଶାଶୁଙ୍କୁ ସୂଚନା ଦେଲା । ସେଇଠୁଁ ଗାଆଁ ସ୍କୁଲରୁ ଖବରକାଗଜ ଅଣାହେଲା, ଏବଂ ପ୍ରତିଭା ତା’କୁ ପଢ଼ିକରି ଶୁଣାଏ ଶାଶୁଙ୍କୁ; ଯଦିଓ ଶାଶୁଙ୍କର ମନ ଲାଗେ ନାହିଁ ସେଥିରେ ଓ ସେ ପଢ଼ୁପଢ଼ୁ ଢୁଳାଇ ପଡ଼ନ୍ତି ।

 

କିନ୍ତୁ ଦିନେ ପ୍ରତିଭା ଖବରକାଗଜରେ ଦେଖିବାକୁ ପାଇଲା ଯେ ସେଥିରେ ଲେଖାଅଛି ନବୀନ କଟକ ସ୍ଵରାଜ୍ୟାଶ୍ରମର ଭାର ନେଇଛନ୍ତି, ଏବଂ ସେଥିରେ ସହରରେ ଉତ୍ସାହର ସଞ୍ଚାର ହୋଇଛି । ତାଙ୍କ ଜୀବନୀ ବିଷୟରେ ମଧ୍ୟ କିଛି କୁହାଯାଇଛି–ଯେ ଜମିଦାର ଘର ପୁଅ ହୋଇ ମଧ୍ୟ ସେ କେମିତି ସବୁକିଛି ତ୍ୟାଗ କରି ଏହି ଆନ୍ଦୋଳନରେ ମିଶିଛନ୍ତି । ସଂକୋଚବଶତଃ ଥତମତ ହୋଇ, ଏବଂ ନବୀନଙ୍କ ନାଆଁଟିକୁ ବାଦ୍ ଦେଇ, ପ୍ରତିଭା ଏହି ସମ୍ଵାଦ ଶୁଣାଇଲା ତା’ ଶାଶୁଙ୍କୁ । ଯାହାଫଳରେ ଜାହ୍ନବୀ ଦେବୀ ଲୁହ ଝରାଇବାକୁ ଲାଗିଲେ । ପୁଅ କ’ଣ ଖାଉଛି, କେଉଁଠି ରହୁଛି, ସେ କ’ଣ ଆମକୁ ଭୁଲିଗଲା, ଇତ୍ୟାଦି କହି ବାହୁନି ହେଲେ । ପ୍ରତିଭା ମଧ୍ୟ ନିଜକୁ ସଂଯତ କରିପାରିଲା ନାହିଁ । ତା’ ଆଖି ଛଳଛଳ ହୋଇଉଠିଲା । ସେଇଠୁଁ ସେ ସେଠୁଁ ଉଠିଯାଇ ନିଜଘରେ ବସି କାନ୍ଦିଲା କିଛି ସମୟ ପାଇଁ । ଦେଶପ୍ରେମ ଓ ଦେଶ ପାଇଁ ତ୍ୟାଗ, ଏସବୁ ବିଷୟରେ ତା’ର ଆଦୌ ଧାରଣା ନଥିଲା । ତେଣୁ ତା’ କାନ୍ଦଣାରେ ଏହି ସ୍ଵରଟି ରହିଥିଲା–ମୋ ପ୍ରତି ଅଭିମାନ କରି କ’ଣ ସେ ବୈରାଗୀ ହୋଇଗଲେ ?

 

(୨୫)

 

ଇତିମଧ୍ୟରେ ମହେନ୍ଦ୍ରବାବୁ ଡେପୁଟି ଚାକିରି ପାଇଲେଣି । ଏବଂ ଦେଶ କାମରେ ଯୋଗ ନଦେଇ ସରକାରୀ ଚାକିରିରେ ପଶିବାକୁ ନେଇ ଯେଉଁ ସଙ୍କୋଚ ଆସୁଥିଲା ତାଙ୍କ ମନରେ, ତା’କୁ ସେ ସାହିତ୍ୟ ଚର୍ଚ୍ଚାଦ୍ଵାରା ଦୂର କରିବାକୁ ଚେଷ୍ଟା କରୁଥିଲେ । କହୁଥିଲେ—ଖାଲି ଯାଇ ଆଶ୍ରମରେ ରଖି ଭିଖ ମାଗିଲେ କ’ଣ ଦେଶସେବା ହେବ, ଅନ୍ୟ ଉପାୟ କିଛି ନାହିଁ ? ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବହୁତ କିଛି କାମ କରିବାର ଅଛି । ଏବଂ ଏହି ସଂକ୍ରାନ୍ତରେ ଡେପୁଟି ମାଜିଷ୍ଟ୍ରେଟ ବଙ୍କିମଚନ୍ଦ୍ର ବଙ୍ଗଳା ସାହିତ୍ୟକୁ ଯେଉଁ ଅବଦାନ ଦେଇଯାଇଛନ୍ତି, ସେଥିର ଦୃଷ୍ଟାନ୍ତ ଦେଉଥିଲେ । ତଥାପି ବେଳେବେଳେ ନବୀନଙ୍କ ନାଆଁ, ତାଙ୍କ ବକ୍ତୃତା ଓ ବିବୃତି ଆଦି ଖବରକାଗଜରେ ପଢ଼ିଲେ ତାଙ୍କ ଦେହ ଜଳିଉଠେ । ନବୀନ ମୋ ସାଙ୍ଗରେ ପଢ଼ୁଥିଲା, ଆଜି ସେ ଜଣେ ନେତା, ଆଉ ମୁଁ ଗୋଟାଏ ଚାକର, ଏହି ଭାବନାକୁ ସେ ପୂରାପୂରି ଘଉଡ଼େଇ ଦେଇପାରୁ ନଥିଲେ । କିନ୍ତୁ ତା’ପରେ ସେ ନିଜକୁ ଦମ୍ଭ ଦେଉଥିଲେ ଯେ ସାହିତ୍ୟିକର ନାଆଁ ହିଁ କାଳକାଳକୁ ରହିବ, ଯେଉଁଠି ନେତାମାନଙ୍କ ନାଆଁ ପାସୋରି ହୋଇଯିବ । ଏହି ଭାବରେ ତାଙ୍କ ମନୋଭାବକୁ ସୁଦୃଢ଼ କରି ସେ ରୀତିମତ ଲେଖାଲେଖି କରି ଉତ୍କଳ ସାହିତ୍ୟରେ ଛପାଇବାକୁ ଲାଗିଲେ ।

 

ତାଙ୍କର ଭାଷା ଉପରେ ଯେଉଁ କର୍ତ୍ତୃତ୍ଵ ଥିଲା, ତା’କୁ ଯଥାବିଧି ପ୍ରୟୋଗ କରି ସେ ଅସହଯୋଗ ଆନ୍ଦୋଳନ ଉପରେ ଗୋଟିଏ ଦୀର୍ଘ ପ୍ରବନ୍ଧ ଲେଖି ‘ଉତ୍କଳ ସାହିତ୍ୟ’ରେ ଛପାଇଲେ-। ସେଥିରେ ସେ ଆନ୍ଦୋଳନର ସମାଲୋଚନା କରି ଲେଖିଥିଲେ ଯେ, ଏଥିରେ ଯୋଗ ଦେଇଥିବା ଲୋକ ନିଜର କ୍ଷତି କରୁନାହାନ୍ତି, ଦେଶର ସର୍ବନାଶ ଘଟାଉଛନ୍ତି ।

 

ପ୍ରତିଭା ଯେଉଁସବୁ ପତ୍ରିକା ନିଜ ଗାଆଁରେ ପଢ଼ିବାକୁ ପାଉଥିଲା ମହେନ୍ଦ୍ରବାବୁଙ୍କ ଯୋଗୁଁ, ତା’କୁ ସେ ଏଠିକି ମଧ୍ୟ ମଗାଉଥାଏ ପଢ଼ିବା ପାଇଁ । ଏବଂ ଯେଉଁଥିରେ ମହେନ୍ଦ୍ରବାବୁଙ୍କ ପ୍ରବନ୍ଧ ବାହାରିଥାଏ, ତା’କୁ ସେ ବେଶୀ ମନଦେଇ ପଢ଼େ । ‘ସେଇ ତ ମୋତେ ଆଲୁଅ ଦେଖାଇ ଦେଇ ଯାଇଛନ୍ତି’, ଏହି ମର୍ମରେ ତାଙ୍କ ପ୍ରତି ତା’ର ଶ୍ରଦ୍ଧା ଅତୁଟ ରହିଥିଲା । ସେହେତୁ ଅସହଯୋଗ ଆନ୍ଦୋଳନ ଉପରେ ତାଙ୍କ ପ୍ରବନ୍ଧ ପଢ଼ିଲା ପରେ ତା’ର ଧାରଣା ହେଲା ଯେ ତା’ ସ୍ଵାମୀ ଘରଦ୍ଵାର ଛାଡ଼ି ଯେଉଁ କାମଟା କରୁଛନ୍ତି, ତାହା ଆଦୌ ଗୋଟାଏ ଭଲକାମ ନୁହେଁ । ଏବଂ ଯେତେବେଳେ ଖବରକାଗଜରେ ବାହାରିଲା ଯେ ମହେନ୍ଦ୍ରବାବୁ ନବୀନଙ୍କୁ ପାଦରେ ଦଳିଦେଇ ଗଲେ ମାଜିଷ୍ଟ୍ରେଟଙ୍କ ସାଙ୍ଗରେ ଦେଖା କରିବାକୁ, ସେତେବେଳେ ତା’ ମନରେ ଆସିଲା ଯେ ମହେନ୍ଦ୍ରବାବୁ କଦାପି ଏଭଳି ଘୃଣିତ କାମ କରି ନଥାଆନ୍ତେ, ଯଦି ନବୀନଙ୍କ ପ୍ରତି ତାଙ୍କର ଘୃଣାଭାବ ଆସି ନଥାଆନ୍ତା । ତେବେ ନବୀନଙ୍କ ପ୍ରତି ସେହିପ୍ରକାର ଭାବ ଜାତ ହେଲା କ୍ଷଣି ତା’ ମନକୁ ଆସୁଥାଏ–ତାଙ୍କୁ ମୁଁ ଘୃଣା କରିବି କେମିତି, ସେ ତ ମୋ ଜୀବନ ସାଥୀ… ।

 

(୨୬)

 

ନବୀନଙ୍କ ବର୍ଷକ ପାଇଁ ଜେଲ୍ ଯିବା ଖବର ଖବରକାଗଜରେ ବାହାରିଲା ପରେ ତା’କୁ ପଢ଼ି ତାଙ୍କ ଘରେ ଚଡ଼କ ପଡ଼ିଲା ଜାଣ । ପ୍ରତିଭା କିମ୍ଵା ଜାହ୍ନବୀ ଦେବୀ କାହାରି ସ୍ପଷ୍ଟ ଧାରଣା ନ ଥିଲା । ଜେଲଖାନା ବିଷୟରେ । କେବଳ ଏତିକି ଯେ ତାହା ଗୋଟାଏ ଭୟାନକ ଜାଗା, ଯେଉଁଠି ଚୋର ଡକାଏତମାନଙ୍କୁ ଖୁବ୍ ମାଡ଼ ଦିଆଯାଏ, ଏବଂ ସେମାନଙ୍କଠାରୁ ଖୁବ୍ ଶକ୍ତ କାମମାନ ଆଦାୟ କରାଯାଏ । ଖବରଟା ପାଇଲାକ୍ଷଣି ଜାହ୍ନବୀ ଦେବୀ ଅର୍ଦ୍ଧମୂର୍ଚ୍ଛିତା ହୋଇଗଲେ, ଏବଂ ସେଦିନ ତାଙ୍କ ଘରେ ଖିଆପିଆ ବନ୍ଦ । ରାମହରିବାବୁ ହତବାକ୍ ହୋଇ ବସିଥାଆନ୍ତି । ସେ ଲବ୍ଧପ୍ରତିଷ୍ଠ ଲୋକ । ଅନେକ ଦିନ ତଳେ ତାଙ୍କୁ ଜଣେ ଅପମାନ କରି କ’ଣ କହିଥିବାରୁ ସେ ତା’କୁ ଜେଲ୍ ଦିଆଇଥିଲେ । ଆଜି ତାଙ୍କରି ପୁଅ ଜେଲରେ, ଲୋକେ କ’ଣ କହିବେ,–ଏଇ ଚିନ୍ତା ତାଙ୍କ ମନକୁ ଘାରିହେଉଥାଏ । ତା’ଛଡ଼ା ତାଙ୍କ ମନରେ ଭୟ ଆସୁଥାଏ ଯେ, ପୁଅ ସରକାର ବିରୋଧରେ ଲାଗି ଜେଲ୍ ଗଲାଣି, ଏଥିରେ ତାଙ୍କ ଜମିଦାରୀ ଉପରକୁ ବାଧା ଆସିବ ନାହିଁ ତ ?

 

ତୁହାଏ କାନ୍ଦଣା କାନ୍ଦି ସାରିଲାପରେ ଜାହ୍ନବୀ ଦେବୀ ତାଙ୍କ ସ୍ଵାମୀଙ୍କ ସାଙ୍ଗରେ ଲଗେଇଲେ ଯେ ଯେତେ ଟଙ୍କା ଖର୍ଚ୍ଚ ହେଉପଛେ, ତମେ ମୋ ପୁଅକୁ ମୁକୁଳେଇ ଆଣ । “ମୁଁ କ’ଣ ବୁଝିନାହିଁ ସେ କଥା ? କିନ୍ତୁ ସେଥିରେ କିଛି ଲାଭ ହେବ ନାହିଁ” ବୋଲି ରାମହରିବାବୁ ତାଙ୍କ କଥାକୁ ଟାଳିଦେବାରୁ ଜାହ୍ନବୀ ଦେବୀ ଚିହିଁକି ଉଠିଲେ । କହିଲେ, “ସବୁ ତ ତୁମେ ବୁଝିଛ ! ଟଙ୍କା ଜମାକରି ରଖିବା ଛଡ଼ା ଆଉ କଣ ଜଣା ଅଛି ତମକୁ ? ଗୋଟିଏ ବୋଲି ପୁଅ, ସେ ଆଜି କି ଅବସ୍ଥାରେ କ’ଣ କରୁଛି… ।”

 

ସ୍ତ୍ରୀଙ୍କ ଭର୍ତ୍ସନା ଓ ବିକଳ କାନ୍ଦଣାକୁ ଆଉ ସହ୍ୟ କରିନପାରି ରାମହରିବାବୁ ଯାଜପୁର ଯାଇ ତାଙ୍କ ଓକିଲ ଅକ୍ଷୟବାବୁଙ୍କ ପରାମର୍ଶ ଲୋଡ଼ିଲେ । କିନ୍ତୁ ସେ କଥାଟା ଆରମ୍ଭ କରୁ ନ କରୁଣୁ ଅକ୍ଷୟବାବୁ ଆଗତୁରା କହିଲେ, “କାଲି ଖବରକାଗଜରେ ଦେଖିଲି ଯେ ନବୀନ ବର୍ଷେ ଜେଲ୍ ଯାଇଛି । ବାସ୍ତବିକ୍ ରାମହରିବାବୁ, ଆପଣ ଗାଁରେ ସିନା ଜମିଦାର ବୋଲି ନାଁ କମେଇଥିଲେ, ମାତ୍ର ନବୀନ ଆଜି ଦେଶସାରା ପୂଜା ପାଉଛି…” ଇତ୍ୟାଦି ।

 

ପୁଅର ଏଭଳି ପ୍ରଶଂସା ଶୁଣି ରାମହରିବାବୁ କ’ଣ କହିବେ ବୁଝିପାରିଲେ ନାହିଁ । ଯେଉଁ ବିଷୟରେ ତାଙ୍କର ଭୟ ଥିଲା, ତା’କୁ ବି ଅକ୍ଷୟବାବୁ ହସି ହସି ଦୂର କରିଦେଲେ । କହିଲେ, “ନା, ସେ ଆଇନ୍ ବଦଳି ଯାଇଛି । ଆଗେ ୧୨୪ଦଫାରେ ସମ୍ପତ୍ତି ବାଜ୍ୟାପ୍ତ କରିବା କଥା ଥିଲା, କିନ୍ତୁ ସଂଶୋଧିତ ଆଇନରେ ସେଭଳି କୌଣସି ବ୍ୟବସ୍ଥା ନାହିଁ ।” କହୁ କହୁ ସେ କହିଲେ କେମିତି କେତେ ବଡ଼ ବଡ଼ ବାରିଷ୍ଟର ଓ ଦେଶର ଧନୀ ତଥା ଗଣ୍ୟମାନ୍ୟ ଲୋକ, ଯଥା–ମୋତିଲାଲ୍ ନେହେରୁ, ଚିତ୍ତରଞ୍ଜନ ଦାସ, ଲାଲା ଲଜ୍‍ପତ୍ ରାୟ ଓଗେର ଜେଲ୍ ଗଲେଣି, ଏବଂ ଆପଣଙ୍କ ପୁଅ ସେଇ ବାଟରେ ଯାଇ ଓଡ଼ିଶାର ନାଆଁ ରଖିଲା ବୋଲି କହିବାକୁ ହେବ ।

 

ଅଗତ୍ୟା ରାମହରିବାବୁ ଯଥାଶୀଘ୍ର ବିଦାୟ ନେଇ ଫେରିଆସିଲେ ସେଠୁଁ ।

 

(୨୭)

 

ଯାଜପୁରରୁ ଫେରିଲାପରେ ରାମହରିବାବୁଙ୍କ ଦୁଶ୍ଚିନ୍ତା କିଛିଟା କଟି ଯାଇଥିଲା । ଘରକୁ ଫେରିଆସି ସେ ସ୍ତ୍ରୀଙ୍କୁ ଶୁଣାଇଲେ, “ପୁଅ ଜେଲ୍ ଯାଇଛି ତ କ’ଣ ହେଲା ? କେତେ ବଡ଼ ବଡ଼ ଲୋକ ଜେଲରେ ଅଛନ୍ତି । ଭଗବାନ୍ ଯଦି କରନ୍ତି, ଯଦି ଗାନ୍ଧୀ ମହାତ୍ମା ଜିତି ଯାଆନ୍ତି, ତେବେ ସେହି ପୁଅ ଯୋଗୁଁ କ’ଣ ହେବ ଦେଖିବ । ସବୁଆଡ଼େ ନବୀନର ନାଆଁ, ତା’ରି ପ୍ରଶଂସା… ।”

 

ରାମହରିଙ୍କର ଏ ପ୍ରକାର ଦୃଢ଼ ସାନ୍ତ୍ଵନା ଜାହ୍ନବୀ ଦେବୀଙ୍କୁ ଅନେକ ପରିମାଣରେ ଶାନ୍ତ କରିଥିଲା, ମାତ୍ର ମାଆର ମନ ସହଜେ ବୁଝୁନଥାଏ । ଏଣେ ପ୍ରତିଭାର ଯେଉଁ ଅଭିମାନ ଥିଲା ନବୀନଙ୍କ ପ୍ରତି, ତାହା କୁଆଡ଼େ ଉଡ଼ି ଚାଲିଗଲାଣି । ଜେଲରେ ସେ କିଭଳି ନିର୍ଯ୍ୟାତନା ଭୋଗୁ ନଥିବେ, ସେକଥା ଭାବି ତା’ ମନରେ ଯେଉଁ ଦୁଃଖ ଆସୁଥାଏ, ତା’ ସାଙ୍ଗକୁ ମଧ୍ୟ ଗର୍ବ ଆସୁଥାଏ ଯେ ତା’ ସ୍ଵାମୀ ଡରିମରି ଚୋରଙ୍କ ପରି ଧରାହୋଇ ଜେଲ୍ ଯାଇନାହାନ୍ତି । ସେ ବୀରପରି ଜେଲ୍‍ଖାନା ଭାଙ୍ଗି ପଶିଛନ୍ତି ତା’ ଭିତରେ । ଦେଶର ଚାରିଆଡ଼େ କେତେ ବଡ଼ବଡ଼ ଲୋକ ମଧ୍ୟ ଜେଲ୍ ଯାଇଛନ୍ତି, ଯାହା ସେ ଖବରକାଗଜରେ ପଢ଼ିଛି । କିନ୍ତୁ ମହେନ୍ଦ୍ରବାବୁ ଏତେ ବଡ଼ ଶିକ୍ଷିତ ଲୋକ ଏହାର ବିରୁଦ୍ଧରେ ଲେଖୁଛନ୍ତି କାହିଁକି ? ସ୍ଵାମୀଙ୍କ ପ୍ରତି ତା’ ହୃଦୟର ଭାବୋଚ୍ଛ୍ୱାସ ଏତେ ବଢ଼ି ଯାଇଥାଏ, ସେ ଅନ୍ୟ କୌଣସି ଯୁକ୍ତିକୁ ଗ୍ରହଣ କରିପାରୁ ନଥାଏ ।

 

ଜାହ୍ନବୀ ଦେବୀ କ୍ରମଶଃ ଲକ୍ଷ୍ୟକଲେ ଯେ ବୋହୂ ବୋଧହୁଏ ଭାଳି ହେଉଛି ତାଙ୍କ ପୁଅ ପାଇଁ, ଯେଉଁଥିରେ ସେ ଅଳ୍ପବହୁତ ଆନନ୍ଦିତ ହେଲେ । କିନ୍ତୁ ତାଙ୍କୁ ଦୁଃଖଲାଗିଲା ଯେ ଦିନକୁ ଦିନ ସେ ଶୁଖିଲା ଦେଖାଯାଉଛି । ବେଶଭୂଷାରେ ସରାଗ ନାହିଁ । ଦିନେ ତାଙ୍କ ଦୃଷ୍ଟିରେ ପଡ଼ିଲା, ସେ ହାତରୁ ସୁନାଚୂଡ଼ି କାଢ଼ିଦେଇ କାଚଚୂଡ଼ି ପିନ୍ଧିଛି । ଶେଷକୁ ସେ ମଧ୍ୟ ବୋହୂକୁ ସାନ୍ତ୍ଵନା ଦେବାକୁ ଆରମ୍ଭ କଲେ–“ଜେଲ୍ ଯିବାରେ କିଛି ନାହିଁ, କେତେ ବଡ଼ ବଡ଼ ଲୋକ ଜେଲ୍ ଯାଉଛନ୍ତି… ଗାନ୍ଧୀ ମହାତ୍ମାଙ୍କ କଥାରେ ପୃଥିବୀ ଓଲଟପାଲଟ ହେଉଛି…ବର୍ଷୁଟାଏ କାଲିପରି ଚାଲିଯିବ, ନବୀନ ଏ ମୁଲକର ରାଜା ହୋଇ ଆସିବ…” ଇତ୍ୟାଦି । କିନ୍ତୁ ତାଙ୍କର ଦୁଃଖ ହେଉଥାଏ ଯେ ତାଙ୍କର ଉଦ୍ୟମ ସଫଳ ହେଉନାହିଁ ।

 

(୨୮)

 

ଦିନେ ରାମହରିବାବୁ ଗାଧୋଇ ଯିବାପାଇଁ ତେଲ ଲଗାଉଛନ୍ତି, ଏହି ସମୟରେ ପ୍ରକାଶ ତାଙ୍କ ଆଗରେ ଉଭା ହୋଇ ତାଙ୍କୁ ନମସ୍କାର କଲେ । ତେଲ ଲଗାଇବାବେଳେ ନମସ୍କାର କରିବା ବିଧି ନୁହେଁ, ଏଣୁ ରାମହରିବାବୁ ଟିକିଏ ବିରକ୍ତ ହେଲେ । ତା’ପରେ ସେ ଯେତେବେଳେ ପ୍ରକାଶଙ୍କ ମୁହଁକୁ ଭଲକରି ଅନାଇଲେ, ସେ ଜାଣିଲେ ଯେ ଗାନ୍ଧୀବାଦର ଜଣେ ମୁଖିଆ ଆସିଛନ୍ତି, ଏବଂ ତାଙ୍କୁ ଉଚିତ ବ୍ୟବହାର କରି ବିଦାୟ ଦେବାକୁ ହେବ । ସେହେତୁ ସେ ତାଙ୍କୁ ଯଥାବିଧି ସମ୍ମାନ ଦେଖାଇ ବସିବାକୁ କହିଲେ । ପ୍ରକାଶ ଯେତେବେଳେ କହିଲେ ଯେ ସେ କଟକର ସ୍ୱରାଜ ଆଶ୍ରମରୁ ଆସିଛନ୍ତି, ଏବଂ ଏଠି କିଛିଦିନ ରହିବା ପାଇଁ ଚାହାଁନ୍ତି, ସେ ତାଙ୍କୁ ସାବଧାନ ହୋଇ ସ୍ୱାଗତ ଜଣାଇଲେ, ଏବଂ ନବୀନର ଖବର ଅନ୍ତର ପଚାରିଲେ । ତା ପରେ ଦୁଃଖର ଛଳନା କରି କହିଲେ, “ଏ ଅଞ୍ଚଳର ଲୋକେ ତା କଥା ଶୁଣିଲେ ନାହିଁ, ତେଣୁ ସେ ବିମୁଖ ହୋଇ କଟକ ଚାଲିଗଲା ।” ତା’ପରେ ଆଉ କଅଣ କଥାବାର୍ତ୍ତା ଚଳାଇବାକୁ ହେବ ଭାବି ନପାରି ସେ ତରତର ହୋଇ ଗାଧୋଇବାକୁ ବାହାରିଗଲେ, ଏବଂ ଚାକରକୁ କହିଗଲେ ଅତିଥିଙ୍କ ଖବର ବୁଝିବା ଲାଗି ।

 

ଜାହ୍ନବୀ ଦେବୀଙ୍କ ପାଖରେ ଖବର ପହଞ୍ଚିଲା ଯେ ପୁଅ ପାଖରୁ ଜଣେ ଲୋକ ଆସିଛି-। ତେଣୁ ସେ ଦୁଆର ପାଖରେ ଆଡ଼େଇ ହୋଇ ପ୍ରକାଶଙ୍କୁ ଦେଖିଲେ ଏବଂ ଶୁଣିଲେ ଯାହା କଥାବାର୍ତ୍ତା ହେଲା ରାମହରିବାବୁ ଓ ତାଙ୍କ ଭିତରେ । ବିରକ୍ତ ହେଲେ ଯେ ସ୍ୱାମୀ ନବୀନ ବିଷୟରେ ବେଶି କିଛି ପଚାରୁନାହାନ୍ତି । ପୁଣି ଗୋଟାଏ ଅଯଥା ମନ୍ତବ୍ୟ କଲେ ତା’ର କଟକ ଯିବାର ବିଚାରକୁ ନେଇ । ପ୍ରତିଭା ମଧ୍ୟ ଖିଡ଼ିକି ଫାଙ୍କାରେ ଶୁଣୁଥିଲା ଦିହିଁଙ୍କ କଥା । ଏବଂ ତା’ର ମଧ୍ୟ ଇଚ୍ଛାହେଲା ଭଦ୍ରଲୋକଙ୍କ ପାଖକୁ ଯାଇ ସ୍ୱାମୀଙ୍କ ଖବର ଆଉ ଟିକିଏ ବୁଝନ୍ତା ଭଲ ଭାବରେ-

 

ରାମହରିବାବୁ ଗାଧୋଇ ଆସିଲା ପରେ ପ୍ରକାଶ ଗୋଟାଏ ପ୍ରସ୍ତାବ କଲେ ଯାହା ତାଙ୍କୁ ଅଦ୍ଭୁତ ବୋଲି ମନେହେଲା । କାରଣ ସେ କହିଲେ ଯେ, ସେ ନବୀନଙ୍କ ସ୍ତ୍ରୀଙ୍କ ସାଙ୍ଗରେ ଦେଖାକରିବାକୁ ଚାହାଁନ୍ତି । ରାମହରିବାବୁ ଯେତେବେଳେ ତାଙ୍କୁ ଗାଳିଦେବା ଉଦ୍ଦେଶ୍ୟରେ କହିଲେ ଯେ ସେପରି ଶିକ୍ଷିତା ନୁହେଁ, ପ୍ରକାଶ ଉତ୍ତର ଦେଲେ ଯେ ସେଥିରେ କିଛି ଯାଏ ଆସେ ନାହିଁ, ନବୀନ ଯେଉଁ ପଥର ପଥିକ ତାଙ୍କର ସ୍ତ୍ରୀ ସେହି ପଥରେ ଚାଲିବା ଉଚିତ, ଏବଂ ଶିକ୍ଷିତ, ଅଶିକ୍ଷିତ, ଗାଁ ଓ ସହରର କି ପୁରୁଷ କି ସ୍ତ୍ରୀ ସମସ୍ତେ ସେହି ପଥର ପଥିକ ହୋଇପାରିବେ । ସେଇଠୁଁ ରାମହରିବାବୁ ଆଉ ଗୋଟାଏ ବାହାନା କଲେ ଯେ ନବୀନର ବୋଉ ମରହଟ୍ଟୀ ଧରଣର ଲୋକ, ତେଣୁ ସେ ରାଜି ହେବ କି ନାହିଁ କହିହେବ ନାହିଁ । କିନ୍ତୁ ପ୍ରକାଶଙ୍କ ଅନୁରୋଧ କ୍ରମେ ତାଙ୍କୁ ପଚରା ହେଲାରୁ ସେ ମଧ୍ୟ କୌଣସି ଆପତ୍ତି ଉଠାଇଲେ ନାହିଁ । କାରଣ, ଶାଶୁ ବୋହୂ ଦିହିଁଙ୍କର ପ୍ରବଳ ଇଚ୍ଛା ହେଲାଣି ନବୀନଙ୍କ ବିଷୟରେ ଆଉକିଛି ଜାଣିବା ପାଇଁ । ସେହେତୁ ରାମହରିବାବୁ ଫେରିଆସି ପ୍ରକାଶଙ୍କୁ କହିଲେ ବାଧ୍ୟହୋଇ, “ସେମାନେ ରାଜି ହେଉନଥିଲେ, ମୁଁ ଜିଦି କଲାରୁ ରାଜି ହୋଇଛନ୍ତି । ଆପଣ ଏଇ ଦୁଆର ପାଖକୁ ଆସନ୍ତୁ, ସେମାନେ ଭିତରେ ସେଇଠି ବସି କଥାବାର୍ତ୍ତା କରିବେ ।”

 

(୨୯)

 

କିଛି ସମୟ କଥାବାର୍ତ୍ତା ଧୀରେ ଧୀରେ ଚାଲିବା ପରେ ସଙ୍କୋଚ ହଟିଗଲା । ଜାହ୍ନବୀ ଦେବୀ ପୁଅର ଖାଇବାପିଇବା ଓ ଚଳଣି ବିଷୟରେ ଯାବତୀୟ ଘରୋଇ ପ୍ରଶ୍ନ ପଚାରିଲେ ଏବଂ ପ୍ରକାଶ ସେଥିର ସରଳ ଓ ସସ୍ନେହ ଉତ୍ତର ଦେଉଥାଆନ୍ତି । ହେଲେ ପ୍ରକାଶ ଦିହିଁଙ୍କ ଭିତରୁ କାହାରିକୁ ଭଲଭାବରେ ଦେଖିପାରୁ ନଥିଲେ । ଶେଷକୁ ସେ କୋମଳ କଣ୍ଠରେ କହିଲେ, “ମାଆ, ମୁଁ ତୁମର ପୁଅ । ନବୀନ ଯେପରି, ମୁଁ ବି ସେପରି । ମାଆପୁଅ କ’ଣ ଏମିତି ଆଡ଼ହୋଇ କଥାବାର୍ତ୍ତା କରନ୍ତି ? ତା’ ଛଡ଼ା ମୁଁ ତ ଏଠି ରହିବିବୋଢଲି ଆସିଛି । ନବୀନ ଜେଲରୁ ଫେରିବା ଯାଏଁ ମୁଁ ରହିବି ଏଠି, ଘରର ପୁଅପରି…. ।”ଜାହ୍ନବୀ ଦେବୀ ଖୁସି ହୋଇଉଠିଲେ ଯେ ପୁଅ ଜେଲରୁ ବାହାରି ଘରକୁ ଫେରିବ । ଏବଂ ପୁଣି ସେ ବିଷୟରେ ପଚାରିଲାରୁ ପ୍ରକାଶ ତାଙ୍କୁ ଆଶ୍ୱାସନା ଦେଲେ, ସେ ନିଶ୍ଚୟ ଘରକୁ ଫେରିବ, ସେ ନିଜେ ତାଙ୍କୁ ନେଇ ଆସିବେ ଏଠିକି । ଏହିପରି ଭାବରେ ଏକ ସଂଙ୍କୋଚବିହୀନ ଆତ୍ମୀୟତା ଆସିଗଲା ଦିହିଁଙ୍କ ମଧ୍ୟରେ ଏବଂ ଜାହ୍ନବୀ ଦେବୀ ପ୍ରକାଶଙ୍କୁ ପଚାରିଲେ, ‘ବାପା, ତମ ଘର କେଉଁଠି ?’ ପ୍ରକାଶ ହସିଦେଇ କହିଲେ, “ମା, ମୋର ଘର ନାହିଁ । ଯେଉଁଠି ରହିବି ସେଠି ମୋର ଘର । ମୋର ବାପମାଆ ବନ୍ଧୁବାନ୍ଧବ କେହି ନାହାଁନ୍ତି । ସେଇଥିଲାଗି ମୁଁ ତୁମକୁ ମାଆ ବୋଲି ଡାକୁଛି ।” ସେଇଠୁଁ ଜାହ୍ନବୀ ଦେବୀ କରୁଣା–ବିଗଳିତ ହୋଇ କହିଲେ, “ବାପ, ତୁ ଏଇଠି ରହ । ନବୀନ ଆସିଲେ, ଯେଉଁଠିକି ମନ ସେଠିକି ଯିବୁ ।”

 

ପ୍ରତିଭା ଏକ ଧ୍ୟାନରେ ଶୁଣୁଥିଲା ଦି’ଜଣଙ୍କ କଥାବାର୍ତ୍ତା । ଯେତେବେଳେ ସେ ଶୁଣିଲା ଯେ ନବୀନ ଜେଲରୁ ଖଲାସ ହୋଇ ଘରକୁ ଫେରିବେ, ତା’ର ଦେହ ପୁଲକିତ ହୋଇଉଠିଲା । ତା’ପରେ ତା’ ମନକୁ ଆସିଲା,–ସେ ଆସିଲେ ମୋତେ ପଚାରିବେ ତ ? କିଭଳି ବ୍ୟବହାର କଲେ ସେ ମୋତେ ପଚାରିବାକୁ ବାଧ୍ୟ ହେବେ ? କିନ୍ତୁ ଯଦି ନ ପଚାରନ୍ତି ? ଦୀର୍ଘ ନିଃଶ୍ୱାସଟିଏ ପକେଇ ସେ ନିଜର ଉଦବେଗକୁ ଦବାଇବା ପାଇଁ ଚେଷ୍ଟା କରୁଥାଏ ।

 

ରାମହରିବାବୁ ମଧ୍ୟ ଦୂରରୁ ଶୁଣୁଥିଲେ ସେମାନଙ୍କ କଥା । ସେ ଯେତେବେଳେ ଶୁଣିଲେ ଯେ ନବୀନ ଆସିବା ପର୍ଯ୍ୟନ୍ତ ଏ ଲୋକ ତାଙ୍କ ଘରେ ରହିବ ତାଙ୍କୁ କଥାଟା ନିହାତି ଅଡ଼ୁଆ ଲାଗିଲା । ତାଙ୍କର ବିଷୟବୁଦ୍ଧି ଯେପରି, ସେଇଥିରୁ ତାଙ୍କ ମନକୁ ଆସିଲା ଯେ ପ୍ରକାଶ ଏଠି ରହିବା ଅର୍ଥ ବିପଦକୁ ଆମନ୍ତ୍ରଣ କରି ଆଣିବା ।

 

(୩୦)

 

ଦିନରେ ରାମହରିବାବୁ ଭାତ ଖାଇଲାବେଳେହିଁ ତାଙ୍କ ସ୍ତ୍ରୀଙ୍କ ସାଙ୍ଗରେ କଥାବାର୍ତ୍ତା କରନ୍ତି, ସାଧାରଣତଃ । କିନ୍ତୁ ଗତ କେତେଦିନ ହେଲା ସେ ଗମ୍ଭୀର ହୋଇ ତଳକୁ ମୁହଁ କରି ଏକଧ୍ୟାନରେ ଖାଇଦେଇ ବାହାରି ଯାଉଛନ୍ତି । ତେବେ ହଠାତ୍ ଦିନେ ସେ ଗଳା ସାଫ୍ କରି ଆରମ୍ଭ କଲେ, “ଆଜିକି ମାସେ ହେଲା ମୁଁ କିଛି ପାଟି ଫିଟାଉ ନଥିଲି । କିନ୍ତୁ ଦେଖୁଛି, ବର୍ତ୍ତମାନ ମୁହଁ ନ ଖୋଲିଲେ ନ ହୁଏ”…. ତାଙ୍କର ଧାରଣା ଥିଲା ଯେ ସେ ଯାହା କହିବେ ତା’କୁ ଶୁଣିବା ପାଇଁ ଜାହ୍ନବୀ ଦେବୀ କେଉଁଠି ଖୁଣ୍ଟ ଉହାଡ଼ରେ ଥିବେ । କିନ୍ତୁ ତାଙ୍କଆଡ଼ୁ କୌଣସି ଉତ୍ତର ନମିଳିବାରୁ ସେ ପୂଜାରୀକୁ ପଚାରିଲେ, ସେ ତରକାରୀ ନେଇ ଆସିଲାରୁ-“ମାଆ ଏଠି ନାହାଁନ୍ତି କିରେ ?” ପୂଜାରୀ ଏଣେତେଣେ ଅନେଇ ଧୀରେ ଧୀରେ କହିଲା, “ନା ସେ ରୋଷେଇ ପରସ୍ତରେ ଅଛନ୍ତି । ସେ ବାବୁ ଖାଉଛନ୍ତି ଯେ, ସେଇଠି ବସି କଥା ହେଉଛନ୍ତି ।”

 

ଏକଥା ଶୁଣି ରାମହରି ରାଗରେ ଲାଲ୍ ହୋଇ ଗର୍ଜିଉଠିଲେ, ‘‘କଅଣ ହେଲା ? ସେ ରୋଷେଇ ଘର ପରସ୍ତରେ ଖାଉଛି ? ଏଇଟା କ’ଣ ଧର୍ମଶାଳା ହୋଇଗଲା କି ?” ପୂଜାରୀ ଜାହ୍ନବୀ ଦେବୀଙ୍କୁ ଯାଇ ଖବର ଦେବାରୁ ସେ ଆସି ପହଞ୍ଚିଗଲେ ଏବଂ ପଚାରିଲେ, “କଅଣ ମ ବକୁଛ ଏମିତି ? ହୋଇଛି କ’ଣ ?” ସେଇଠୁଁ ରାମହରିବାବୁ ଉତ୍ତେଜିତ ଭାବରେ କହି ଚାଲିଲେ, “ହୁଅନ୍ତା କ’ଣ ଆଉ ? ଜାତି ଗଲା, ଧର୍ମ ଗଲା, ଶେଷରେ ଜମିଦାରୀ ଯିବା ଉପରେ । ଶାସ୍ତ୍ର କହୁଛି ଅଜଣା ଲୋକଙ୍କୁ ପିଣ୍ଡାରେ ବସିବାକୁ ଦେବ ନାହିଁ । କିନ୍ତୁ ଆମର ଇଏ ଦିନସାରା ଘରେ ପଶି କ’ଣ ସବୁ ଫୁସୁରୁ ଫାସର ହେଉଛି ତମମାନଙ୍କ ସାଙ୍ଗରେ । ରୋଷେଇ ପରସ୍ତରେ ଖାଉଛି । ଆଉ ଏଠୁ ଯାଇ କୋଉ ପାଣସାହି ହାଡ଼ିସାହିରେ ବୁଲୁଛି । ସେଦିନ ଗୋଟାଏ ପ୍ରଜା ଆସି ମୋତେ ଦଣ୍ଡବତ ହେଲାରୁ ତା’କୁ କହିଲା ଯେ ମୁଣ୍ଡ କାହାରି ପାଖରେ ନୋଇଁବ ନାହିଁ, ଆମେ ସମସ୍ତେ ମଣିଷ, ସମସ୍ତେ ସମାନ… ।” ଶେଷକୁ ଜାହ୍ନବୀ ଦେବୀ ଟାଣରେ କହିଲେ ତାଙ୍କୁ, “କ’ଣ ଗୁଡ଼ାଏ କହିଯାଉଛ ମ ? ରୋଷେଇ ପରସ୍ତରେ ଜଣେ ଖାଇଲା ବୋଲି କ’ଣ ରୋଷେଇ ଘର ମାରା ହୋଇଗଲା ? ଆଉ ମୋତେ କାହିଁକି କହୁଛ ଏତେ କଥା ? ଯାଉନା’ ତା’କୁ କହିବ ?” ଜାହ୍ନବୀ ଦେବୀଙ୍କୁ ଜଣାଥିଲା ଯେ ସେ ମୁହଁରେ ପ୍ରକାଶ ବାବୁଙ୍କୁ କିଛି କହିପାରନ୍ତି ନାହିଁ, ସବୁକଥାରେ ‘ହଁ’ ମାରନ୍ତି । ସେଇଠୁଁ ରାମହରିବାବୁ ଗରଗର ହୋଇ ଆହୁରି କେତେ କ’ଣ କହି ଉଠି ବାହାରିଗଲେ ଭାତଥାଳି ଉପରୁ ।

 

(୩୧)

 

ତେବେ ଧୈର୍ଯ୍ୟର ଗୋଟାଏ ସୀମା ଅଛି । ସୀମା ପାରି ହୋଇଗଲେ ନିଜକୁ ସମ୍ଭାଳିବା କଠିନ ହୋଇପଡ଼େ । କିଛିଦିନ ପରେ ସେହିଭଳି ଏକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଲା ରାମହରିବାବୁଙ୍କୁ । ଜଣେ ପ୍ରଜା ଆସିଥିଲା କହିବା ପାଇଁ ଯେ ସେ ଏ ବର୍ଷ ଖଜଣା ଦେଇପାରିବ ନାହିଁ । କିନ୍ତୁ ରୀତି ଅନୁଯାୟୀ ଗୋଡ଼ତଳେ ଲମ୍ବିଯାଇ କାକୁତି ମିନତି ନହୋଇ ସ୍ପଷ୍ଟଭାବରେ କହିଲା ଯେ ଘରେ ଖାଇବାକୁ ନାହିଁ, ତେଣୁ ସେ ଖଜଣା ଦେବାକୁ ଅକ୍ଷମ । ଏଭଳି ଦମ୍ଭରେ କୌଣସି ପ୍ରଜା ତାଙ୍କୁ କହି ନଥିଲେ ଏଥିପୂର୍ବରୁ । ତେଣୁ ରାମହରିବାବୁ ପାଟି କରି ଉଠିଲେ-“ଅତି ବଢ଼ି ବଢ଼ି କଥା କହୁଛି ତ, ଲଗା’ ତାକୁ–”, ଏବଂ ସଙ୍ଗେ ସଙ୍ଗେ ଗୋଟାଏ ପିଆଦା ଆସି ବିଧା ଚାପୁଡ଼ା କଷି ଦେଇଗଲା ଲୋକଟା ଉପରେ । ସେ ‘ବାପା ଲୋ ମାଆ ଲୋ’ ବୋଲି ଚିତ୍କାର କରିଉଠିଲାରୁ ପ୍ରକାଶ ବାହାରି ଆସିଲେ ଏବଂ ଠିଆହେଲେ ତା’ ପାଖରେ । ପ୍ରକାଶଙ୍କୁ ଦେଖି ବଳପାଇଲା ପରି ସେ କହିଲା, “ଆଜି ମୋ ଦେହରେ ବଳ ନାହିଁ, ମୁଁ ଓଲଟି ମାଡ଼ଦେଇ ପାରୁନାହିଁ-। ମାତ୍ର ସବୁଦିନେ ମୁଁ ଦୁର୍ବଳ ହୋଇ ରହିବି ନାହିଁ । ତା’ ଯଦି ନ ହୁଏ, ମୋ ପୁଅନାତି ଏଇ ମାଡ଼ର ବଦଲା ନେବେ ।” ସେଇଠୁଁ ରାମହରିବାବୁ ଆହୁରି ଗର୍ଜନ କରିଉଠିଲେ ତା’ ଉପରେ, ଏବଂ ପିଆଦା ଦ୍ଵିଗୁଣ ଉତ୍ସାହରେ ତା’କୁ ଆହୁରି ମାଡ଼ ଦେବାକୁ ଲାଗିଲା । ପ୍ରକାଶ ତଥାପି ଠିଆହୋଇ ରହିଥିବାର ଦେଖି ପିଆଦା ତାଙ୍କୁ କହିଲା ବିରକ୍ତ ସ୍ୱରରେ, “ଯାଆନ୍ତୁ ଆପଣ । ଏଠି ଜମିଦାରୀ ବୁଝା ଜାଗାରେ ଆପଣ କାହିଁକି ଛିଡ଼ା ହୋଇଛନ୍ତି ?” ପ୍ରକାଶ ଅଳ୍ପ ହସି କହିଲେ, “ମୁଁ ଛିଡ଼ା ହୋଇଛି, ଦେଖୁଛି କେତେ ସହଜରେ ମଣିଷର ପ୍ରାଣବାୟୁ ଟିକକ ଚାଲିଯାଏ ।” ସେଇଠୁଁ ରାମହରିବାବୁ ଉତ୍‍କ୍ଷିପ୍ତ ହୋଇ ନିଜ ଆସନରୁ ଉଠି ପଡ଼ି କହିଲେ ତାଙ୍କୁ, “ଯାଆନ୍ତୁ ଆପଣ ଏଠୁଁ । ଆମର ଏ ଅଞ୍ଚଳଟି ଭଲଥିଲା । ଆପଣ ଆସି ଏ ମୂର୍ଖଙ୍କୁ ମତେଇ ଯେତେକ ଅଡ଼ୁଆ ସୃଷ୍ଟି କଲେଣି-।” ପ୍ରକାଶ କିଛି ସମୟ ନୀରବରେ ଛିଡ଼ାହୋଇ ଥରେ ଟାଣକରି ରାମହରିଙ୍କୁ ଚାହିଁ ସିଧା ଘର ଭିତରକୁ ଗଲେ । ରାମହରିବାବୁ ଉପସ୍ଥିତ ଲୋକମାନଙ୍କୁ ଜଣାଇଦେଲେ ଯେ ଲୋକଟା ଖାଇବାକୁ ପାଉନଥିଲା, ଗଣ୍ଡାଏ ଖାଇ ଏଠି ପଡ଼ିଛି ‘ଧର୍ମପୁଅ’ ବନି ।

 

କିଛିକ୍ଷଣ ପରେ ପିଆଦା ଆସି ରାମହରିଙ୍କ କାନରେ କ’ଣ ଚୁପ୍ ଚୁପ୍ କରି କହିଲା । ରାମହରି କିଛିସମୟ କଅଣ ଭାବି ତା’କୁ ଧୀରେ ଧୀରେ କଅଣ କହିଲେ । ତା’ପରେ ହଠାତ୍ ଉଠିପଡ଼ି ଭିତରକୁ ଚାଲିଗଲେ ।

 

(୩୨)

 

ଘର ଭିତର ପାଖ ବାରଣ୍ଡାରେ ଜାହ୍ନବୀ ଦେବୀ ଓ ପ୍ରକାଶ ବସି କଥାବାର୍ତ୍ତା ହେଉଥିଲେ-। ରାମହରି ସେଠି ଯାଇ ଛିଡ଼ା ହୋଇଗଲେ ଏବଂ ଗମ୍ଭୀର ହୋଇ କହିଲେ, “ଦେଖ ପ୍ରକାଶବାବୁ, ବହୁତ ଦିନ ମୁଁ ତୁମକୁ ଏଠି ରହିବାକୁ ଦେଲି । ବର୍ତ୍ତମାନ ତୁମେ ଏଠୁଁ ଚାଲିଯାଅ, ନହେଲେ ।” ପ୍ରକାଶ ଉଠିପଡ଼ି ହସିଦେଇ କହିଲେ, “ମୋର କଅଣ ଅଛି, ଆଜି ଏଇକ୍ଷଣି ମୁଁ ଏଠୁଁ ଯାଉଛି । କେବଳ ମାଆଙ୍କ ଅନୁମତି ମୋର ଲୋଡ଼ା । ଆପଣ ତାଙ୍କୁ କହି ମୋତେ ଅନୁମତି ଦିଆଇ ଦିଅନ୍ତୁ, ମୁଁ ଚାଲିଯିବି ।” ଏତିକି କହି ସେ ବାହାରକୁ ଚାଲିଗଲେ ।

 

ଜାହ୍ନବୀ ଦେବୀ ଚିନ୍ତାକୁଳ ହୋଇ ତଳକୁ ଅନାଇଥାଆନ୍ତି । ସେଇଠୁଁ ରାମହରିବାବୁ ବସିପଡ଼ି ତାଙ୍କୁ ବୁଝାଇବାକୁ ଲାଗିଲେ ଯେ ଇଏ ହେଉଛି ଜମିଦାର ଘର, ଜମିଦାରୀ ବୁଝାରେ ଅନେକ କିଛି କରିବାକୁ ପଡ଼େ । ତେଣୁ ବାହାରର ଲୋକ ଏଠି ସବୁବେଳେ ରହିବା ଠିକ୍ ନୁହେଁ । ଜାହ୍ନବୀ ଦେବୀ କିଛି ସମୟ ନୀରବ ହୋଇ ରହିଲା ପରେ କହିଲେ, “ନବୀନ ଆସିବାକୁ ଦୁଇମାସ ରହିଲା । ନବୀନ ଆସିଯାଉ, ୟେ’ ଯିବ । ୟା’ ସାଙ୍ଗରେ ମୋର କି କଥା ? ନବୀନ ଲାଗି ୟା’କୁ ଧରିଛି । ଏ ଚାଲିଗଲେ ନବୀନ କାଳେ ନଆସିବ !” ରାମହରିବାବୁ କହିଲେ ଯେ ସେଥିରେ କୌଣସି ଆଶଙ୍କା ନାହିଁ, ସେ ନିଜେ ଯାଇ ତା’କୁ ନେଇ ଆସିବେ । ହେଲେ ଜାହ୍ନବୀ ଦେବୀଙ୍କର ମନ ମାନିଲା ନାହିଁ, ଏବଂ ସେ ମୁଣ୍ଡ ହଲାଇବାକୁ ଲାଗିଲେ । ସେଇଠୁଁ ରାମହରିବାବୁ ଆଉ ଧୈର୍ଯ୍ୟ ଧରିପାରିଲେ ନାହିଁ । ଠିଆ ହୋଇପଡ଼ି ରାଗରେ କହିଲେ, ଆଚ୍ଛା ! ହେଉ ଦେଖିବା ସେ କେମିତି ଏଠି ରହିବ !” ଏତିକି କହି ବାହାରକୁ ଚାଲିଗଲେ ।

 

ଜାହ୍ନବୀ ଦେବୀ ଲକ୍ଷ୍ୟକଲେ ଯେ ପ୍ରତିଭା ବସି ଶୁଣୁଥିଲା ଏଇ ସବୁ କଥା । ସେଣୁ ସେ ତାକୁ ପଚାରିଲେ, “କ’ଣ କହୁଛୁ ବୋହୂ ? ସେ ଚାଲିଯିବ ଏଠୁଁ ?” କିନ୍ତୁ ପ୍ରତିଭା ନୀରବ ରହିଲା । ତା’ପରେ ଜାହ୍ନବୀ ଦେବୀ ଭାବି ବସିଲେ ଯେ ପ୍ରକୃତରେ ପ୍ରକାଶ ଯାହା ସବୁ କହୁଛି, କହୁଛି ଯେ ଜମିଦାରୀ ରଖିବା ଠିକ୍ ନୁହେଁ, ଠାକୁର ସେବା କିଛି ନୁହେଁ, ଲୋକେ ହେଉଛନ୍ତି ଠାକୁର, ତାଙ୍କରି ସେବା କରିବା ହିଁ ଧର୍ମ ଏସବୁ କଥା ତାଙ୍କ ମନକୁ ବି ପାଉନାହିଁ ବେଳେବେଳେ । ତେବେ ନବୀନକୁ ଆଣିବା ପାଇଁ ତାକୁ ଅଟକେଇବା କଥା । ସେ ଆଉ କିଛିଦିନ ରହିଲେ ଆମର କ’ଣଟା ଲୋକସାନ ହୋଇଯାଉଛି ? ସେଇଠୁଁ ସେ କେବେ ନବୀନ ଆସିବ ବୋଲି ଗୁଣୁଗୁଣୁ ହେଲେ ଏବଂ କହୁ କହୁ ତାଙ୍କ କଣ୍ଠ ରୁଦ୍ଧ ହୋଇଆସିଲା । ତେଣେ ପ୍ରତିଭାର ଆଖି ମଧ୍ୟ ଛଳଛଳ ହୋଇଉଠିଲା । ଏହି ସମୟରେ ଚାକର ଆସି ଭୟେ ଭୟେ କହିଲା, “ବାହାରେ ସାଆନ୍ତେ ମନାକଲେ । ପ୍ରକାଶବାବୁ ଆଉ ଘର ଭିତରକୁ ଆସିବେ ନାହିଁ ।” ଜାହ୍ନବୀ ଦେବୀ ବିରକ୍ତି ପ୍ରକାଶ କରି ବିଡ଼ିବିଡ଼ି ହେଲେ–“ମଲା ମ, ଘରକୁ ଆସିଲେ କ’ଣଟା ହୋଇଯାଉଥିଲା ?”

 

(୩୩)

 

ପ୍ରକାଶ ଯେତେବେଳେ ଜାହ୍ନବୀ ଦେବୀଙ୍କ ସାଙ୍ଗରେ କଥାବାର୍ତ୍ତା ହୁଅନ୍ତି, ପ୍ରତିଭା ସେଠି ସବୁ ବସି ଶୁଣେ । ସେ ମଧ୍ୟ ବେଳେବେଳେ କଥାବାର୍ତ୍ତାରେ ଯୋଗଦିଏ । ହେଲେ ପ୍ରକାଶଙ୍କର ପ୍ରତ୍ୟେକ କଥାକୁ ଗୁଣି ହୋଇ ସେ ତା’କୁ ଆପଣାର କରିନେବାରେ ଲାଗିଥାଏ । ସେ ବୁଝି ପାରୁଥାଏ ଯେ ତା’ର ସ୍ୱାମୀ ଯାହା ଚାହାଁନ୍ତି, ପ୍ରକାଶ ସେହିସବୁ କଥା କହୁଛନ୍ତି ।

 

ଥରେ ପ୍ରକାଶ ଏ ଦେଶରେ ଗରିବ ଓ ବଡ଼ଲୋକମାନଙ୍କ ମଧ୍ୟରେ ଥିବା ବୈଷମ୍ୟ ବିଷୟରେ କହୁ କହୁ କହିଲେ ଯେ ଏହା ଏତେ ଉତ୍କଟ ଯେ ଅଭାବରେ ପଡ଼ି ମା ଝିଅକୁ ସ୍ନେହ କରିବାର ଅବସର ପାଉ ନାହିଁ, ଆଉ ସ୍ୱାମୀ ପେଟଚିନ୍ତାରେ ବିଦେଶ କରି ବର୍ଷକୁ ଥରେ ସୁଦ୍ଧା ନିଜ ସ୍ତ୍ରୀର ମୁହଁ ଦେଖିପାରୁ ନାହିଁ । ଜାହ୍ନବୀ ଦେବୀ କଥାଟାକୁ କର୍ମଫଳ ବୋଲି କହି ଉଡ଼ାଇ ଦେଇଥିଲେ । କିନ୍ତୁ ପ୍ରତିଭାର ମନେପଡ଼ିଲା ତା’ ନିଜ ବାପଘର କଥା । ତା’ ବିବାହ ଦ୍ୱାରା ତା’ ବାପମାଆ କିପରି ସୁଖରେ ରହିବାର ବାଟ ଖୋଜୁଥିଲେ । ଆଉ ମାଆ କେମିତି କାମ କରି କରି ଥକିଯାଏ, କେହି ନାହାନ୍ତି ତା’କୁ ସାହାଯ୍ୟ କରିବା ପାଇଁ । ମଧ୍ୟ ମନେପଡ଼ିଲା, ବାହାଘର ପରେ ପରେ ସିଦ୍ଧେଶ୍ୱର ଏଠିକି ଆସି କିଭଳି ଅପମାନସୂଚକ ବ୍ୟବହାର ପାଇଥିଲା ରାମହରିବାବୁଙ୍କଠାରୁ-। ସେତେବେଳେ ସେ ଭାବିଥିଲା ଯେ ସେ ବୋଧହୁଏ ଭୁଲ୍ ବୁଝିଛି । କିନ୍ତୁ ବର୍ତ୍ତମାନ ସେଇ ଘଟଣାର ସ୍ମୃତିରେ ତା’ ମନରେ ରାଗ ଆସିଲା । ବଡ଼ ଲୋକଙ୍କ ଗରିବ ପ୍ରତି ଏତେ ଅନାଦର-!

 

ପ୍ରକାଶ ଥରେ କହୁଥିଲେ, ଏଠି ସ୍ତ୍ରୀଲୋକମାନଙ୍କ ପ୍ରତି କିଭଳ ବ୍ୟବହାର କରାଯାଏ, ଯାହାକୁ ଏକାନ୍ତ ଅନ୍ୟାୟ ବୋଲି କୁହାଯିବ । ପୁରୁଷ କେମିତି ସ୍ତ୍ରୀଲୋକମାନଙ୍କୁ ସମ୍ପତ୍ତି ଜ୍ଞାନ କରି ଘରକୋଣରେ ସାଇତି ରଖିଛି, ତେଣୁ ସେମାନେ ବାହାର ସଂସାରର କୌଣସି ବିଷୟ ବୁଝିବା ପାଇଁ ଅକ୍ଷମ । ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସମ୍ବନ୍ଧ ରହିଯାଇଛି କେବଳ ପିଲା ଜନ୍ମ କରିବାରେ । ଜାହ୍ନବୀ ଦେବୀ କଥାଟାକୁ ହସି ଉଡ଼େଇ ଦେଇଥିଲେ । କହିଲେ, ଇଏ ହେଉଛି ଭଗବାନଙ୍କ ଭିଆଣ । କିନ୍ତୁ ପ୍ରତିଭାର ମନେପଡ଼ିଲା ସେଦିନ ରାତିର କଥା, ଯେତେବେଳେ ସେ କୃପାପ୍ରାର୍ଥୀ ହୋଇ ଯାଇଥିଲା ନିଜ ସ୍ୱାମୀ ପାଖକୁ । ହେଲେ ହାକିମଙ୍କ ପରି ସ୍ୱାମୀ ତା’ର ଦରଖାସ୍ତ ନାମଞ୍ଜୁର କରିଦେଇଥିଲେ । ଏତେ ଅବଜ୍ଞା ! ସେଇଠୁଁ ତା’ ମନରେ ଆସିଲା ଯେ ଏଥିର ମୂଳ କାରଣ ହେଉଛି ଏଇ ଯେ ସ୍ତ୍ରୀ ନିଜେ ତା’ର ମହତ୍ତ୍ୱ ବୁଝୁନାହିଁ ।

 

ଆଉଥରେ ଜାହ୍ନବୀ ଦେବୀ ଅତି ବ୍ୟସ୍ତହୋଇ ନବୀନଙ୍କ ବିଷୟରେ ନିଠେଇକରି ପଚାରିଲାରୁ ପ୍ରକାଶ ତାଙ୍କୁ ବୁଝେଇ ଦେଇଥିଲେ ଯେ, ଯେଉଁଠି ଯାହା କିଛି ଅତ୍ୟାଚାର, ସେଠିକି ଯାଇ ଅତ୍ୟାଚାର ଭୋଗୁଥିବା ଲୋକକୁ ସାହାଯ୍ୟ କରି ତାକୁ ଅତ୍ୟାଚାର ବିରୁଦ୍ଧରେ ଛିଡ଼ା କରାଇବା, ଏହାହିଁ ବିପ୍ଳବୀର କାମ । ଏବଂ ଏଇ କାମ କରିବାକୁ ଯାଇ ଯେଉଁ ଦୁଃଖକଷ୍ଟ ଭୋଗିବାକୁ ପଡ଼େ, ସେଥିକୁ ତା’ର ପରୁଆ ନାହିଁ । ପରୁଆ ନ କଲେ ଦୁଃଖ ଅପଦସ୍ଥ ହୋଇ ରହିଯାଏ । ତେଣୁ ଭାବିବାକୁ ପଡ଼ିବ ଯେ ନବୀନ ଖୁବ୍ ଖୁସିରେ ଅଛି । କଥାଟା ଏମିତି ପାଇଗଲା ପ୍ରତିଭାର ମନକୁ ଯେ ସେ ଭାବିହେଲା ଯେ ସେ କ’ଣ ନିଜ ଜୀବନଟାକୁ ଉତ୍ସର୍ଗ କରିପାରନ୍ତା ନାହିଁ କୌଣସି ଏକ ମହତ୍ ଉଦ୍ଦେଶ୍ୟରେ ।

 

ଏହି କ୍ରମରେ ତା’ର ଯେଉଁ ଶ୍ରଦ୍ଧା ଥିଲା ମହେନ୍ଦ୍ରବାବୁଙ୍କ ପ୍ରତି, ତାହା ଉଭେଇଗଲା । ତାଙ୍କର କେତେକ ଲେଖା ପଢ଼ି, ତାଙ୍କ ପ୍ରତି ମଧ୍ୟ ଘୃଣା ଜାତ ହେଲା ବେଳେବେଳେ ।

 

ଏଭଳି ଆତ୍ମଚିନ୍ତାରେ ବିଭୋର ହୋଇ ରହିବା ହେତୁ ପ୍ରକାଶଙ୍କ ପ୍ରତି ରାମହରିଙ୍କ ବିରକ୍ତି ମଧ୍ୟ ତାକୁ ବିଶେଷ ବିଚଳିତ କରିପାରୁ ନ ଥାଏ । ତଥାପି ତାର ଇଚ୍ଛା ହେଉଥାଏ ଯେ ପ୍ରକାଶ ଏଠି ଆଉ କିଛିଦିନ ରହିଯାଆନ୍ତେ କି !

 

(୩୪)

 

ସେଦିନ ଘଟଣାର ପରେ ପରେ ରାମହରିବାବୁ ଥାନାକୁ ଖବର ପଠେଇଲେ ଯେ ଜଣେ ବାହାରର ଲୋକ କିଏ ଆସି ସରକାର ବିରୋଧୀ କଥା କହି ଲୋକଙ୍କୁ ମତଉଛି ଓ ତା’ ଫଳରେ ଭୀଷଣ ଦଙ୍ଗାହାଙ୍ଗାମା ହେବାର ସମ୍ଭାବନା ଅଛି । ଏବଂ ପ୍ରକାଶଙ୍କୁ ମଧ୍ୟ ତାଗିଦ୍ କରି କହିଲେ ଯେ ଯଦି ସେ ତତ୍‌କ୍ଷଣାତ ଚାଲି ନ ଯାଆନ୍ତି, ତା’ହେଲେ ପୁଲିସଙ୍କ ଦ୍ୱାରା ତାଙ୍କୁ ଧରେଇଦେବେ । ଏ ଧମକ ଶୁଣି ପ୍ରକାଶ ହସି ହସି କହିଲେ, “ମୁଁ କଣ ପୁଲିସକୁ ଭୟକରେ ?” ଏକଥା ଶୁଣି ରାମହରିବାବୁ ଟିକିଏ ଦବିଗଲେ । କିନ୍ତୁ ପୁଣି କିଛି ସମୟ ଭାବି ଘର ଭିତରକୁ ଆସି ରାଗରେ ତମ ତମ ହୋଇ ଘୋଷଣା କଲେ, “ସେ ଲୋକକୁ କହିଦିଅ ସେ ଚାଲିଯାଉ, ନଚେତ ଆଉ ଟିକିଏ ପରେ ପୁଲିସ୍ ଆସି ତାକୁ ଧରିନେଇ ଜେଲ୍ ଦେବ । ତେଣିକି ମୋ ଦୋଷ ଆଉ ଧରିବ ନାହିଁ ।” ସେତେବେଳେ ଜାହ୍ନବୀ ଦେବୀ ପ୍ରତିଭା ସହିତ ବସି କଥାବାର୍ତ୍ତା ହେଉଥାଆନ୍ତି । ଦୁହେଁ ବିସ୍ମିତ ହୋଇ ପରସ୍ପରକୁ ଅନାଇଲେ । ଶେଷକୁ ପ୍ରତିଭା ଦୀର୍ଘନିଃଶ୍ୱାସ ପକାଇ ଧୀରେ ଧୀରେ କହିଲା, “ସେ ଚାଲିଯାଆନ୍ତୁ । ଆମଘରେ ରହି କାହିଁକି ଏତେ ଅପମାନ ପାଇବେ ?” ଜାହ୍ନବୀ ଦେବୀ ବାଧ୍ୟ ହୋଇ ରାଜିହେଲେ ତା’ କଥାରେ, ଏବଂ ଚାକରକୁ ଡାକି ବରାଦ୍ ଦେଲେ ପ୍ରକାଶକୁ ଚାଲିଯିବାକୁ କହିଦିଅ ।

 

ରାମହରିବାବୁ ତାଙ୍କ ସିରସ୍ତାରେ ବସି ଖଜଣା ଆଦାୟର ହିସାବ କିତାବ ବୁଝୁଥିଲେ, ଏହି ସମୟରେ ପ୍ରକାଶ ତାଙ୍କ ପାଖକୁ ଆସିଲେ ବିଦାୟ ନେବା ଲାଗି । ରାମହରି ବାବୁ ଟିକିଏ ବ୍ୟସ୍ତ ହେଲାପରି ହେଲେ, ଏବଂ କହିଲେ, “ବାହାରିଲେ ? ଯାଆନ୍ତୁ, କିଛି ମନେକରିବେ ନାହିଁ । ଏ ମୂର୍ଖ ଅଞ୍ଚଳ….” ସେଇଠୁଁ ପ୍ରକାଶ ତାଙ୍କଆଡ଼କୁ ଆଙ୍ଗୁଳି ଦେଖାଇ ଉଚ୍ଚ ସ୍ୱରରେ କହିଲେ, “ଏ ଲୋକଙ୍କୁ ମୂର୍ଖ ବୋଲି ଆପଣ କହୁଛନ୍ତି, କାରଣ ଏମାନେ ନିଜର ଶକ୍ତି ନିଜେ ବୁଝିପାରୁ ନାହାନ୍ତି । ଆପଣଙ୍କ ବିଭବ ଓ ପୁଲିସର ଲାଲ ପଗଡ଼ି ଦେଖି ଶଙ୍କି ଯାଉଛନ୍ତି । କିନ୍ତୁ ଏଇ ଭୟ ଟିକକ ଚାଲିଗଲେ ଏହିମାନେ ହିଁ ବୁଦ୍ଧିମାନ୍ ହୋଇ ଦେଶକୁ ଚଳାଇବେ ଓ ଏଇମାନଙ୍କ ଅନୁଗ୍ରହ ଉପରେ ଆପଣଙ୍କର ବିଭବ ନିର୍ଭର କରିବ । ହଉ, ମୁଁ ଯାଉଛି । କିନ୍ତୁ ମୁଁ ଚାଲିଗଲେ ବି’ ସବୁଦିନେ ରହିଥିବି ଏଇ ନିରୀହ ଦୁଃଖୀ ଲୋକମାନଙ୍କ ମନରେ । ପ୍ରକାଶ୍ୟରେ ହେଉ ବା ଅପ୍ରକାଶ୍ୟରେ ଆପଣ ସବୁବେଳେ ମୋତେ ମନେ ରଖିଥିବେ ।”

 

ପ୍ରକାଶ ଚାଲିଗଲା ପରେ ହଠାତ୍ ଗୋଟାଏ ଗୁଞ୍ଜରଣ ସୃଷ୍ଟିହେଲା ରାମହରିବାବୁଙ୍କ କଚେରିଘରେ । କିଏ କାହାକୁ ମାରିଦେଇଛି ନା କଅଣ, ସେହିଭଳି ଗୋଟାଏ ଖବରକୁ ନେଇ । ରାମହରିବାବୁ ଯଥାକ୍ରମେ ବୁଝିବାକୁ ପାଇଲେ ଯେ ଯେଉଁ ଲୋକଟା ମାଡ଼ଖାଇ ମାରିଯାଇଥିଲା ଓ ସେ ତା’କୁ ତୁରନ୍ତ ପୋଡ଼ିଦେବା ପାଇଁ ହୁକୁମ୍ ଦେଇଥିଲେ, ସେ ପୋଡ଼ାହେବା ପାଇଁ ଯାଇନାହିଁ ଏବଂ ପିଆଦା ଜଣକ କୁଆଡ଼େ ପଳେଇ ଯାଇଛି ।

 

ଭୟ ଓ କ୍ରୋଧ ପାଳିକରି ରାମହରିଙ୍କ ମନକୁ ଦଖଲକରି ବସୁଥାଏ । ବେଳେ ବେଳେ ତାଙ୍କ ମନକୁ ମଧ୍ୟ ଆସୁଥାଏ ଯେ ପ୍ରକାଶଙ୍କୁ ଏପରି ଭାବରେ ବାହାର କରିଦେବାଟା ଭୁଲ୍ ହେଲା ।

 

(୩୫)

 

ଚାରିଆଡ଼େ ହୁରି ପଡ଼ିଗଲା ଯେ ରାମହରି ଜଣେ ଲୋକକୁ ମାରି ଦେଇଛନ୍ତି । ରାମହରିବାବୁ ଥାନା ମୁନ୍‍ସିଠାରୁ ଆରମ୍ଭ କରି ପୋଲିସ୍ ସାହେବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହାତକରି ସାରିଲେଣି । ଲାସ୍‍କୁ ମାଇନା କରିବାକୁ ଦିଆଯାଇଥିଲା, ହେଲେ ଡାକ୍ତର ରିପୋର୍ଟ ଦେଇଛି ଯେ, ଲୋକଟା ବାତକଫରେ ମରିଯାଇଛି । କିନ୍ତୁ ପ୍ରଜାମେଳିକୁ ଅର୍ଥବଳ ଦ୍ୱାରା ଭାଙ୍ଗି ହେଲାନାହିଁ । ଏବଂ ସେହି ମେଳି ଏଭଳି ଉତ୍କଟ ହୋଇଉଠିଲା ଯେ ପ୍ରଜାମାନେ ଜମିଦାରଙ୍କ ଗୁମାସ୍ତା ଆଦିଙ୍କୁ ମଧ୍ୟ ପାଣି ମୁନ୍ଦେ ଦେଉନାହାଁନ୍ତି । ଥାନା ମୁନ୍‍ସି ବରାବର ଆସି ରହୁଥାଆନ୍ତି ରାମହରିଙ୍କ ଘରେ, ତାଙ୍କ ସୁରକ୍ଷା ପାଇଁ । ତା’ଛଡ଼ା ସେ ନିଜ ଖର୍ଚ୍ଚରେ ପାଞ୍ଚଜଣ ବନ୍ଧୁକଧାରୀ କନଷ୍ଟେବଳଙ୍କୁ ଘର ଆଗରେ ଠିଆ କରେଇଥାଆନ୍ତି । ସେ ନିଜେ ମଧ୍ୟ ଆଉ କୁଆଡ଼େ ବାହାରୁ ନଥାନ୍ତି ।

 

ଏହି ପରିସ୍ଥିତିରେ ଜାହ୍ନବୀ ଦେବୀ ଅତି ମ୍ରିୟମାଣ ହୋଇପଡ଼ିଥାଆନ୍ତି । ପ୍ରତିଭା ଚାକରଙ୍କଠାରୁ ଟିକିନିଖି ସବୁ ବୁଝୁଥାଏ । ଚାକରମାନଙ୍କ ସହାନୁଭୂତି ଥାଏ ପ୍ରଜାମେଳି ପ୍ରତି । ଏବଂ ସେମାନେ ମଧ୍ୟ ଅନୁଭବ କରି ସାରିଲେଣି ଯେ ନୂଆ ସାଆନ୍ତାଣୀ ପ୍ରଜାଙ୍କ ସପକ୍ଷରେ । ପ୍ରଜାମାନେ ତ ଜାଣିଛନ୍ତି ଯେ ନବୀନ ପ୍ରଜାଙ୍କ ପାଇଁ ଲଢ଼ି ଜେଲ୍ ଯାଇଛନ୍ତି । ଏଣେ ଚାକରଙ୍କ ଜରିଆରେ ଧୀରେ ଧୀରେ ରାଷ୍ଟ୍ର ହୋଇଗଲାଣି ନବୀନଙ୍କ ସ୍ତ୍ରୀ ପ୍ରଜାଙ୍କ ସମର୍ଥକ । କଥାଟା ରାମହରିଙ୍କ କାନକୁ ଗଲା । ସେହେତୁ ପ୍ରତିଭା ଉପରେ କୌଣସି ସନ୍ଦେହ ନଥିଲେ ମଧ୍ୟ ସେ ଥରେ କହିଲେ ଜାହ୍ନବୀ ଦେବୀଙ୍କୁ-“ଜାଣିଛ ନା ? ମଜାର କଥା । ଏ ଲଫଙ୍ଗାଗୁଡ଼ାକ କୁହାକୁହି ହେଉଛନ୍ତି ଯେ ଆମ ବୋହୂ କୁଆଡ଼େ ସେମାନଙ୍କ ପକ୍ଷରେ…..” ଜାହ୍ନବୀ ଦେବୀ ତା’ର ଦୃଢ଼ ପ୍ରତିବାଦ କରି କହିଲେ, “କିଏ କହୁଛି ମ, ବୋହୂ ଆମର କାହାକୁ ପାଟି ଫିଟାଏ ନା ।” ପରେ ପ୍ରତିଭା ଯେତେବେଳେ ଶାଶୁଙ୍କୁ ପଚାରିଲା, “କଅଣ ମୋ କଥା କହୁଥିଲେ ଯେ-”, ଜାହ୍ନବୀ ଦେବୀ ତା’କୁ କହିଲେ, ଆଶ୍ୱାସନା ଦେଲାପରି, ଯେ ବାହାର ଲୋକଗୁଡ଼ାକ କହିବେ ଯାହା ତାଙ୍କ ମନକୁ ଆସିବ, ସେଥିରେ ବ୍ୟସ୍ତହେବାର କିଛି ନାହିଁ । କିନ୍ତୁ ପ୍ରତିଭା ମୁହଁ ତଳକୁ କରି ଧୀର ଅଥଚ ଦୃଢ଼ ସ୍ୱରରେ କହିଲା, “ଲୋକେ ଯାହା କହୁଛନ୍ତି ତା’ ସତ । ଜଣେ ଲୋକକୁ ମାରୁ ମାରୁ ଜୀବନରେ ମାରି ଦିଆଗଲା । ଏଥିରେ ଲୋକେ ବିଗିଡ଼ିବେ ନାହିଁ ନା ? ପୁଣି ଯଦି ପୋଲିସ୍ ଲୋକଙ୍କ ଉପରେ ଅତ୍ୟାଚାର କରେ, ତେବେ ଅନ୍ୟାୟର ସୀମା ରହିବ ନାହିଁ । ଏହିସବୁ ବନ୍ଦ କରିବା ପାଇଁ କେତେ ଲୋକ ଜେଲ୍ ଯାଉଛନ୍ତି । ଜେଲ୍‍ରୁ ଫେରି ସେମାନେ କହିବେ କଅଣ ?”

 

ଜାହ୍ନବୀ ଦେବୀଙ୍କ ମନ ନବୀନ ଆଡ଼କୁ ଚାଲିଗଲା । ଏବଂ ସେ ହତାଶ ହେଲାପରି ପଚାରିଲେ ବୋହୂକୁ, “ସତ କହିଲୁ ବୋହୂ, ଠାକୁରେ କାହିଁକି ଏମିତି ଗୋଟାଏ ବିସ୍ତାର କଲେ, ଯେ ଏଇ ଗୋଳମାଳ ଲାଗିବ ଠିକ୍ ତା’ ଖଲାସ ହେଲା ବେଳକୁ ? ଆଉ ସତେ ସେ ଫେରିବ ଘରକୁ-?”

 

(୩୬)

 

ସୂର୍ଯ୍ୟକିରଣ କାଚ ଭିତରେ ସଙ୍କୁଚିତ ହୋଇ ଆସିଲେ ନିଆଁର କାମକରେ । ସେହିପରି ଭାବରେ ମଣିଷର ମନ କାରାଗାରର କ୍ଷୁଦ୍ର ଦୁନିଆଁରେ ବିଚରଣ କରି ନାନା ପ୍ରକାର ଭାବ ଓ ଲାଳସାକୁ ପ୍ରଶ୍ରୟ ଦିଏ, ଯାହା ତା’ ନିଜ ଭିତରେ ଅଛି ବୋଲି ବଡ଼ ଦୁନିଆଁରେ ଜଣାପଡ଼େ ନାହିଁ । ନବୀନଙ୍କର ସେହି ଦଶା ହେଲା ଏବଂ ସେ ବେଳେବେଳେ ବିସ୍ମିତ ହୋଇଉଠନ୍ତି, ସେ ବିଷୟରେ ସଚେତନ ହେଲାରୁ ।

 

ବସନ୍ତଋତୁ ଆରମ୍ଭ ହୋଇଯାଇଛି । ଜେଲ୍‍ଖାନାର ପାଚେରି ଭିତରେ ଥିବା ଗଛଗୁଡ଼ିକ ନୂଆ ଭାବରେ ନିଜକୁ ସଜେଇ ହତଭାଗ୍ୟ ବନ୍ଦୀମାନଙ୍କୁ ଉପହାସ କଲାପରି ମନେହେଉଛି । ଚୋଁ ଚାଁ ହୋଇ ଆନନ୍ଦରେ ଉଡ଼ି ବୁଲୁଥିବା ଚଢ଼େଇମାନେ ମଧ୍ୟ ତାଙ୍କୁ ବିଦ୍ରୂପ କଲାପରି ଲାଗୁଛି ଯେ ତୁମେ ବନ୍ଦୀ, ଆମେ ସବୁ ମୁକ୍ତ ! ଏହି ବାତାବରଣରେ ନବୀନଙ୍କ ମନରେ ପ୍ରେମଭାବ ଜାଗିଉଠିଲା-। ଇଚ୍ଛାହେଲା ସେ କାହା ପାଖରେ ନିଜକୁ ପୂରାପୂରି ଅଜାଡ଼ି ଦିଅନ୍ତେ, ଏବଂ ସେଥିର ପ୍ରତିଦାନ ପାଆନ୍ତେ । ସେଇଠୁଁ ତାଙ୍କର ମନେପଡ଼ିଲା ସେ କିପରି ଏକ ଅପୂର୍ବ ଭାବର ସଞ୍ଚାର ଅନୁଭବ କରିଥିଲେ ବାହାଘରର ହାତଗଣ୍ଠି ପଡ଼ିଲାବେଳେ । ମଧ୍ୟ ତା’ପରେ ଘରେ ଥିବାବେଳେ ସେ କିପରି ସେହି ପ୍ରକାର ଭାବକୁ ଜାଣିଶୁଣି ଠେଲି ଦେଉଥିଲେ ମନରୁ । କିନ୍ତୁ କାହିଁକି ? ପ୍ରତିଭା କ’ଣ ପ୍ରେମାଷ୍ପଦା ନୁହେଁ ? ବିଚାରୀର କି ଦୋଷ ଥିଲା ? କେତେ ଆଶାତରଙ୍ଗ ମଝିରେ ସେ ତା’ର ଯେଉଁ ଛୋଟ ନୌକାଟିକୁ ଆଣି ପହଞ୍ଚେଇ ଥିଲା ତାଙ୍କ ପାଖରେ ତା’କୁ କୂଳରେ ଲଗେଇବା ପାଇଁ, ତା’କୁ ସେ ଫେରାଇ ଦେଲେ କାହିଁକି ? କେତେ ଆଘାତ ଲାଗି ନଥିବ ତା ମନରେ ? ଦେଶ ପ୍ରତି ଯେପରି ତାଙ୍କର କର୍ତ୍ତବ୍ୟ ଅଛି, ତା ପ୍ରତି ମଧ୍ୟ ସେମିତି ଅଛି । ଏବଂ ଚେଷ୍ଟା କଲେ ସେ ପ୍ରତିଭାକୁ ମଧ୍ୟ ନିଜ ପଥରେ ପଥିକ କରିଥାଆନ୍ତେ ।

 

ସେଇଠୁଁ ସେ ସ୍ଥିର କଲେ ଯେ ଜେଲ୍‍ରୁ ଖଲାସ ହେଲାପରେ ସେ କିଛିଦିନ ପାଇଁ ଘରକୁ ଯିବେ । ବାପାମାଆଙ୍କୁ ସବୁକଥା ବୁଝାଇ କହିବେ । ଏବଂ ପ୍ରତିଭାକୁ ମଧ୍ୟ କ୍ଷମା ମାଗିବେ ହୃଦୟ ଭରି । ସେ ଯଦି ଅଭିମାନ କରି କଥା ନକୁହେ ତାଙ୍କ ସାଙ୍ଗରେ, ସହିନେବେ ତା’ ଅଭିମାନକୁ । ଯେତେହେଲେ ତାଙ୍କରି ତ ଭୁଲ୍ ହୋଇଛି…. ।

 

‘କିନ୍ତୁ ମୁଁ ଖଲାସ ହେବି କେବେ ? ଆହୁରି ତିନିମାସ ବାକି ଅଛି ।’ ନବୀନ ଗୋଟାଏ ଦୀର୍ଘନିଃଶ୍ୱାସ ଦ୍ୱାରା ତାଙ୍କର ଚିନ୍ତାକୁ ଶେଷକରି ଦେବାକୁ ବସିଲେ । ମାତ୍ର ବସନ୍ତଋତୁ ତାଙ୍କୁ ବିଶ୍ରମା ଦେଉଛି କେଉଁଠୁ ?

 

(୩୭)

 

ବିପ୍ଳବକୁ ଦବାଇବା ପାଇଁ ସରକାର ଯେଉଁ ଦମନ ନୀତି ଅବଲମ୍ୱନ କରିଥିଲେ, ତା’ ଫଳରେ ଶହ ଶହ ଲୋକଙ୍କୁ ଜେଲ୍‍ଦଣ୍ଡ ଭୋଗିବାକୁ ପଡ଼ିଲା । ଜମିଦାରଙ୍କ ଅତ୍ୟାଚାର ବିରୁଦ୍ଧରେ ସରକାରଙ୍କ ଆଶ୍ରୟ ନେବାକୁ ଗଲେ ସରକାରଙ୍କ ବନ୍ଧୁକଧାରୀ ପୋଲିସ୍ ସେମାନଙ୍କୁ ଜବତ୍ କରିବା ପାଇଁ ଘର ପୋଡ଼ି ଦେଉଥିଲେ, କେତେକଙ୍କୁ ଗୁଳିକରି ମାରି ଦେଉଥିଲେ, ଏବଂ ଅନେକଙ୍କୁ ଜେଲରେ ଭର୍ତ୍ତିକରି ଦେଉଥିଲେ । ଏହିପରି ଚାରିଆଡ଼ୁ ବିପ୍ଳବରେ ବନ୍ଦୀହୋଇ ଶହ ଶହ ଲୋକ କଟକ ଜେଲରେ ଥିଲେ ।

 

ନବୀନ ଆଉ ଚୋର ଡକାୟତଙ୍କ ସାଙ୍ଗରେ ନଥାନ୍ତି । ସେ ବର୍ତ୍ତମାନ ଏହି ସମଶ୍ରେଣୀ ବନ୍ଦୀମାନଙ୍କ ମଧ୍ୟରେ । ନବୀନ ସେମାନଙ୍କ ମନରେ ଦମ୍ଭ ଓ ସାହସ ବଜାୟ ରଖିବାକୁ ଚାହୁଁଥାଆନ୍ତି, କିନ୍ତୁ ଭିତରେ ଭିତରେ ତାଙ୍କ ମନ ଦବି ଯାଉଥାଏ ବେଳେବେଳେ । କେତେଦିନ ଚାଲିବ ଏହି ଅତ୍ୟାଚାର ? ଏହାର କ’ଣ ଶେଷ ନାହିଁ ? ହେଲେ ସେ ହତାଶାକୁ ଏଡ଼ାଇ ଦେଇ ପୁଣି ଦମ୍ଭ ଧରୁଥାଆନ୍ତି ।

 

ଭାବିଲେ–ଜେଲ୍‍ରୁ ଖଲାସ ହେବା ମାତ୍ରକେ ମୁଁ ସବୁ ଅତ୍ୟାଚାରିତ ଅଞ୍ଚଳକୁ ଯିବି ଓ ଲୋକଙ୍କୁ ସାହସ ଦେଇ ମତାଇବି । ତା’ ଫଳରେ ଯଦି ମୋତେ ପୁଣି ଜେଲ୍ ଯିବାକୁ ହେବ ହେଉ-। ଆଜୀବନ କାରାବାସ ବରଂ ଭଲ, ମାତ୍ର ଅତ୍ୟାଚାର ଆଗରେ ମୁଣ୍ଡ ନୁଆଁଇବା ଉଚିତ ନୁହେଁ । କିନ୍ତୁ ଏହିପରି ଭାବିଲା ପରେ ତାଙ୍କ ମନକୁ ମଧ୍ୟ ଆସୁଥାଏ ଯେ ବସନ୍ତର ଅଭିଯାନ ବୃଥାହେଲା ତା’ହେଲେ । ମୁଁ ଯାହାର ହାତ ଧରିଥିଲି, ତା’ ଜୀବନରେ କ’ଣ ଖାଲି ଦୀର୍ଘନିଃଶ୍ୱାସ ହିଁ ସମ୍ବଳ ହୋଇ ରହିବ ?

 

ସେଇଠୁଁ ବେଳେବେଳେ ପ୍ରକାଶଙ୍କ କଥା ତାଙ୍କ ମନକୁ ଆସେ । ତାଙ୍କୁ ତ କେବେହେଲେ ବ୍ୟସ୍ତ ବା ବିଚଳିତ ହେବାର ଦେଖାଯାଇ ନାହିଁ ? ବିପ୍ଳବ ବୋଲନ୍ତେ ଯେତେ ଅନୁକମ୍ପା, ଯେତେ ଧୈର୍ଯ୍ୟ, ଏବଂ ଆଉ ଯାହା କିଛି ବୁଝାଏ, ସବୁ ଯେପରି ସେ ଆୟତ୍ତ କରିପାରିଛନ୍ତି । ସେଇଠୁଁ ସେ ଭାବନ୍ତି–ମୁଁ କ’ଣ ସେପରି ହୋଇପାରିବି ନାହିଁ ? ତାଙ୍କରି ଭାଷାରେ ପାୱାର୍ ହାଉସଟିଏ ହୋଇପାରିବି ନାହିଁ, ଯେମିତି ମୋଠୁଁ ବିଦ୍ୟୁତ୍ ଖେଳି ଦୁନିଆଁକୁ ପ୍ରଭାବିତ କରିପାରିବ ? କିନ୍ତୁ ତାଙ୍କପରି ହେବାକୁ ହେଲେ ଘରର ମମତା ଛାଡ଼ିବାକୁ ହେବ.। କାରାଗାରର କ୍ଷୁଦ୍ର ପରିସର ମଧ୍ୟରେ ନାନାଦି ଚିନ୍ତା ଏହିପରି ଭାବରେ ଉତ୍କଟ ହୋଇ ଉଠୁଥାଏ ତାଙ୍କ ମନରେ, ଏବଂ ତାକୁ ଏଣିକି କେଉଁ ବାଟରେ ଚଲାଇ ନେବାକୁ ହେବ, ତାହା ସେ ସ୍ଥିର କରିପାରୁ ନଥାନ୍ତି ।

 

(୩୮)

 

ଜେଲ୍‍ରୁ ଖଲାସ ହେବାର ଦିନ ଯେତେ ପାଖେଇ ଆସୁଥାଏ ନବୀନଙ୍କ ଉଦ୍‍ବେଗ ସେତିକି ବଢ଼ୁଥାଏ । ଆହୁରି ପନ୍ଦର ଦିନ ବାକି ଅଛି । ଓଃ, ଏତେଦିନ କଟିବ କେମିତି ? ସେଇଠୁଁ, ଚଉଦ, ତେର, ବାର ଏହିପରି ମୁକ୍ତ ହେବାକୁ ବାକି ଥିବା ଶେଷଦିନ ଆସି ପହଞ୍ଚିଗଲା । ସ୍ୱାଧୀନ ଜୀବନକୁ ପୁଣି ଫେରି ପାଇବାର କଳ୍ପନା ଯେଉଁ ଅଧୀର ଆନନ୍ଦ ଆଣିଦେଲା ତାଙ୍କ ମନରେ, ତା ସାଙ୍ଗରେ ମିଶିଗଲା ଅଧିକରୁ ଅଧିକ ଚିନ୍ତା, ଆସନ୍ତା ଜୀବନର ଦାୟିତ୍ୱକୁ ନେଇ ।

 

ଆଜି ନବୀନଙ୍କୁ ସମସ୍ତେ ଘେରିକରି ବସିଛନ୍ତି । ସେ ତାଙ୍କୁ ଛାଡ଼ି ଚାଲିଯିବେ, ଏଥିପାଇଁ ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି, ଏବଂ କେତେକ ମଧ୍ୟ କାନ୍ଦି ପକାଉଛନ୍ତି । ସେମାନଙ୍କ ଦୁଃଖ ନବୀନଙ୍କ ହୃଦୟରେ ମଧ୍ୟ ପ୍ରତିଫଳିତ ହେଉଥାଏ ଓ ତାଙ୍କୁ ଦୁଃଖ ଲାଗୁଥାଏ ଯେ ସେ ସେମାନଙ୍କୁ ଛାଡ଼ି ଚାଲି ଯାଉଛନ୍ତି । ଯାହାହେଉ ନବୀନ ସମସ୍ତଙ୍କୁ ସାନ୍ତ୍ୱନା ଦେବାରେ ଲାଗିଲେ । ପ୍ରତ୍ୟେକ ନିଜ ନିଜର ଯେଉଁଠି ଯାହାକୁ ଯାହା ଖବର ଦେବାକୁ ହେବ, ସେ ବିଷୟରେ କହିଲେ ନବୀନଙ୍କୁ । ଲେଖାଲେଖି ପାଇଁ କାଗଜ ଇତ୍ୟାଦିର ସୁବିଧା ନଥିବା ହେତୁ ନବୀନ ପାରୁପର୍ଯ୍ୟନ୍ତ ସବୁକଥା ମନେ ରଖିବାକୁ ଚେଷ୍ଟା କରୁଥାଆନ୍ତି, ଏବଂ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଉଥାଆନ୍ତି ସେ ନିଜେ ଯାଇ ସେମାନଙ୍କ ପରିବାରଙ୍କ ଖବର ବୁଝିବେ, ଏବଂ ଅନ୍ୟମାନଙ୍କୁ ଭେଟି କହିବେ ଯାହା କହିବା କଥା । ଏହି ସମୟରେ ତାଙ୍କ ନିଜ ପରିବାର କଥା ମଧ୍ୟ ଜାଗିଉଠିଲା ତାଙ୍କ ମନରେ ଏବଂ ସେ ଭାବିଲେ, ଅନେକ ଏମାନଙ୍କର ଘର ପରିବାର ଓପାସରେ ପଡ଼ିଥିବେ କହିଲେ ଚଳେ । ହେଲେ ମୋର କିଛିହେଲେ ଆର୍ଥିକ କ୍ଷତି ହୋଇନାହିଁ ଏହି ଆନ୍ଦୋଳନରେ ଯୋଗଦେବା ଦ୍ୱାରା ବରଂ ଲାଭ ହୋଇଛି ଯେ ମୋର ସୁନାମ ବଢ଼ିଛି । ସେଇଠୁ ତାଙ୍କ ମନରେ ଆସିଲା ଯେ ଇତିହାସ ସେନାପତିଙ୍କ ଗୁଣଗ୍ରାମ ବର୍ଣ୍ଣନା କରିଥାଏ, ମାତ୍ର ସାଧାରଣ ସୈନ୍ୟମାନଙ୍କ କଥା କେହି ମନେରଖେ ନାହିଁ । ଅଥଚ ଏହିମାନଙ୍କ ତ୍ୟାଗ, ଏହିମାନଙ୍କ ପାଗଳାମି ଉପରେ ସିନା ବିପ୍ଳବର ଜୟ ପ୍ରତିଷ୍ଟିତ ହେବା !

 

(୩୯)

 

ଜେଲ୍‍ରୁ ବାହାରି ଆସିବା ମାତ୍ରେ ନବୀନଙ୍କ ଦୃଷ୍ଟିପଡ଼ିଲା ପ୍ରକାଶଙ୍କ ଉପରେ । ଦେଖିଲେ, ସେ ହସହସ ହୋଇ ଆସୁଛନ୍ତି ତାଙ୍କ ଆଡ଼କୁ । ନବୀନ ଦୌଡ଼ିଯାଇ ତାଙ୍କୁ କୁଣ୍ଢାଇ ପକାଇଲେ ଓ ଭାବାବେଗରେ ଲୁହ ଆସିଗଲା ତାଙ୍କ ଆଖିକୁ । ପ୍ରକାଶ ନବୀନଙ୍କ ପିଠିରେ ହାତପକାଇ କହିଲେ, “ନବୀନ, ମୁଁ ତୁମକୁ ହିଁ ଅପେକ୍ଷା କରିଛି । କେତେ ଭଲ ସମ୍ବାଦ ଦେବାକୁ ଅଛି, ମଧ୍ୟ କେତେକ ଖରାପ ସମ୍ବାଦ ।” ଦୁହେଁ ଯାକ କଥାବାର୍ତ୍ତା କରି ଆଶ୍ରମକୁ ଗଲେ । ଦୀର୍ଘନିଦ୍ରା ପରେ କୌଣସି ଦୁଃସ୍ୱପ୍ନ ଦେଖି ଆଖି ଖୋଲିଲେ ଯେପରି ଜଣାଯାଏ, ନବୀନଙ୍କୁ ସେମିତି ଲାଗୁଥିଲା । ମନେ ହେଉଥିଲା ସବୁ ସେମିତି ପୂର୍ବପରି ରହିଛି । ନୟାସଡ଼କ ଛକର ବରଗଛ ତଳେ ବେତପେଟରାର କିଣାବିକା ସେମିତି ଚାଲିଛି, ସଡ଼କରେ ଘୋଡ଼ାଗାଡ଼ି, ସାଇକେଲ ଇତ୍ୟାଦି ସେମିତି ଚାଲିଛି, ହେଲେ ତାଙ୍କ ଆଖିକୁ ସବୁ ନୂଆ ନୂଆ ମନେହେଉଛି ।

 

ପ୍ରକାଶ ଗମ୍ଭୀର ହୋଇ କହିଲେ, “ଗତ ବର୍ଷକ ଭିତରେ କଅଣ ପରିବର୍ତ୍ତନ ହୋଇଛି, ତାକୁ ଆଗେ ଜାଣିନିଅ ।” ସେଇଠୁଁ ସେ ପ୍ରଥମେ କହିଲେ ଯେ ସେ ତାଙ୍କ ଘରକୁ ଯାଇଥିଲେ ଓ ସେଠି ରହିଥିଲେ କିଛିଦିନ । ତା’ପରେ ନବୀନଙ୍କ ବିସ୍ମିତ ତଥା ଜିଜ୍ଞାସୁ ଚାହାଣୀକୁ ଦେଖି ହସହସ ହୋଇ କହିଲେ, “ତୁମ ମାଆ ମୋତେ ଭାରି ସୁଖ ପାଉଥିଲେ ।” ନବୀନ ଆହୁରି ଆଶ୍ଚର୍ଯ୍ୟ ହୋଇଉଠିଲେ । ଇଏ ଘର ଭିତରକୁ ଗଲେ କେମିତି ? ମାଆଙ୍କ ସାଙ୍ଗରେ ଦେଖାହେଲା ବି କେମିତି ? ଆଉ ଯେତେବେଳେ ପ୍ରକାଶ କହିଲେ ଯେ ‘ପ୍ରତିଭାର ବାସ୍ତବିକ ପ୍ରତିଭା ଅଛି’, ନବୀନଙ୍କ ଦେହ ରୋମାଞ୍ଚିତ ହୋଇଉଠିଲା । ପ୍ରକାଶ ତା’ପରେ କହିଲେ, “ସେ ଖଣ୍ଡେ ଚିଠି ଦେଇଛନ୍ତି ମୋ ପାଖକୁ । କିନ୍ତୁ ତାହା ପ୍ରକୃତରେ ତୁମ ପାଇଁ ।” ‘ଏଁ ? ଏ କଣ ସ୍ୱପ୍ନ ନା ସତ ?’ ନବୀନଙ୍କ ବିସ୍ମୟର ସୀମା ରହିଲା ନାହିଁ । ଯେଉଁଠି ପର୍ଦା ରାଜତ୍ୱର କଠୋର ନିୟମ, ସେଠି ପ୍ରକାଶଙ୍କ ପ୍ରବେଶ, ପୁଣି ଚିଠିପତ୍ରର ଦିଆନିଆ ! ବ୍ୟାପାର କଅଣ ? ନବୀନଙ୍କ ବିମୂଢ଼ତାକୁ ଲକ୍ଷ୍ୟକରି ପ୍ରକାଶ କହିଲେ, ‘ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ବର୍ଷେ କିଛି କମ୍ ସମୟ ନୁହେଁ । ତା’ଛଡ଼ା ଇଏ ବିପ୍ଲବ ସମୟ ପରା !”

 

ଆଶ୍ରମରେ ପହଞ୍ଚି ନବୀନଙ୍କର ମନେହେଲା ଯେ ତାହା ଶ୍ରୀହୀନ ହୋଇପଡ଼ିଛି । ଲୋକଗହଳି କି ଉତ୍ସାହର ଚଞ୍ଚଳତା ନାହିଁ । ସେଇଠୁଁ ଯେତେବେଳେ ନବୀନ ଉଦ୍‍ବେଗର ସହିତ ପଚାରିଲେ, ‘ଦେଶର ଖବର କଅଣ ?” ତା’ର ଉତ୍ତରରେ ପ୍ରକାଶ କହିଲେ, “ଆଶ୍ରମହିଁ ତ ଦେଶର ପ୍ରତିବିମ୍ବ । ଆଶ୍ରମ ଯେପରି, ଦେଶ ମଧ୍ୟ ସେହିପରି ।” କିନ୍ତୁ ତା’ପରେ ନବୀନଙ୍କ ହତାଶାଭାବକୁ ଲକ୍ଷ୍ୟକରି କହିଲେ, “କଅଣ ନବୀନ, ଅବସନ୍ନ ହୋଇପଡ଼ୁଛ ? ବର୍ତ୍ତମାନ କେହି ନାହାନ୍ତି ଏଠି ତୁମର ଜୟଜୟକାର କରି ତୁମଠୁଁ ବିପ୍ଳବର ଦୀକ୍ଷା ନେବାଲାଗି । ଏଇକ୍ଷଣ ତୁମକୁ କେହି ଅନେଇବେ କି ନାହିଁ ସନ୍ଦେହ । କିନ୍ତୁ ଏ ମଧ୍ୟ ଗୋଟିଏ ଅବସ୍ଥା ବିପ୍ଳବର । ଏଥିରେ ତୁମେ ଯଦି ଦମ୍ଭ ଧରିପାରିବ, ତେବେ ତୁମର ବାହାଦୂରୀ !”

 

ନବୀନଙ୍କୁ କାବା ଲାଗିଲା ଏଭଳି କଥା ଶୁଣି । ବାହାରକୁ ଆସିବାର ସୁଖ ଏତେ ଶୀଘ୍ର ଭୁଲ୍ ବୋଲି ପ୍ରମାଣିତ ହୋଇଯିବ ବୋଲି ସେ କଳ୍ପନା କରିନଥିଲେ । ତଥାପି ସେ ଯେ ମୁକ୍ତ, ଏହାହିଁ ଥିଲା ତାଙ୍କର ଆନନ୍ଦ ।

 

(୪୦)

 

ପ୍ରକାଶ ନବୀନଙ୍କୁ ତାଙ୍କ ଘରୁ ଆସିଥିବା ଚିଠି ଖଣ୍ଡିକ ଦେଇ “ମୋର କାମ ଅଛି” ବୋଲି କହି ବାହାରି ଗଲେ । ନବୀନ ବହୁ ସମୟ ଏବଂ ବାରମ୍ବାର ପଢ଼ୁଥାଆନ୍ତି ଚିଠିଟିକୁ, ହେଲେ ତାଙ୍କର ସାଧ ମେଣ୍ଟୁ ନ ଥାଏ । ଏହି ସମୟରେ ଆଶ୍ରମରେ ଯେଉଁ କେତେଜଣ ଥିଲେ ସେମାନେ ଆସିଲେ ତାଙ୍କ ସହିତ ଦେଖାକରିବାକୁ, ତେଣୁ ନବୀନ ଚିଠିପଢ଼ା ବନ୍ଦକରି ତାଙ୍କ ସହିତ ଗପିବାକୁ ଲାଗିଲେ ହସହସ ହୋଇ । ତାଙ୍କର ଦୃଷ୍ଟି ପଡ଼ିଲା ପୁରନ୍ଦର ନାମକ ଜଣେ କର୍ମୀ ଉପରେ । ଯେ ତା’ ପଢ଼ା ଛାଡ଼ିଲା ପରେ ନିର୍ଘାତ ମାଡ଼ ଖାଇଥିଲା ତା’ ବାପାଙ୍କଠାରୁ । ଏପରିକି ଗୋଟାଏ ଛତା ଭାଙ୍ଗି ଯାଇଥିଲା ତା’ ପିଠି ଉପରେ । ତଥାପି ସେ ଲୁଚି ଲୁଚି ପଳାଇ ଆସିଥିଲା ଆଶ୍ରମକୁ । ନବୀନ ତା’କୁ ତା’ର ହାଲଚାଲ କଅଣ ବୋଲି ପଚାରିଲାରୁ ସେ କହିଲା, “ଶୁଣୁଛି ବାପା ମୋତେ ତ୍ୟଜ୍ୟପୁତ୍ର କରି ଦେଇଛନ୍ତି ।” ହେଲେ ପରେ ପରେ କହିଲା ନବୀନଙ୍କ ପ୍ରଶ୍ନର ଉତ୍ତରରେ, “ଦେଶର ମୁକ୍ତି ପଣକରି ଘର ଛାଡ଼ିଛି । ଆଉ ଫେରିବି ନାହିଁ ।” କି ଅଦ୍ଭୁତ ତ୍ୟାଗ ! ନବୀନ ଭାବିହେଲେ ତା’ ଉତ୍ତର ଶୁଣି ।

 

ତା’ପରେ ନବୀନ ଯାହା ଶୁଣିଲେ ଦେଶର ଅବସ୍ଥା ବିଷୟରେ, ସେଥିରେ ତାଙ୍କର ରକ୍ତ ତାତି ଉଠିଲା । ସେ ଏଭଳି ଅତ୍ୟାଚାରର କଳ୍ପନା କରିନଥିଲେ । କେଉଁଠି ପୁଲିସ୍‍ର ଲାଠିମାଡ଼ରେ ଗୋଟାଏ ବୁଢ଼ାର ମୁଣ୍ଡ ଫାଟି ରକ୍ତ ବୋହିଗଲା, କେଉଁଠି ଅବକାରୀ ନିଲାମ ବେଳେ ପିକେଟିଂ କରୁଥିବା ସ୍ୱେଚ୍ଛାସେବକମାନଙ୍କର ମଳଦ୍ୱାରରେ ବିଛୁଆତି ଗୁଞ୍ଜି ଦିଆଗଲା, ପୁଣି କେଉଁଠି ସ୍ୱାମୀକୁ ବାନ୍ଧି ରଖି ତା ସାମ୍ନାରେ ତା’ ସ୍ତ୍ରୀକୁ ଧର୍ଷଣ କରାଗଲା । ତଥାପି ସମସ୍ତେ ଏକମତ ହୋଇ କହିଲେ ଯେ ଅତ୍ୟାଚାରରେ ଲୋକେ ଦବି ଯାଇଛନ୍ତି ସତ, ହେଲେ ସେମାନଙ୍କୁ ସାହସ ଦେଲେ ସେମାନେ ପୁଣି ମାତିଉଠିବେ । କିନ୍ତୁ ଦୁଃଖର ବିଷୟ ଯେ ଯେଉଁମାନେ ତାଙ୍କୁ ସାହସ ଦେଇଥିଲେ, ସେମାନେ ନିଜେ ଦବି ଯାଇଛନ୍ତି ।

 

କିଛି ସମୟ ପରେ ସମସ୍ତେ ଯେଝା ଯେଝା କାମରେ ବାହାରି ଗଲାପରେ ନବୀନ ଚିଠିଖଣ୍ଡିକୁ ପୁଣି ପଢ଼ି ବସିଲେ । ତା’ପରେ ଗଭୀର ଚିନ୍ତାରେ ତାଙ୍କର ଆଖି ବୁଜି ହୋଇଗଲା । ଭାବିଲେ ଯେ ବିପ୍ଳବ ଯେଉଁ ସଫଳତାର ପ୍ରତିଶ୍ରୁତି ନେଇ ସମସ୍ତଙ୍କୁ ଆହ୍ୱାନ କରିଥିଲା, ବର୍ତ୍ତମାନ ତାହା ଭାଙ୍ଗି ଯାଇଛି ବୋଲି ମନେହେଉଛି ସତ, କିନ୍ତୁ ପ୍ରତିଶ୍ରୁତିକୁ ରକ୍ଷା କରିବାର ଦାୟିତ୍ୱ ହେଉଛି ସେହିମାନଙ୍କର, ଯେଉଁମାନେ ତା’ ଆହ୍ଵାନ ଶୁଣି ଯୋଗ ଦେଇଛନ୍ତି ଏହି ବିପ୍ଳବରେ । ତା’ପରେ ସେ ଚେତାଇ ଦେଲେ ନିଜକୁ–ମୁଁ ତ କହୁଥିଲି ମୁଁ ଚାରିଦଉଡ଼ି କାଟି ଦେଇଛି ବୋଲି । ତା’ହେଲେ ମୁଁ ପୁଣି ଏମିତି ଟାଣି ହୋଇଯାଉଛି କାହିଁକି ? ସବୁ ଆଶା ସବୁ ସଂପର୍କ ଛାଡ଼ି ଦେଶମୁକ୍ତି ପାଇଁ ପ୍ରାଣ ନ ଦେଲେ ଦେଶର ମୁକ୍ତି ବା ହେବ କିପରି ?

 

(୪୧)

 

ନବୀନ ରାତିରେ ବିଛଣାରେ ପଡ଼ି ନିଜର କର୍ତ୍ତବ୍ୟ ସମ୍ବନ୍ଧରେ ଭାବୁଛନ୍ତି, ଏହି ସମୟରେ ସେ ହଠାତ୍ ଉଠିପଡ଼ି ଲଣ୍ଠନ ପାଖକୁ ଟାଣିଆଣି ପୁଣି ସେ ଚିଠିଖଣ୍ଡକ ପଢ଼ିଲେ । ପ୍ରତିଭା ଲେଖିଛି ପ୍ରକାଶଙ୍କ ପାଖକୁ– “...ଯଦି ସେ ମନେକରନ୍ତି ଯେ ମୋ ସହିତ ବିବାହରେ ତାଙ୍କର ମତ ନାହିଁ ଓ ସେଥିପାଇଁ ବିବାହର କୌଣସି ଦାୟିତ୍ୱ ସେ ନ୍ୟାୟତଃ ନେଇ ନପାରନ୍ତି, ମୁଁ ମଧ୍ୟ ସେହିପରି ମନେ କରିପାରେ ଯେ ଏ ବିବାହରେ ମୋର କୌଣସି ହାତ ନାହିଁ । ମୁଁ ମଧ୍ୟ ଏ ଦାୟିତ୍ୱରୁ ମୁକ୍ତ ହୋଇଯାଇପାରେ । ଯଦି ସେ ମୋତେ ତାଙ୍କର ଅନୁପଯୁକ୍ତା ପତ୍ନୀ ବୋଲି ମନେକରନ୍ତି, ମୁଁ ମଧ୍ୟ ତାଙ୍କୁ ଅନୁପଯୁକ୍ତ ପତି ବୋଲି ମନେକରିପାରେ–ସେ ଅଧିକାର ମୋର ଅଛି-। ଯଦି ସେ ନିଜକୁ ବଡ଼ ବିପ୍ଲବୀ ବୋଲି ଭାବି ମୋତେ ଉପେକ୍ଷା କରନ୍ତି, ମୁଁ ମଧ୍ୟ ନିଜକୁ ତାଙ୍କଠାରୁ ବଡ଼ ବିପ୍ଲବିଣୀ ବୋଲି ମନେକରି ତାଙ୍କୁ ଓ ସମସ୍ତ ସଂସାରକୁ ଉପେକ୍ଷା କରିପାରେ । ଆପଣଙ୍କର ପ୍ରେରଣାରେ ମୁଁ ପୂର୍ବର ସେହି ଅବଳା ନାରୀହୋଇ ନାହିଁ, ଯେ ପୁରୁଷର ଅନୁଗ୍ରହପ୍ରାର୍ଥିନୀ ହୋଇ ଜୀବନସାରା ଝୁରି ହେଉଥିବି । ବିପ୍ଳବର ପଥ ଉନ୍ମୁକ୍ତ ମୋ ପାଇଁ । ବର୍ତ୍ତମାନ ଯଦି ସାଧାରଣ ପ୍ରଜା ଏଠି ଜମିଦାରଙ୍କ ବିରୋଧରେ ମେଳିକରି ମୋତେ ହିଁ ସେମାନଙ୍କ ସହାୟକ ବୋଲି ମନେକରୁଛନ୍ତି, ମୁଁ କାହିଁକି ରାଜିହେବି ଏଇ ବନ୍ଧନରେ ପଡ଼ି ରହିବା ପାଇଁ ? ମୁଁ ସଂସାର ଛାଡ଼ିଦେବି । ଜୀବନକୁ ନଈ ମଝିରେ ଫୋପାଡ଼ି ଦେବି । ମୋର ମଧ୍ୟ ସନ୍ତରଣ କରିବାର ସାହସ ଅଛି । ଭାସି ଭାସି ହେଉ ବା ପହଁରି ପହଁରି ମୁଁ ବି’ ଗତି କରିବି ସମୁଦ୍ରଆଡ଼କୁ । ମଝିରେ ବୁଡ଼ିଗଲେ ମଧ୍ୟ ମୋର ଚିନ୍ତା ନାହିଁ । କାରଣ ସେତେବେଳେ ମୁଁ ଦୁନିଆଁରେ ଏକା । ମୋର ସେହି ନାହିଁ... ।”

 

ପ୍ରତିଭା ପୁଣି ଏପରି ଚିଠି ଲେଖିପାରେ ? ସେ ପୁଣି ବିପ୍ଳବର ଏଭଳି ଚିତ୍ର ଆଙ୍କିପାରେ-? ତା’ ନିଜର ପ୍ରତିଭା ନଥିଲେ ପ୍ରକାଶ କେଇଟା ଦିନ ଭିତରେ ତାକୁ ଏଭଳି ପ୍ରେରଣା ଦେଇପାରି ନଥାଆନ୍ତେ । ଏପରି ପତ୍ନୀକୁ ସେ ଅନାଦର କରି ଚାଲିଆସିଛନ୍ତି, ଏହି ପରିତାପ ତାଙ୍କୁ ଘାରି ଦେଉଥାଏ । କିନ୍ତୁ ନିଜ ବାପ ବିରୋଧରେ ନିଜର ସ୍ତ୍ରୀ ଏହି ଆନ୍ଦୋଳନର ନେତ୍ରୀ ହୋଇ ବାହାରିବ, ଏହା ଭାବିଲା ବେଳକୁ ତାଙ୍କ ଦେହ ଶିହରି ଉଠୁଥାଏ । ବିପ୍ଳବ ପଥରେ ଦିହେଁ ସହଯାତ୍ରୀ ହୋଇ ବାହିରିଲେ ବାପମାଆଙ୍କୁ ତ ଛାଡ଼ିବାକୁ ହେବ, ବିଷୟ ସମ୍ପତ୍ତି ମଧ୍ୟ ଛାଡ଼ିବାକୁ ପଡ଼ିବ, ଏ ଚିନ୍ତା ମଧ୍ୟ. ତାଙ୍କୁ ଅସ୍ଥିର କରୁଥାଏ । ଏହି କ୍ରମରେ ପ୍ରକାଶଙ୍କୁ ମଧ୍ୟ ଦୋଷ ନଦେଇ ଛାଡ଼ିଲେ ନାହିଁ । ଭାବିଲେ ଯେ କଲେଜରେ ପଢ଼ିଲା ବେଳଠୁଁ ଏହି ଲୋକଟି ତାଙ୍କୁ ନାନା ଭାବରେ ଉତ୍ତେଜିତ କରି ଧୀରସ୍ଥିର ଭାବରେ କୌଣସି ବିଷୟ ଭାବିବାକୁ ଦେଇ ନାହିଁ ଏବଂ ଶେଷକୁ ତାଙ୍କୁ ଏଇ ଭଙ୍ଗା ଡଙ୍ଗାରେ ଚଢ଼େଇ ସମୁଦ୍ରରେ ଭସାଇ ଦେଇଛି ।

 

(୪୨)

 

ଏହିପରି ବିଛଣାରେ ପଡ଼ି ନାନାଦି ଚିନ୍ତା କରୁ କରୁ ସେ ଯେତେବେଳେ ଶୋଇପଡ଼ିଲେ, ଅଧା ନିଦରେ ଏକ ବିଚିତ୍ର ସ୍ୱପ୍ନ ଦେଖିଲେ । ଦେଖିଲେ ଯେ କାଠଯୋଡ଼ି ନଈରେ ବଢ଼ି ଆସିଛି । ନଈର ସୁଅ ଏକୂଳ ସେକୂଳ ଖାଇ ଛାତି ଫୁଲେଇ ଭୀଷଣ ବେଗରେ ଧାଉଁଛି ଏବଂ କୂଳଠାରୁ ବହୁ ଦୂରରେ ଫେଣରାଶି ଭିତରେ କାଠଖଣ୍ଡେ ଭାସି ଚାଲିଛି । କେଉଁଠୁ ଏକ ସଂଗୀତର ସ୍ୱନ ଶୁଭୁଛି-’ମୁଁ ଏକା, ଜୀବନ ନଈରେ କେହି ନାହିଁ ମୋର ସାହା ।’ ପ୍ରତିଭାର କଣ୍ଠସ୍ୱର । କ୍ରମଶଃ ସେଇ କାଠ ଖଣ୍ଡକ ହିଁ ମଣିଷର ଆକାର ଧରି ଗୀତଗାଇବା ଆରମ୍ଭ କରିଦେଲା । ପ୍ରତିଭା ଗାଉଛି, ପ୍ରତିଭା କାନ୍ଦୁଛି । କୂଳ ଉପରେ ବହୁଲୋକ ଜମାହୋଇ ‘ଆହା, ଭାସିଗଲା !’ ବୋଲି ଚିତ୍କାର କରୁଛନ୍ତି । ସେ ନିଜେ ନଈକୁ ଡେଇଁପଡ଼ି ଭାସିଯାଉଥିବା ପ୍ରତିଭାକୁ ଉଦ୍ଧାର କରିବାକୁ ଯାଉଛନ୍ତି ଏହି ସମୟରେ ପ୍ରକାଶ ତା’ଙ୍କୁ ପଛରୁ ଟାଣି ଧରୁଛନ୍ତି ଏବଂ ହସି ହସି ନିଷ୍ଠୁର ଭାବରେ କହୁଛନ୍ତି–“ନବୀନ, କୁଆଡ଼େ ଯାଉଛ ? ଭାସିଯାଉ ସେ !” ତାଙ୍କୁ ପେଲିଦେଇ ନବୀନ ଝପ୍‍କରି ନଈରେ କୁଦିପଡ଼ିଲେ ଏବଂ ତାଙ୍କ ନିଦ ଭାଙ୍ଗିଗଲା । ଛାତି ଧପ୍ ଧପ୍ ହେଉଛି । ସେ ଚାରିଆଡ଼କୁ ଚାହିଁଲେ । କେହି କୁଆଡ଼େ ନାହାନ୍ତି, କେବଳ ପାଖରେ ଲଣ୍ଠନଟି ଜଳୁଛି ଓ ପ୍ରତିଭାର ଚିଠି ଖଣ୍ଡକ ପଡ଼ିଛି ।

 

ଏହି ସ୍ୱପ୍ନର ସଙ୍ଘାତରେ ନବୀନ ନିଜକୁ ମହା ଅପରାଧୀ ବୋଲି ମନେକଲେ ଏବଂ ପୁଣି ଚିନ୍ତାକଲେ ଯେ ପ୍ରତିଭାକୁ ସାଙ୍ଗରେ ଧରି ସେ କିଭଳି କାମ କରିପାରିବେ । ଭାବୁ ଭାବୁ ହଠାତ ଗୋଟାଏ ଉପାୟ ଜୁଟିଲା ତାଙ୍କ ମନକୁ । ଭାବିଲେ ଯେ ଯେଉଁ ବିପ୍ଳବର ବାର୍ତ୍ତା ସେ ପ୍ରଚାର କରୁଛନ୍ତି ଚାରିଆଡ଼େ, ତାହା ନିଜ ଜମିଦାରୀରେ ମଧ୍ୟ ପ୍ରତାରିତ ହୋଇଛି ଓ ତାହାରି ଫଳରେ ତ ସେଠି ଲୋକେ ଅଚ୍ୟାଚାର ବିରୁଦ୍ଧରେ ଛିଡ଼ା ହୋଇଛନ୍ତି । ତା’ହେଲେ ସେ ନିଜେ ସେଇ ଜମିଦାରୀ କାମ ବୁଝିବେ ନାହିଁ କାହିଁକି ? ସେଥିରେ ପ୍ରଜାଙ୍କର ମଙ୍ଗଳ ହେବ ଓ ବାପା ବି ଖୁସି ହେବେ । ପ୍ରତିଭା ମଧ୍ୟ ଏକାକିନୀ ହେବନାହିଁ । କିନ୍ତୁ ପରେ ପରେ ଗୋଟାଏ ପଶ୍ନ ତାଙ୍କ ମନକୁ ଆଘାତ କଲା–ତା’ହେଲେ କ’ଣ ମୁଁ ଭଲ ଜମିଦାରଟିଏ ହୋଇ ଘରେ ରହିବି ଓ ସେଇଥିରେ ମୋର ଜୀବନ ସରିଯିବ ? ତାଙ୍କ ପ୍ରଚାରରେ ଯେ ଏତେ ଲୋକ ନିର୍ଯ୍ୟାତନା ଭୋଗିଲେ ସେମାନେ ତାଙ୍କୁ କ’ଣ କହିବେ ? ପ୍ରଶ୍ନର ଉତ୍ତର ମିଳିଲା ନାହିଁ ତାଙ୍କୁ ।

 

(୪୩)

 

ପ୍ରତିଭା ପ୍ରକାଶଙ୍କ ପାଖକୁ ଯେଉଁ ଚିଠି ଲେଖିଥିଲା, ତାହା ଜାହ୍ନବୀ ଦେବୀଙ୍କର ପ୍ରରୋଚନା ଓ ତାଡ଼ନାରେ ହିଁ ଲେଖା ହୋଇଥିଲା । କିନ୍ତୁ ଭିନ୍ନ ଭାବରେ । ପ୍ରଜାମେଳିର ପ୍ରକୋପ ବଢ଼ିବା ସଙ୍ଗେସଙ୍ଗେ ରାମହରିବାବୁ କଥାକଥାକେ ଗାଳି ବୃଷ୍ଟି କରୁଥିଲେ ଅସହଯୋଗ ଆନ୍ଦୋଳନ, ତଥା ପ୍ରକାଶ ଓ ନବୀନଙ୍କ ଉପରେ । ଦିନେ ଜାହ୍ନବୀ ଦେବୀ ଯେତେବେଳେ ତାଙ୍କୁ କହିଲେ ଯେ ପ୍ରଜାଙ୍କୁ କହିଦିଅ, ସେମାନେ ନବୀନର ଫେରିବା ପର୍ଯ୍ୟନ୍ତ ଥୟଧରି ରୁହନ୍ତୁ, ସେ ଆହୁରି ରାଗିଯାଇ ଚିତ୍କାର କରିଉଠିଲେ, ପୁଅର ଅମଣିଷପଣିଆକୁ ନେଇ ।

 

ତା’ପର ଦିନ ଜାହ୍ନବୀ ଦେବୀ ପ୍ରତିଭା ସାଙ୍ଗରେ ଲଗେଇଲେ ଚିଠି ଖଣ୍ଡେ ଲେଖିବା ପାଇଁ ନବୀନଙ୍କ ପାଖକୁ । କାରଣ ସେ ଦେଖିଲେ ଯେ ନହେଲେ ରାମହରିଙ୍କର ଯେଉଁ ମତିଗତି, ସେଥିରେ ତା’ର ଘରକୁ ଫେରିବା ସମ୍ଭବ ନୁହେଁ । କହିଲେ, ଲେଖିବୁ ତୁମ ମାଆ କାନ୍ଦୁଛି । ତୁମେ ଯାହା କରୁଛ ଭଲକଥା, କିନ୍ତୁ ଥରେ ଆସି ବାପମାଆଙ୍କୁ ଦେଖା କରିଯିବା ଭଲ ନୁହେଁ କି ? କିନ୍ତୁ ପ୍ରଜାମେଳି, ଆଉ ବାପା ଯେଉଁ ଗାଳିମନ୍ଦ କରୁଛନ୍ତି, ସେ ବିଷୟରେ କିଛି ଲେଖିବୁ ନାହିଁ । କିଛି ସମୟ ନୀରବ ରହିଲା ପରେ ପ୍ରତିଭା ଧୀରେ ଧୀରେ କହିଲା, “ହଉ, ମୁଁ ଲେଖିବି ।” ପ୍ରଥମେ ଭାବୁଥିଲା ଯେ ଶାଶୁଙ୍କ କଥାରେ ପଡ଼ି ସେ ଯେଉଁ ଅପମାନ ସହ୍ୟ କରିଛି ଥରେ, ତା’କୁ ସେ ପୁଣି ବରିନେବ ନାହିଁ । ତା’ପରେ ସେ ଭାବିଚିନ୍ତି ସ୍ଥିରକଲା ଏହିଭଳି ଗୋଟିଏ ଚିଠି ଲେଖିବା ପାଇଁ ପ୍ରକାଶଙ୍କ ପାଖକୁ । ଚିଠିଲେଖା ଶେଷହେବା ସଙ୍ଗେ ସଙ୍ଗେ ଏକ ପ୍ରତିଜ୍ଞା କରିବାର ଇଚ୍ଛା ଜାଗିଉଠୁଥିଲା ତା’ ମନରେ, ଏବଂ ତାହା ଦୃଢ଼ୀଭୂତ ହେଲା, ଯେତେବେଳେ ସେ ତା’କୁ ବଢ଼େଇଦେଲା ଚାକର ହାତକୁ, ଡାକରେ ପଠେଇଦେବା ଲାଗି-“ଏହି ମୋର ଶେଷ ଉଦ୍ୟମ । ଜେଲ୍‍ରୁ ଖଲାସ ହେବାର ପନ୍ଦରଦିନ ଭିତରେ ଯଦି ସେ ନ ଆସନ୍ତି, ତେବେ ମୁଁ ଏକାକିନୀ ହୋଇ ମୋ ଜୀବନ ବିତେଇବି । ମୁଁ ମୁକ୍ତ ! ତେଣିକି ମୋର କାମ ବିପ୍ଳବ । ଯେଉଁଠି ଅତ୍ୟାଚାର, ମୁଁ ଯାଇ ପହଞ୍ଚିବି ସେଠି । ଯେଉଁଠି ଆର୍ତ୍ତ, ସେଠି ମୁଁ ଯାଇ ସେବାକରିବି । ସେଇଥିରେ ମୋ ଜୀବନ ସାର୍ଥକ ହେବ ।”

 

ଜାହ୍ନବୀ ଦେବୀ ଯେତେବେଳେ ଜାଣିଲେ ଯେ ବୋହୂ ଖଣ୍ଡେ ଚିଠି ଲେଖିଛି ପୁଅ ପାଖକୁ, ସେ ଖୁସି ହୋଇଗଲେ । ବୋହୂର ଆଖି ଛଳଛଳ ଦେଖି ସେ ଆହୁରି ଖୁସି ହୋଇଗଲା । ତାଙ୍କର ଜାଣିବାର ଉପାୟ ନ ଥିଲା ଯେ ଏ ଲୁହରେ ଦୁଃଖ ନାହିଁ, ଅଛି ସର୍ବତ୍ୟାଗୀ ହେବାର ଏକ ନୂତନ ଉନ୍ମାଦନା ।

 

(୪୪)

 

ଚିଠି ପଠେଇବାର ଦୁଇ ତିନି ଦିନ ପରେ ପ୍ରତିଭା ନିଜ ଘରେ ଏକୁଟିଆ ବସି ନିଜର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରୁଛି ଏହି ସମୟରେ ଚାକରଟୋକା ରାମା ନୂଆ ସାଆନ୍ତାଣୀଙ୍କ ସହିତ କଥାବାର୍ତ୍ତ କରିବାକୁ ଆସିଲା । ଗୋଟାଏ ଗୋପନ ଓ ଜରୁରୀ କଥା କହିବାକୁ ଅଛି, ଏହି ଭାବରେ । ସେଇଠୁଁ କହିଲା ଯେ ପ୍ରଜାମାନେ ଆସନ୍ତା କାଲି ଗୋଟାଏ ସଭା କରିବେ ବୋଲି ବସିଛନ୍ତି । ତାଙ୍କର ଧୈର୍ଯ୍ୟ ତୁଟି ଗଲାଣି, ସାଆନ୍ତଙ୍କର କାରବାର ଦେଖି । ସେଦିନ ତ ଜଣକୁ ମାରୁ ମାରୁ ମାରି ପକାଇଲେ । ଏଇକ୍ଷଣି ତାଙ୍କର ସର୍ଦ୍ଦାରମାନଙ୍କୁ ଜେଲରେ ପୂରାଇବାକୁ ବସିଛନ୍ତି । ପୋଲିସ୍ ପାଖକୁ ଗଲାରୁ ସିଏ ମାରି ଗୋଡ଼ଉଛି । ହାକିମ ଦରଖାସ୍ତକୁ ଚିରି ଫୋପାଡ଼ି ଦେଉଛି । ଏଥିରୁ ଆଉ କ’ଣ କରାଯିବ ? ସେଇଠୁଁ ଥତମତ ହୋଇ କହିଲା, ସାଆନ୍ତାଣୀ ଭରସା ଦେଲାରୁ, ପ୍ରଜାମାନେ ବସିଛନ୍ତି ମେଳିହୋଇ ଦିନେ ସାଆନ୍ତଙ୍କୁ । “କଣ ମାରିବେ ନା କଅଣ ? କହୁନୁ ?” ବୋଲି ପ୍ରତିଭା ତାକୁ ବଳେଇଲାରୁ କହିଲା, “ନା । କିନ୍ତୁ ପ୍ରଜାଏ ଖୁବ୍ ମାତିଛନ୍ତି । ଖାଲି କହୁଛନ୍ତି ଯେ ନୂଆ ସାଆନ୍ତାଣୀ ଆମ କଥା ବୁଝନ୍ତୁ । ତାଙ୍କୁ ପଦେ ଶୁଣାଇଦେଲା ପରେ ଆମେ ଯାହା କରିବାର କରିବୁ ।”

 

ପ୍ରତିଭା କିଛିକ୍ଷଣ ପରେ ଗୋଟାଏ ପ୍ରସ୍ତାବ ଦେଲା । କହିଲା, ‘ତାଙ୍କୁ କହ ନୂଆ ସାଆନ୍ତ ଆସିବା ଯାଏଁ ଅପେକ୍ଷା କରିବା ପାଇଁ । ଆଉ କୋଡ଼ିଏଦିନ ପରେ ତ ସେ ଏଠିକି ଆସିବେ । ମୁଁ ଚିଠି ଦେଇଛି ।’ ହେଲେ ରାମାର ମନ ବୁଝିଲା ନାହିଁ । କହିଲା, “ପ୍ରଜାମାନେ କହୁଛନ୍ତି ନୂଆ ସାଆନ୍ତେ ଆଉ ଘରକୁ ଫେରିବେ ନାହିଁ । ସେ ଗାନ୍ଧୀଙ୍କ ଦଳରେ ମିଶିଲେଣି । ତାଙ୍କ ପାଇଁ ଅପେକ୍ଷା କଲେ ଏଣେ ସବୁ ଛାରଖାର ହୋଇଯିବ ।” ସେଇଠୁଁ ପ୍ରତିଭାକୁ ଗୋଟାଏ ବୁଦ୍ଧି ଦିଶିଲା । କହିଲା, “ପ୍ରଜାଙ୍କୁ କହ ଗୋଟାଏ ଚିଠି ଦେବେ ତାଙ୍କ ପାଖକୁ, ଏଠିକି ଆସିବା ପାଇଁ । ଆଜିଠାରୁ ଠିକ୍ ପାଞ୍ଚଦିନ ପରେ ଆସନ୍ତା ଶୁକ୍ରବାର ଦିନ ସେ ଖଲାସ ହେବେ । ସେହି ସମୟକୁ କେହି କଟକ ଚାଲିଯାଉ ନାହାନ୍ତି ? ସର୍ଦ୍ଦାରମାନଙ୍କୁ କହିବୁ ଯା’ ମୁଁ ଏଇଆ କହୁଛି ବୋଲି ।”

 

ଉପରବେଳା ରାମା ବୁଝି ଆସି କହିଲା ଯେ, ‘ହଁ, ସେଇଆ ସେମାନେ କରିବେବୋଲି ରାଜି ହୋଇଛନ୍ତି । କିନ୍ତୁ ପଚାରୁଛନ୍ତି ଯେ ଯଦି ସେ ନ ଆସନ୍ତି ? ଏହା ଶୁଣି ପ୍ରତିଭା ଉତ୍ତେଜିତ ସ୍ୱରରେ କହିଲା, “ନଆସିଲେ ମୁଁ ତୁମ କଥା ବୁଝିବି । ଏ ଶୁକ୍ରବାରର ପନ୍ଦରଦିନ ପରେ ଯେଉଁ ଶୁକ୍ରବାର ହେବ, ତାପର ଶନିବାର ଦିନ ତମେ ସବୁ ସଭା କରିବ । ମୁଁ ଯିବି ସେ ସଭାକୁ । ସେ ନ ଆସିଲେ ମୁଁ ସବୁ ବୁଝିବି ।”

 

ବସ୍ତୁତଃ ପ୍ରଜାଙ୍କ ନେତାମାନେ ଏହିପରି ଭାବରେ ଗୋଟାଏ ଚାପ ପକେଇବାକୁ ଚେଷ୍ଟା କରୁଥିଲେ ରାମହରିବାବୁଙ୍କ ଉପରେ । ଯେପରିକି ସେ ପ୍ରତିଭା ଓ ତା’ ଶାଶୁଠାରୁ ଶୁଣିବେ ସବୁ କଥା, ଏବଂ ଗୋଟାଏ ଭୟର ସଞ୍ଚାର ହେବ ତାଙ୍କ ମନରେ । ସେମାନେ ବିଚରା କେମିତି ଜାଣିବେ ପ୍ରତିଭାର ମନ କୁଆଡ଼େ ଗତି କରୁଛି ?

 

(୪୫)

 

ପ୍ରତିଭା ଖୁବ୍ ଜୋରରେ ରାମାକୁ କହିଦେଲା ସିନା, ମାତ୍ର ତା’ ମନରେ ଭୟ ଜାତ ହେଲା । ବାସ୍ତବିକ୍ ଯଦି ଶହ ଶହ ଲୋକ ମେଳିହୋଇ ରାମହରିବାବୁଙ୍କୁ ଆକ୍ରମଣ କରନ୍ତି, ଏଣେ ନବୀନ ନ ଆସନ୍ତି, ତେବେ କଣ ସେ ମେଳିଆମାନଙ୍କ ନେତ୍ରୀ ହୋଇ ଶ୍ୱଶୁରଙ୍କୁ ମାରିବାକୁ ଆସିବ-? ହଁ, ସେ ସେମାନଙ୍କୁ ଯାଇ ବୁଝେଇବ ଯେ ଶାନ୍ତ ହୁଅ, ମାତ୍ର ଖାଲି ସେତିକିରେ କଥାଟା ଛିଣ୍ଡିବ କେମିତି ? ତାଙ୍କ ଦୁଃଖର ପ୍ରତିକାର ହେବ କେମିତି ? ପ୍ରଥମ କଥା–ସେ ନିଜେ ଶାଶୁ, ଶ୍ୱଶୁର ଓ ସମାଜକୁ ରଦ୍ଦକରି ଦେଇ ପ୍ରଜାମାନଙ୍କ ସାଙ୍ଗରେ ପ୍ରତ୍ୟକ୍ଷ ସଂପର୍କ ରଖିପାରିବ କି ? ଶେଷକୁ ସେ ଜାହ୍ନବୀ ଦେବୀଙ୍କୁ ନକହି ରହିପାରିଲା ନାହିଁ ଯେ ସେ ଶୁଣୁଛି, ମେଳିଆ ପ୍ରଜାମାନେ ସାଆନ୍ତଙ୍କୁ ମାରିଦେବେ ବୋଲି ବସିଛନ୍ତି । ‘ତୁ ଏକଥା କେଉଁଠୁ ଶୁଣିଲୁ ।’ ବୋଲି ପଚାରିଲାରୁ ପ୍ରତିଭା ବାଧ୍ୟହୋଇ କହିଲା ରାମା ଯାହା ସବୁ କହିଥିଲା ତାକୁ । କିନ୍ତୁ ଜାହ୍ନବୀ ଦେବୀ ରାମାକୁ ଜେରା କଲାରୁ ସେ କହିଲା–‘ମୁଁ ଗୋଟାଏ ଉଡ଼ା ଖବର ଶୁଣିଥିଲି ସିନା, ସତରେ କଣ ଲୋକେ ଆସି ସେଇଆ କରିବେ ?’ ତଥାପି ଜାହ୍ନବୀ ଦେବୀ ଚିନ୍ତିତ ହୋଇଉଠିଲେ ଓ ବୋହୂର ବାରଣ ନମାନି କଥାଟାକୁ ପହଞ୍ଚେଇ ଦେଲେ ସ୍ୱାମୀଙ୍କ ପାଖରେ । ଆଗରୁ ଶୁଣିଥିଲେ ସେ ତା’ର କିଛି ପ୍ରତିକାର କରିବେ ବୋଲି ଭାବି ।

 

ହେଲେ ପ୍ରତିଭାର ଯେଉଁ ଆଶଙ୍କା ଥିଲା, ଯେ ରାମା ମେଳିଆଙ୍କ ଦୂତ ହୋଇ ତା’ ସାଙ୍ଗରେ ମସୁଧା ଚଲେଇଛି, ଶ୍ୱଶୁରେ ଏକଥା ଶୁଣି ଅଗ୍ନିଶର୍ମା ହୋଇଉଠିବେ, ତା’ହେଲା ନାହିଁ । ସେ ଖାଲି କହିଲେ ତାଙ୍କ ସ୍ତ୍ରୀଙ୍କୁ ଉତ୍ତେଜିତ ହୋଇ, “ହଁ, ମୁଁ ଜାଣିଛି ସେସବୁ କଥା । ତାଙ୍କ କମିଟିରେ ଯାହା ବିଚାର ହୁଏ, ତାଙ୍କରି ଲୋକ ଆସି ଜଣେଇ ଦିଅନ୍ତି ମୋତେ । ଆଉ ମୁଁ ତାର ପ୍ରତିକାର କରି ସାରିଲିଣି । ମୋ ସାଙ୍ଗରେ ଲାଗିଛନ୍ତି ଏଇ କୁଆଗୁଡ଼ାକ । ଗୁଡ଼ାଏ ନ ମଲେ ତାଙ୍କ ମନ ଶାନ୍ତ ହେବ ନାହିଁ ।” କିଛି ସମୟ ପରେ ନିଜକୁ ସ୍ପଷ୍ଟ କରିଦେଇ କହିଲେ, ମୁଁ ପୋଲିସ୍ ଓ ଯାଜପୁର ହାକିମ, ସମସ୍ତଙ୍କୁ ଖବର ଦେଇଛି । ବନ୍ଧୁକଧାରୀ ପୁଲିସ୍ ଯେତେବେଳେ ଆସିବେ ଦଳକୁ ଦଳ, ସେତେବେଳେ ୟାଙ୍କ ମଜା ବାହାରିଯିବ ।”

 

(୪୬)

 

ରାମହରିବାବୁଙ୍କ ବନ୍ଧୁକଧାରୀ ପୁଲିସ ବନ୍ଦୋବସ୍ତ କଥା ଶୁଣି ପ୍ରତିଭା ପ୍ରମାଦ ଗଣିଲା । ସେମାନେ ଯଦି ସଭା କରନ୍ତି, ଶହ ଶହ ହଜାର ହଜାର ଲୋକ ବସିଥିବେ ସେଠି । ତାଙ୍କ ଉପରେ ଗୁଳି ଫାଏର୍ ହେବ । ଥୋକେ ତତ୍‍କ୍ଷଣାତ୍ ଟଳିପଡ଼ି ମରିଯିବେ ସେଠି । ଅନେକେ ଜଖମ୍ ହେବେ…..ଓଃ , କି ଭୟଙ୍କର ଦୃଶ୍ୟ । କିନ୍ତୁ କେଉଁଥିପାଇଁ ହେବ ଏମିତି ? ଗରିବ ଲୋକେ ଅତ୍ୟାଚାରରୁ ରକ୍ଷାପାଇବା ପାଇଁ ମୁଣ୍ଡ ଟେକିବାରୁ ତାଙ୍କ ମୁଣ୍ଡକୁ ନୁଆଁଇବା ଲାଗି ଏଇସବୁ ବ୍ୟବସ୍ଥା-? ଧନ କ’ଣ ଏପରି ଗୋଟିଏ ଜିନିଷ ଯେ ତା’ ଯୋଗୁଁ ଦୁନିଆଁର ସବୁକିଛି ଅବାଧରେ କରାଯାଇ ପାରେ ? ହାକିମ ପୋଲିସ୍‍ କ’ଣ ସମସ୍ତେ ଏଇ ଧନର ଅଧୀନ ହୋଇପଡ଼ିଛନ୍ତି ? ହେଲେ ଏ ଧନ ଆସୁଛି କେଉଁଠୁ ? ସେଇ ଗରିବଙ୍କଠାରୁ ଅଣାହୋଇ ଠୁଳ କରାହୋଇଛି କେତେଜଣଙ୍କ ପାଖରେ-। ଏହିସବୁ ଭାବନା ଆସିଲାରୁ ତା’ ମନ ଶ୍ରଦ୍ଧାରେ ଭରିଯାଉଥାଏ ନବୀନଙ୍କ ପ୍ରତି, ଯେ ସେ ଖୁବ୍ ଭଲ କାମଟିଏ କରିଛନ୍ତି । କିନ୍ତୁ ତା’ ସାଙ୍ଗକୁ ସେ ଭାବୁଥିଲା ଯେ, ଏହି ପରିସ୍ଥିତିରେ ତାଙ୍କର ଗାଆଁକୁ ଆସି ପ୍ରଜାମାନଙ୍କୁ ସାହାଯ୍ୟ କରିବା ନିହାତି ଉଚିତ । ଏହିସବୁ ଚିନ୍ତାର ଶେଷରେ ସେ ରାମାକୁ ଡାକି ତା’କୁ ବୁଝେଇ କହିଲା ଯେ ସେ ଯେପରି ଭୟ ନ କରେ । ଅନ୍ୟ ଲୋକେ ବି’ ଯେପରି ଭୟ ନ କରନ୍ତୁ । ସମସ୍ତେ ନବୀନଙ୍କ ଆସିବା ଯାଏଁ ଅପେକ୍ଷା କରନ୍ତୁ । ହେଲେ ରାମାର ନୀରବ ନିରତ୍ସାହ ଭାବରୁ ସେ ବୁଝିବାକୁ ପାଇଲା ଯେ ସେ ସଂକୁଚିତ ହୋଇପଡ଼ିଛି । ସେଇଠୁଁ ସେ ନିଜକୁ ଦୋଷୀ ମନେକଲା, ଯେ ରାମା ଯାହା କହିଲା–ତା’କୁ ପଦାରେ ପକାଇଦେବାଟା ଠିକ୍ ହୋଇନାହିଁ । ତାର ମଧ୍ୟ ଆଶଙ୍କା ହେଲା ଯେ ଲୋକେ ହୁଏତ ସନ୍ଦେହ କରିବେ ଯେ ତାଙ୍କ ଭିତରେ ଖବର ପ୍ରକାଶ କରିଦେଇ ସେ ତାଙ୍କୁ ବିପଦରେ ପକାଇଛି ।

 

ତଥାପି ସେ ନିଜକୁ କହିଲା ଯେ ଯଦି ନବୀନ ଆସନ୍ତି, ତେବେ ସେ ନିଜେ ପ୍ରକାଶ୍ୟ ଭାବରେ ପ୍ରଜାଙ୍କ ପକ୍ଷ ନେବ । ସେ କଥା ଦେଇଛି । ହଁ, ସେ ଯିବ ତାଙ୍କ ସଭାକୁ । ଦେହକୁ କାଠ କରିଦେଇ, କୌଣସି ଲଜ୍ଜା, ସଂକୋଚ, ଶାଶୁ, ଶ୍ୱଶୁର, ସାହିପଡ଼ିଶା, କାହାରି ବାରଣ ନମାନି ସେ କହିବ ତାର ଯାହା କହିବା କଥା । କିନ୍ତୁ କଣ କହିବ ? କେମିତି କହିବ ? ଭାବୁ ଭାବୁ ତା’ ଦେହ ଝାଳେଇ ଯାଉଥାଏ । ହେଲେ ସେ ନିଜକୁ ଦମ୍ଭ ଦେଉଥାଏ । ଭାବୁଥାଏ ଯେ ବିଦୀର୍ଣ୍ଣ ଧରଣୀ ଭିତରେ ସ୍ୱାମୀ ପରିତ୍ୟକ୍ତା ସୀତା ଯେମିତି ଆଶ୍ରୟ ନେଇଥିଲେ, ସେ ସେମିତି ନିଜକୁ ମିଳାଇ ଦେବ ଏଇ ଉନ୍ମୁକ୍ତ ଜଗତରେ ।

 

(୪୭)

 

ଧୀରେ ଧୀରେ ଦିନ ପରେ ଦିନ ଅତି କଷ୍ଟରେ ସରୁଥାଏ । ଶେଷକୁ ପନ୍ଦରଦିନ ସରିବା ଉପରେ । ଏଇ ଆସିବେ, ଅଧାବାଟରେ ଥିବେ ପରା, ଏହିପରି ଭାବରେ ନବୀନଙ୍କୁ ଅପେକ୍ଷା କରି କରି ଦେଖା ନାହିଁ ତାଙ୍କର । ଇତିମଧ୍ୟରେ ସେ ଖବର ପାଇଛି ଯେ ପ୍ରଜାମାନେ କଟକକୁ ଲୋକେ ପଠାଇଥିଲେ ତାଙ୍କୁ ଆଣିବା ପାଇଁ, କିନ୍ତୁ ତଥାପି କୌଣସି ଖବର ନାହିଁ ପାଖରୁ । ଯେଉଁଦିନ ପନ୍ଦରଦିନ ପୂରିଯିବ, ସେଇଦିନ ପ୍ରତିଭା ଅତି ଗମ୍ଭୀର ଭାବରେ ରାମାକୁ କହିଲା, “କାଲି ସେମାନେ ସଭା କରନ୍ତୁ । ମୁଁ ଯିବି ସେଠିକି ।” ପ୍ରଥମେ ରାମାର ବିଶ୍ୱାସ ହେଲା ନାହିଁ ଏକଥା, କିନ୍ତୁ ପ୍ରତିଭା ଜୋର୍ କରିବାରୁ ସେ ଊର୍ଦ୍ଧ୍ୱଶ୍ୱାସରେ ଯାଇ ଗାଁରେ ଖବର ଦେଇଦେଲା ।

 

ପ୍ରତିଭାର ମନରେ ଅଭିମାନ କେତେ ଓ ଅତ୍ୟାଚାରିତ ପ୍ରଜାଙ୍କ ପ୍ରତି ସହାନୁଭୂତି କେତେ, ତା’ର ଭାଗମାପ କରିହେବ ନାହିଁ । ତେବେ ଅଭିମାନର ମାତ୍ରା କିଛି କମ୍ ନ ଥିଲା । ଭାବୁଥିଲା-“ଏତେ ଅହଙ୍କାର ! ସେଦିନ ମୁଁ ନିଜେ ଯାଇଥିଲି ଡାକିବା ପାଇଁ, ହେଲେ ସେ ମୋତେ ଭିଖାରୁଣୀ ପରି ଘଉଡ଼େଇ ଦେଇଥିଲେ । ପୁଣି ଏତେକରି ଚିଠି ଲେଖିଲି । କିନ୍ତୁ ତା’ର କୌଣସି ଉତ୍ତର ନାହିଁ । ଠିକ୍ ଅଛି । ଗାଁ ତାଙ୍କର କିଛି ନୁହେଁ, ପ୍ରଜା କେହି ନୁହଁନ୍ତି, ବାପମାଆ କେହି ନୁହଁନ୍ତି । ମୁଁ ତ କେହି ନୁହେଁ ପରଘର ଝିଅ । ତେବେ ମୁଁ ଏଠିକି ଆସି ନ ଥିଲି ଶାଶୁ ଶ୍ୱଶୁରଙ୍କୁ ପାଇବି ବୋଲି । ନା, ମୋର ମଧ୍ୟ ସମ୍ମାନ ଅଛି । ମୁଁ ଲୋକଙ୍କୁ ଜବାବ୍ ଦେଇଛି ଯେ ସଭାକର ପନ୍ଦରଦିନ ଉତ୍ତାରୁ, ମୁଁ ଯିବି ସେଠିକି । ସଭାରେ ଯୋଗଦେବି । ଦେବି–ଦେବି–ଦେବି ।”

 

ଏହି ସମୟରେ ବାହାରେ ରାମହରିଙ୍କ ପାଟିଶୁଭିଲା । ପ୍ରତିଭା ଭାବିଲା, ନବୀନ ବୋଧହୁଏ ଆସିଲେ ପରା ! କିନ୍ତୁ କ୍ଷଣକରେ ତା’ର ଉତ୍କଣ୍ଠା ଅମୂଳକ ବୋଲି ଜଣାପଡ଼ିଲା । କିଛିସମୟ ପରେ ଜାହ୍ନବୀ ଦେବୀ ତା’କୁ ଚୁପ୍ ଚୁପ୍ କରି କହିଲେ-“ବୋହୂ, ଶୁଣିଲୁଣି ନା ? ଏ ଲୋକଗୁଡ଼ାକ ନାଗରା ଦେଇଛନ୍ତି ଯେ କାଲି ସଞ୍ଜବେଳେ ହାଟ ଉପରେ ଗୋଟାଏ ସଭା ହେବ । ସେଥିରେ ତୁ କୁଆଡ଼େ ବକ୍ତୃତା ଦେବୁ । ସାଆନ୍ତେ ଶୁଣି ରାଗୁଛନ୍ତି, ଯେ ସେମାନେ ଏମିତି ଅପବାଦ ଦେଉଛନ୍ତି ତାଙ୍କ ବୋହୂଙ୍କ ନାଆଁରେ । ୟାଙ୍କୁ ଦୈବ ଛାଡ଼ିଲାଣି । ପୋଲିସ୍ ପାଖକୁ ବି’ ଲୋକ ପଠାହୋଇଛି ।” କିନ୍ତୁ ପ୍ରତିଭା ନିରୁତ୍ତର ରହିଲା ।

 

ସେଦିନ ରାତିରେ ସେ ନିଜ ପଲଙ୍କ ଉପରେ ନଶୋଇ ତଳେ ଖଣ୍ଡେ ମସିଣା ପକେଇ ସେଇଠି ପଡ଼ିରହିଲା । ମନେମନେ ପଲଙ୍କଠାରୁ ବିଦାୟ ନେଲା । ଯେତେକ ଗହଣା ପିନ୍ଧିଥିଲା ସବୁ କାଢ଼ିଦେଇ ବାକ୍ସରେ ବନ୍ଦ କରି ଖାଲି ଚୂଡ଼ି ଦି’ପଟ ହାତରେ ରଖିଲା । ଆସନ୍ତା ଅଜଣା ସଂସାର ପାଇଁ ପ୍ରସ୍ତୁତ ହେଲାପରି ।

 

ହେଲେ ବଡ଼ିସକାଳୁ ପାହାନ୍ତିଆ ପବନର ସ୍ପର୍ଶରେ ସେ ଗୋଟାଏ ସ୍ୱପ୍ନ ଦେଖିଲା । ଦେଖିଲା ଯେ ନବୀନ ନିତାନ୍ତ ଅନୁନୟ ବିନୟ ହୋଇ ତା’ ହାତକୁ ଧରି କ୍ଷମା ମାଗୁଛନ୍ତି । କିନ୍ତୁ ସେ ତା’ ହାତକୁ ଛଡ଼େଇ ନେଉଛି, କହୁଛି, କେହି କିଛି ଦୋଷ କରିନାହାନ୍ତି ଯେ କ୍ଷମା ମାଗିବେ ତା’ଠୁଁ । ସେଇଠୁଁ ସେ ଧୀରେ ଧୀରେ କେଉଁ ଶୂନ୍ୟରେ ମିଶି ଯାଇଛି ଓ ନବୀନ କାତର ହୋଇ ଚାହିଁଛନ୍ତି ତା ଆଡ଼କୁ । ଫେରି ଆସିବାକୁ ମନ ହେଉଛି ତାଙ୍କ ପାଖକୁ, କିନ୍ତୁ ମଝିରେ ଶୂନ୍ୟ, ମହାଶୂନ୍ୟ । କେହି କାହାରି ଆଡ଼କୁ ଯାଇପାରୁ ନାହାନ୍ତି ।

 

(୪୮)

 

ସକାଳ ହେଲା । ରାମହରିବାବୁ ଅପେକ୍ଷିତ ହାକିମ ଏବଂ ପୋଲିସ୍ ଅଫିସର ଓ କନଷ୍ଟେବଳମାନଙ୍କର ରହିବା ଓ ଖାଇବା ପିଇବାର ବନ୍ଦୋବସ୍ତ କରୁଛନ୍ତି । ଏଣେ ଲୋକେ ପଠେଇଛନ୍ତି ବୁଝିବା ପାଇଁ ଯେ ଆଜି ସଭାକୁ କିଏ କିଏ ଓ କେତେଲୋକ ଆସିବେ । ମନରେ ଭୟ ଅଛି, ହେଲେ ସେ ତା’କୁ ଚାପିଦେଇ ଏଠୁ ସେଠିକି ଓ ସେଠୁଁ ଏଠିକି ଘୂରି ବୁଲୁଛନ୍ତି ତାଙ୍କ କାମରେ । ଜାହ୍ନବୀ ଦେବୀ ସକାଳୁ ଗାଧୁଆପାଧୁଆ ସାରି ଠାକୁରଙ୍କ ଆଗରେ ବସି ପ୍ରାର୍ଥନା କରୁଛନ୍ତି, ଯେ କାହାରି କିଛି ଅନିଷ୍ଟ ନଘଟୁ ।

 

ପ୍ରତିଭା ସକାଳୁ ନିତ୍ୟକର୍ମ ସାରି ମନେ ମନେ ତା’ର ପ୍ରତ୍ୟେକ କାମଠୁଁ ବିଦାୟ ନେବାରେ ଲାଗିଛି । ତା’ ଦେହରେ ହାତର ଦି’ପଟ ସୁନାଚୂଡ଼ି ଛଡ଼ା ଆଉ କିଛି ଗହଣା ନଥିବାର ଲକ୍ଷ୍ୟକରି ଜାହ୍ନବୀ ଦେବୀ ପଚାରିଲେ, “କିଲୋ ବୋହୂ ! ସବୁ ତ କାଢ଼ି ପକେଇଲୁ, କଅଣ ବା ଦେହରେ ଥିଲା, ତାକୁ ବି’ କାଢ଼ି ରଖିଦେଲୁ ନା ?” ପ୍ରତିଭା ଗମ୍ଭୀର ହୋଇ କିଛି ସମୟ ନୀରବ ରହି କହିଲା, ‘ଗହଣା ବାକ୍ସଟା ତୁମ ଘରେ ଥାଉ ।’ ଜାହ୍ନବୀ ଦେବୀ ତାର ଅର୍ଥ ବୁଝିପାରିଲେ ନାହିଁ । ଭାବିଲେ, ବୋହୂ ବୋଧହୁଏ ଡରୁଛି କିଏ କାଳେ ଘର ଭିତରକୁ ପଶିଆସି ଗହଣାପତ୍ର ନେଇଯିବ । ତେଣୁ ସେ ତା’କୁ ହସି ହସି ଆଶ୍ୱାସନା ଦେଲେ ଯେ, ସେଭଳି କିଛି ହେବାର କୌଣସି ଆଶଙ୍କା ନାହିଁ । ପୁଣି ଦେଖିଲେ ଯେ ସେ ଆଜି ବେଶିକରି ପାନ ଭାଙ୍ଗିଛି ଶାଶୁଙ୍କ ପାଇଁ, କିନ୍ତୁ ନିଜେ ଖଣ୍ଡେହେଲେ ଖାଇବାକୁ ନାହିଁ । ଏବଂ ଅନେକ ପ୍ରକାରର ଭଲ ତିଅଣ ରାନ୍ଧିଛି ଆଜି, କିନ୍ତୁ ନିଜେ କିଛି ଖାଇଲା ନାହିଁ । ପଚାରିଲାରୁ କହିଲା, “ମୋ ପେଟ କ’ଣ ହେଉଛି ।”

 

ଖରାବେଳେ ସେ ଶାଶୁଙ୍କ ଗୋଡ଼ଘଷି ଦେବାରେ ଲାଗିଲା, ଯେତେବେଳେ ସେ ଖାଇସାରି ଗଡ଼ପଡ଼ ହୁଅନ୍ତି । “ତୁ ଖାଇନାହୁଁ, ଯା’ ଟିକିଏ ଶୋଇପଡ଼” ବୋଲି ତା’କୁ କହିଲେ ମଧ୍ୟ ସେ ତାଙ୍କ କଥା ଶୁଣିଲାନି ଏବଂ ଜାହ୍ନବୀ ଦେବୀଙ୍କୁ ଛାଇ ନିଦଲାଗି ଯାଇଥିଲା ବେଳେ ସେ ତାଙ୍କୁ ପ୍ରଣାମ କଲା, ପାଦରେ ମୁଣ୍ଡ ଲଗେଇ । ମନେ ମନେ “ମା, ମୋତେ ବିଦାୟ ଦିଅ”, କହୁ କହୁ ତା’ ଆଖିକୁ ଲୁହ ଆସିଗଲା ।

 

ସେଠୁଁ ଫେରିଆସି ସେ ନିଜକୁ ପ୍ରସ୍ତୁତ କଲା ତା’ ଭବିଷ୍ୟତ ପାଇଁ । ନିଶବ୍ଦ ଜହ୍ନରାତିରେ ଗୋଟିଏ ବଡ଼ ପଡ଼ିଆରେ ଏକା ଛିଡ଼ାହେଲେ ଯେମିତି ଲାଗେ, ତାକୁ ସେମିତି ଲାଗୁଥିଲା । ହେଲେ ସମୟ ନାହିଁ ଏଣୁତେଣୁ କିଛି ଭାବିବା ପାଇଁ । ଯଥାଶୀଘ୍ର ନୀରବରେ ଘରୁ ବାହାରିଯିବା କଥା । ରାମାକୁ ନେଇଯିବ ସାଙ୍ଗରେ । ସେଇଠୁଁ ସଭାରେ ପହଞ୍ଚି କହିବ, ଯାହା ତା’ ମନକୁ ଆସିବ । ତା’ପରେ ପ୍ରକାଶ ଯେଉଁଠି ଥିବ ସେ ଯିବ ସେଠିକି । ଏବଂ ତାଙ୍କରିଠାରେ ସେ ନିଜକୁ ସମର୍ପଣ କରିଦେବ ।

 

ପ୍ରକାଶଙ୍କ କଥା ଭାବୁଭାବୁ ନବୀନ ମଧ୍ୟ ମନେପଡ଼ିଗଲେ । ଭାବିଲା, ପ୍ରକାଶଙ୍କ ସାଥୀରେ ରହିଲେ ନବୀନଙ୍କ ସହିତ ଦେଖାହେବ, ଏବଂ ପୁଣି…. କିନ୍ତୁ ସେ ବିରକ୍ତହୋଇ ସେହି ଭାବନାକୁ ଫିଙ୍ଗି ଦେଲା ତା’ ମନରୁ । “ନା, ମୋର ଆଉ ତାଙ୍କ ସହିତ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ନାହିଁ । ପରିଚିତ ଲୋକ ହିସାବରେ ଚିହ୍ନା ପରିଚୟ ? ତା’ ବି’ ହେବ ନାହିଁ । ସେ ମୋର କିଏ, ମୁଁ ବା ତାଙ୍କର କିଏ ?”

 

(୪୯)

 

ହାଟ ପଡ଼ିଆରେ ସଞ୍ଜବେଳେ ସଭାହେବ ବୋଲି ଚାରିଆଡ଼ୁ ଲୋକେ ଚାଲିଛନ୍ତି ଦି’ପହରୁ । ସତେକି ସଭା ହେଲା ମାତ୍ରକେ ସବୁ ଅତ୍ୟାଚାର ଏକାବେଳକେ ବନ୍ଦ ହୋଇଯିବ, ସେଇଥିପାଇଁ ଏ ସଭାରେ ଯୋଗଦେବାକୁ ହେବ । ତା’ଛଡ଼ା ଗୋଟାଏ ଖବର ରାଷ୍ଟ୍ର ହୋଇଯାଇଛି ଯେ ପ୍ରତିଭା ଦେବୀ ଏ ସଭାରେ ବକ୍ତୃତା ଦେବେ । ନବୀନ ଦେଶ ପାଇଁ ଜେଲ୍ ଯାଇଛନ୍ତି, ଏକଥା ସମସ୍ତଙ୍କୁ ଜଣା । ବର୍ତ୍ତମାନ ତାଙ୍କ ସ୍ତ୍ରୀ ସାକ୍ଷାତ୍ ସୀତାଦେବୀ ପରି ସ୍ୱାମୀଙ୍କୁ ଅନୁସରଣ କରୁଛନ୍ତି, ଏଇ ଦୃଶ୍ୟ ଦେଖିବାର ସୌଭାଗ୍ୟ ଲାଭ କରିବା ପାଇଁ ଅନେକେ ଟାଣିହୋଇ ଆସୁଥିଲେ ଏଇ ସଭାକୁ ।

 

ସଞ୍ଜ ହେବାର ଦୁଇ ତିନି ଘଣ୍ଟା ପୂର୍ବରୁ ପ୍ରାୟ ଦି’ତିନି ହଜାର ଲୋକ ଆସି ଜମିଗଲେଣି ସେଠି । ହାକିମ ଓ ବନ୍ଧୁକଧାରୀ ପୋଲିସ୍ ମଧ୍ୟ ଯଥାଶୀଘ୍ର ଆସିଗଲେଣି, ସଭା ଉପରେ ନଜର ରଖିବା ଲାଗି । ସେମାନଙ୍କ ଆସିବାରେ କେତେକ ଭୀତ ହୋଇଥିଲେ ମଧ୍ୟ ସମୂହ ଭାବରେ ଭୟର ଚିହ୍ନ ପ୍ରକାଶ ପାଉନଥିଲା । ବରଂ ଅଧିକ ଉତ୍ତେଜନା ଦେଖାଗଲା ଲୋକଙ୍କ ଭିତରେ । ହାକିମ ଗୋଟିଏ ଚଉକିରେ ବସିଲେ । ଆଗରେ ଗୋଟିଏ ଟେବୁଲ୍ । ଟେବୁଲ୍‍ର ଦୁଇପାଖରେ ପୋଲିସ୍ ଇନ୍‍ସପେକ୍ଟର ଓ ସବ୍‍ଇନ୍ସପେକ୍ଟର । ଟେବୁଲ୍ ଉପରେ ଦି’ଖଣ୍ଡ ଖାତା ଓ ପେନସିଲ୍ । ହାକିମ କିନ୍ତୁ ନିରୁତ୍ସାହ ଭାବରେ ଚାରିଆଡ଼କୁ ଅନାଉଥାଆନ୍ତି । ତାଙ୍କ ମୁହଁରେ ବିଷାଦର ଛାୟା ।

 

ଧୀରେ ଧୀରେ କୋଳାହଳ ଶାନ୍ତ ହୋଇଆସିଲା । ପ୍ରକାଶ ଓ ପୁରନ୍ଦର ସଭା ଭିତରେ ଚାରିଆଡ଼େ ବୁଲି ଲୋକଙ୍କୁ ବସାଉଛନ୍ତି, ଏହି ସମୟରେ ପ୍ରକାଶଙ୍କ ଆଖି ହାକିମଙ୍କ ଉପରେ ପଡ଼ିଲା ଏବଂ ସେ ବେପରୁଆ ଭାବରେ କହିଲେ, “କି ମହେନ୍ଦ୍ରବାବୁ ! ଆପଣ କ’ଣ ଆସିଛନ୍ତି ଗୁଳିର ଆଦେଶ ଦେବାପାଇଁ ? ଭଲକଥା । ତେବେ ରଙ୍ଗମଞ୍ଚରେ ଆପଣଙ୍କ ଶେଷ ଅଭିନୟ ଦେଖିବାର ସୌଭାଗ୍ୟ ମଧ୍ୟ ଆସିବ କେତେ ଲୋକଙ୍କର ।”

ଏକଦା ସମ୍ମାନନୀୟ ବନ୍ଧୁ ପ୍ରକାଶଙ୍କୁ ଚଉକିରେ ବସାଇବା ଉଚିତ, ଏ ପ୍ରଶ୍ନ ମହେନ୍ଦ୍ରବାବୁଙ୍କ ମନରେ ଆସିଥିଲା ଅବଶ୍ୟ । କିନ୍ତୁ ସେ ତା’କୁ ଘଉଡ଼େଇଦେଲେ । ହାକିମ ହୋଇ ଦବିଯିବା ଉଚିତ ନୁହେଁ, ଏହି ଭାବରେ ପୁଣି ତେଜିଉଠି ସେ ତାଙ୍କୁ ଉତ୍ତରଦେଲେ, “ଆପଣମାନେ ଅଶାନ୍ତି ଘଟାଇଲେ ଗୁଳି କରିବାକୁ ହେବ, ଏଥିରେ ବିସ୍ମିତ ହେବାର କିଛି ନାହିଁ ।” “ଗୁଳିକୁ ଡର ଥାଆନ୍ତା ଯଦି, ଆମେ ଭାବନ୍ତୁ କି ଯେ ଏଇ ଗୁଳିମାଡ଼ରେ ହିଁ ଆମର ମୁକ୍ତି ଅଛି ?” କହି ପ୍ରକାଶ ଠୋ ଠୋ ହୋଇ ହସିଉଠିଲେ । ମହେନ୍ଦ୍ରବାବୁ ବିରକ୍ତହୋଇ ଅନ୍ୟକଥା ପକାଇଲେ । ଶେଷକୁ ବ୍ୟଗ୍ର ହୋଇ ପଚାରିଲେ, ‘ପ୍ରତିଭାଦେବୀ ସଭାକୁ କେତେବେଳେ ଆସିବେ ?’ ତାଙ୍କୁ ତା’ର ଉତ୍ତର ମିଳିଲା ନାହିଁ ଏବଂ ମହେନ୍ଦ୍ରବାବୁଙ୍କ ମୁହଁ ଗମ୍ଭୀର ହୋଇଗଲା ।

ଯଥା ସମୟରେ ସଭା ଆରମ୍ଭ ହେଲା ଏବଂ ପୁରନ୍ଦର ଛିଡ଼ାହୋଇ ଦେଶର ପିରସ୍ଥିତି ବିଷୟରେ ଏକ ବକ୍ତୃତା ଦେବାକୁ ଆରମ୍ଭ କଲେ ।

 

(୫୦)

 

ସନ୍ଧ୍ୟା ହେଲା । ବନ୍ଦୋବସ୍ତ ଅନୁଯାୟୀ ସଭା ମଝିରେ ଗୋଟିଏ ଓ ଚାରିଆଡ଼େ ଚାରିଟା ବଡ଼ ବଡ଼ ଆଲୁଅ ଖଞ୍ଜିଦିଆଗଲା । ପୁରନ୍ଦର ଅନର୍ଗଳ କହି ଚାଲିଥାଆନ୍ତି ଭାରତ ସମେତ ଦେଶବିଦେଶର ବିପ୍ଳବ ବିଷୟରେ ।

ହଠାତ୍ ସଭା ପଛପଟରୁ ଧୀରେଧୀରେ ଅଳ୍ପ କୋଳାହଳ ଆରମ୍ଭ ହେଲା । ଜଣ ଜଣ କରି ସେ ଆଡ଼କୁ ଅନାଉ ଅନାଉ ସମସ୍ତଙ୍କ ଦୃଷ୍ଟି ସେ ଆଡ଼କୁ ଚାଲିଗଲା । ‘ନୂଆ ସାଆନ୍ତାଣୀ ଆସୁଛନ୍ତି’, ‘ପ୍ରତିଭା ଦେବୀ ଆସୁଛନ୍ତି’ ବୋଲି ଗୋଟାଏ ଗୁଞ୍ଜରଣ ସୃଷ୍ଟିହେଲା, ଏବଂ ଚାହୁଁ ଚାହୁଁ ‘ହରିବୋଲ’, ‘ଜୟ ମହାତ୍ମା ଗାନ୍ଧୀଙ୍କ ଜୟ !’ ନିନାଦରେ ସଭାସ୍ଥଳ କମ୍ପିଉଠିଲା । ନିଜେ ହାକିମ ମଧ୍ୟ ଅନାଇଛନ୍ତି ସେଆଡ଼କୁ–ଏ କ’ଣ ସେହି ବାଳିକା, ଯାହାକୁ ସେ ଦିନେ ତାଙ୍କ ହୃଦୟରେ ସ୍ଥାନ ଦେଇଥିଲେ ? ପ୍ରତିଭାକୁ ବାଟକଢ଼େଇ ପ୍ରକାଶ ନେଇଆସିଲେ ସଭା ମଝିକୁ ।

ପ୍ରତିଭାର ମୁହଁରେ ସଙ୍କୋଚର ଚିହ୍ନବର୍ଣ୍ଣ ନାହିଁ । ଅପରନ୍ତୁ ତା’ ଆଖିରୁ ଏକପ୍ରକାର ଜ୍ୟୋତି ବାହାରୁଛି । ପ୍ରକାଶ ଚୁପ୍‍କରି କହିଲେ ତା’କୁ, “ତୁମର ଯାହା କହିବାର କହିଦିଅ । ଲୋକେ ଅନେକବେଳୁ ଆସିଲେଣି ଓ ଅନେକ କିଛି ଶୁଣିଲେଣି ।” ସେଇଠୁଁ ପୁରନ୍ଦରଙ୍କ ଭାଷଣ ସରିଲା ପରେ ପରେ ସେ କିଛିକ୍ଷଣ ସ୍ଥିର ହୋଇ, ତା ପରେ ସ୍ୱର ଉଞ୍ଚେଇ ଆରମ୍ଭ କଲା, “ଭାଇମାନେ, ମୁଁ ନୂଆ ହୋଇ ଆଜି ପଞ୍ଜୁରୀରୁ ବାହାରିଛି । ମୁଁ ଭଲ ଉଡ଼ିପାରି ନାହିଁ, ତେଣୁ ମୋଠାରୁ ବେଶି କିଛି ଆପଣମାନେ ଆଶାକରିବେ ନାହିଁ । ତେବେ ଏତିକି ମୁଁ ଆପଣଙ୍କୁ ଜଣାଇଦେବା ପାଇଁ ଚାହେଁ ଯେ, ମୁଁ ଆପଣମାନଙ୍କ ସାଙ୍ଗରେ ସମଦୁଃଖିନୀ ହେବାପାଇଁ ବାହାରିପଡ଼ିଛି । ଆପଣଙ୍କ ଭଲରେ ମୋର ଭଲ, ଆପଣଙ୍କ ମନ୍ଦରେ ମନ୍ଦ । ସୂର୍ଯ୍ୟ ଉଇଁଲାବେଳେ ଯେପରି କୁମ୍ଭାଟୁଆ ରାବିଉଠେ, ସେହିପରି ଆଜିକାର ଏ ସଭା ସମସ୍ତ ଅତ୍ୟାଚାର ଭୋଗକରି ଶେଷରେ ଶାନ୍ତିର ଆଲୋକ ବିସ୍ତାରର ସନ୍ଦେଶ ହେଉ । ମୁଁ ମଧ୍ୟ ମୋର କ୍ଷୀଣ ଶକ୍ତି ସେ ଦିଗରେ ଖଟାଇବି । ମୋର ଆଉ କିଛି ବେଶି କହିବାର ନାହିଁ ।” ଏତିକି କହି ସେ ଥକାହୋଇ ବସିପଡ଼ିଲା । ସତେକି କୌଣସି ମନ୍ତ୍ର ବଳରେ ସେ କିଛି କହୁଥିଲା, ବର୍ତ୍ତମାନ ତା ଦେହରୁ ସେ ଶକ୍ତି ଚାଲିଗଲା ।

ଜୟଜୟକାରର କୋଳାହଳ ଭିତରେ ‘ବାଟଛାଡ଼, ବାଟଛାଡ଼’ ବୋଲି ହୁରି ଶୁଣାଗଲା ଏବଂ ଦେଖାଗଲା ଯେ ନବୀନ ଆସୁଛନ୍ତି ଏ ଆଡ଼କୁ । ତାଙ୍କର ଦୃଷ୍ଟି ପ୍ରତିଭା ଉପରେ ପଡ଼ିଲା ଓ ପ୍ରତିଭାର ଦୃଷ୍ଟି ମଧ୍ୟ ତାଙ୍କ ଉପରେ । କିଛିକ୍ଷଣ ଦୁହେଁ ପରସ୍ପରକୁ ଅପଲକ ଚକ୍ଷୁରେ ଚାହିଁରହିଲେ । ଅଳ୍ପ ଦୂରରେ ମହେନ୍ଦ୍ରବାବୁ ବିଷଣ୍ଣ ଭାବରେ ଏ ଦୁହିଁଙ୍କ ଆଡ଼କୁ ଅନାଇ ରହିଥାଆନ୍ତି ।

ପ୍ରତିଭାକୁ କୈଫିୟତ୍ ଦେବାକୁ ବ୍ୟଗ୍ର ହୋଇ ନବୀନ ପ୍ରକାଶଙ୍କୁ ଆବେଗଭରା କଣ୍ଠରେ କହିବାକୁ ଲାଗିଲେ ଯେ, ଏଇ କାରଣରୁ ସେ ଆସିପାରିଲେ ନାହିଁ । କେଉଁଠି ଗୋଟାଏ ଭୀଷଣ ଅତ୍ୟାଚାର ଚାଲିଥିଲା, ସେହେତୁ....

କିନ୍ତୁ ପ୍ରକାଶ ଆଉ ବେଶି କଥା ନଶୁଣି ଛିଡ଼ା ହୋଇପଡ଼ି କହିଲେ : “ମୋର ଶ୍ରମ ସାର୍ଥକ ହୋଇଛି । ବିପ୍ଳବର ଗଣ୍ଡିହୋଇ ତୁମେ ଦୁଇଜଣ ବଞ୍ଚିରହ । ଦୁଃଖ ହିଁ ଚିରସୁଖ ହେଉ, ନିର୍ଦ୍ଧନତା ହିଁ ସମ୍ପଦ ହେଉ, ବିଚ୍ଛେଦ ହିଁ ହେଉ ମଧୁର ମିଳନ । ଏହାହିଁ ମୋର ଆଶୀର୍ବାଦ ଆଦର୍ଶ ବିପ୍ଳବୀ ଦୁଇଜଣଙ୍କୁ ।”

Image